ଭୁବନେଶ୍ବର/ନବରଙ୍ଗପୁର/ସୁନ୍ଦରଗଡ଼ : ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟରେ ହାଜର କରିବ ଭିଜିଲାନ୍ସ ଟିମ। ଆଜି ସନ୍ଧ୍ୟା ସୁଦ୍ଧା ତାଙ୍କୁ ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟରେ ହାଜର କରାଯିବ ବୋଲି ଜଣାଯାଇଛି। ଏଣେ ଆଜି ପ୍ରଶାନ୍ତ କୁମାର ରାଉତଙ୍କୁ ଭିଜିଲାନ୍ସ ଗିରଫ କରିପାରେ ବୋଲି ସୂଚନା ମିଳିଛି।
ଏହା ପୂର୍ବରୁ ଶ୍ରୀ ରାଉତ ୨୦୧୮ରେ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକରେ ବିଡିଓ ଥିବାବେଳେ ସେ ଅନୈତିକ ଟେଣ୍ଡର୍ ପ୍ରଦାନ, ବିଲ୍ ପାସ୍ କରାଇବା ଆଦି ପ୍ରତ୍ୟେକ ଛୋଟବଡ଼ କାମରେ ଲାଞ୍ଚ ଦାବି କରି ନେଉଥିଲେ। ସେ ସମୟରେ ଏକ ଲାଞ୍ଚ ମାମଲାରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ୨୦୧୮ ନଭେମ୍ବର ୬ ତାରିଖରେ ଝିରପାନି ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଶାନ୍ତ ଜେନାଙ୍କ ଠାରୁ ଏକ ଡ୍ରେନ କାମର ସାଢେ ୧୧ ଲକ୍ଷ ଟଙ୍କାର ବିଲ୍ ପାଇଁ ୧ ଲକ୍ଷ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲ୍ ପକାଇ ତାଙ୍କୁ ଧରିଥିଲା। ସେତେବେଳେ ସେ ଗିରଫ ହୋଇ ଜେଲ୍ ଯାଇଥିଲେ। ସରକାର ତାଙ୍କୁ ନିଲମ୍ବିତ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ୨୦୨୦ରେ ତାଙ୍କୁ ବିଡିଓରୁ ଉପଜିଲ୍ଲାପାଳ ଭାବେ ପଦୋନ୍ନତି ଦିଆଯାଇଥିଲା। ଏହା ସହ ନବରଙ୍ଗପୁରରେ ଅତିରିକ୍ତ ଜିଲ୍ଲାପାଳର ଅତିରିକ୍ତ ଦାୟିତ୍ବ ମିଳିଥିଲା। ହେଲେ ଭିଜିଲାନ୍ସ ହାତରେ ଧରାପଡିଥିବା ଜଣେ ଦୁର୍ନୀତିଖୋର୍ ଲାଞ୍ଚୁଆ ଅଧିକାରୀଙ୍କୁ ନିଲମ୍ବନରୁ ସିଧା ପଦୋନ୍ନତି ଦେଇ କିପରି ଜିଲ୍ଲାର ଦ୍ବିତୀୟ ମୁଖ୍ଯ ଦାୟିତ୍ବ ଦିଆଯାଇଥିଲା, ତାହା ଏବେ ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା ପଛରେ କିଛି ବଡ଼ବଡିଆଙ୍କ ହାତ ନିଶ୍ଚିତ ରହିଛି ବୋଲି ଆଲୋଚନା ହେଉଛି।
ଖାଲି ସେତିକି ନୁହେଁ, ରାଉରକେଲା ଭିଜିଲାନ୍ସ ଡିଭିଜନର ସ୍ୱତନ୍ତ୍ର ଟିମ ଆୟ ବହିର୍ଭୂତ ସମ୍ପତ୍ତି ନେଇ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ୩ କୋଟିରୁ ଉର୍ଦ୍ଧ୍ବ ନଗଦ ଟଙ୍କା, ୬୨ ଲକ୍ଷ ଟଙ୍କାର ଇନ୍ସୁରାନ୍ସ ଓ ବ୍ୟାଙ୍କ ଡିପୋଜିଟ୍ ଗାଡ଼ି, ଘର ଇତ୍ୟାଦି ପାଇଥିଲା ଭିଜିଲାନ୍ସ ଟିମ୍।
ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୯ଟି ଜାଗାରେ ଚଢ଼ଉ ବେଳେ ପ୍ରଶାନ୍ତଙ୍କ କାନନବିହାର ଏଚ୍ଆଇଜି-୧୧୫ରେ ଥିବା ଘରୁ ୨କୋଟି ୩ଲକ୍ଷ ୫୦୦ ଟଙ୍କା ଜବତ କରାଯାଇଥିଲା। ଚଢ଼ଉ ବେଳେ ପ୍ରଶାନ୍ତ ୬ଟି ସିଲ୍ ପେଟି ଓ ଗୋଟିଏ ଆଟାଚି ଭର୍ତ୍ତି ଟଙ୍କା ପଡ଼ୋଶୀଙ୍କ ଛାତ ଉପରକୁ ଫିଙ୍ଗି ଦେଇଥିଲେ। ପଡ଼ୋଶୀ ମଧ୍ୟ ଏହି ଟଙ୍କା ପେଟି ଘରକୁ ନେଇ ଯାଇଥିଲେ। ଭିଜିଲାନ୍ସ ଅଧିକାରୀମାନେ ପଡ଼ୋଶୀଙ୍କ ଘର ଭିତରେ ପଶି ଟଙ୍କା ଜବତ କରିଥିଲେ। କୋଟି କୋଟି ଟଙ୍କା ଜବତ ହେବା ପ୍ରଚାର ହେବାପରେ ସ୍ଥାନୀୟ ବାସିନ୍ଦା ଦେଖିବା ଲାଗି ଘର ବାହାରକୁ ମଧ୍ୟ ଚାଲି ଆସିଥିଲେ। ଖାଲି ଭୁବନେଶ୍ବର ନୁହେଁ, ନବରଙ୍ଗପୁର ସରକାରୀ କ୍ବାର୍ଟର୍ସରୁ ଦୁଇଟି ପର୍ଯ୍ୟାୟରେ ୮୮ ଲକ୍ଷ ୯୩ ହଜାର ୩୦୦ ଟଙ୍କା ଜବତ କରାଯାଇଥିଲା। ସେହିପରି ଚଢ଼ଉ ଜାରି ରହିଥିବା ବେଳେ ସନ୍ଧ୍ୟାରେ ଆଉ ୧୦ ଲକ୍ଷ ୩୭ ହଜାର ଟଙ୍କା ଭୁବନେଶ୍ବର କାନନବିହାର ଘରୁ ଜବତ କରାଯାଇଛି। ଏହି ଟଙ୍କାକୁ ସେ ବହି ରୢାକ୍ ପଛପଟ କାନ୍ଥରେ ଲୁଚାଇ ରଖିଥିଲେ। ଏବେ ସୁଦ୍ଧା ୩କୋଟି ୨ ଲକ୍ଷ ୩୦ ହଜାର ୮୦୦ ଟଙ୍କା ଜବତ କରାଯାଇଛି। ଚଢ଼ଉ ଜାରି ରହିଥିବା ବେଳେ ନଗଦ ଟଙ୍କା ମିଳୁଥିବାରୁ ଭିଜିଲାନ୍ସ ଅଧିକାରୀମାନେ ମଧ୍ୟ ତାଜୁବ୍ ହୋଇଯାଇଥିଲେ।