କରୋନା ଯୋଦ୍ଧା ନୁହନ୍ତି ଭିଜିଲାନ୍ସ ଅଧିକାରୀ

ଦେବାଶିଷ ପାଣିଗ୍ରାହୀଙ୍କ ମୃତ୍ୟୁପରେ ସାମ୍‌ନାକୁ ଆସିଲା ଗୁରୁତ୍ବପୂର୍ଣ୍ଣ ତଥ୍ୟ

କରୋନାଜନିତ ମୃତ୍ୟୁରେ ଗାର୍ଡ ଅଫ୍ ଅନର୍ ପାଇଁ ହକଦାର୍ ନୁହନ୍ତି

କଟକ : ଭିଜିଲାନ୍ସ ବିଭାଗରେ କାର୍ଯ୍ୟରତ ପୁଲିସ ଅଧିକାରୀ ଅଥବା କର୍ମଚାରୀ କରୋନା ଯୋଦ୍ଧା ନୁହନ୍ତି। ସରକାରୀ ନିୟମ ଅନୁଯାୟୀ ଭିଜିଲାନ୍ସରେ କାର୍ଯ୍ୟରତ କୌଣସି ପୁଲିସ ଅଧିକାରୀ ଅଥବା କର୍ମଚାରୀ ଯଦି କରୋନାରେ ପ୍ରାଣ ହରାନ୍ତି, ତେବେ କରୋନା ଯୋଦ୍ଧା ଭାବେ ପାଇବାକୁ ଥିବା ସହାୟତା ଏବଂ ସମ୍ମାନ ପାଇଁ ଯୋଗ୍ୟ ନୁହନ୍ତି। ଭିଜିଲାନ୍ସ ନିର୍ଦ୍ଦେଶକ ତଥା ରାଜ୍ୟ ପୁଲିସ ବିଭାଗର ଏଡିଜି ଡ. ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ ପରେ ଏଭଳି ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍‌ନାକୁ ଆସିଛି। ଦେବାଶିଷ ପାଣିଗ୍ରାହୀଙ୍କ ମୃତ୍ୟୁ ସମୟରେ କାହିଁକି ଗାର୍ଡ ଅଫ୍ ଅନର୍ ଦିଆଗଲା ନାହିଁ ବୋଲି ପ୍ରଶ୍ନ ଉଠୁଥିବା ବେଳେ ନିୟମ କିନ୍ତୁ ଓଲଟା କହୁଛି। ନିୟମ ଅନୁଯାୟୀ, ଭିଜିଲାନ୍ସରେ ଯଦି କୌଣସି ପୁଲିସ ଅଧିକାରୀ ଓ କର୍ମଚାରୀ ନିୟୋଜିତ ହୋଇଛନ୍ତି, ସେମାନେ କରୋନା ଯୋଦ୍ଧା ନୁହନ୍ତି। କେବଳ ପୁଲିସରେ ସିଧାସଳଖ କାର୍ଯ୍ୟ କରୁଥିବା ଅଧିକାରୀ ବା କର୍ମଚାରୀ କରୋନା ଯୋଦ୍ଧା ମାନ୍ୟତା ପାଇଁ ହକଦାର୍। ଯଦି କୌଣସି ପୁଲିସ ଅଧିକାରୀ ପରିବହନ କମିସନ, ପୁଲିସ ହାଉସିଂ କର୍ପୋରେସନ, ଓଡ଼ିଶା ଷ୍ଟେଟ୍ ରୋଡ ଟ୍ରାନ୍ସପୋର୍ଟ କର୍ପୋରେସନ୍(ଓଏସଆରଟିସି) ଭଳି ବିଭାଗରେ ନିୟୋଜିତ ଅଛନ୍ତି, ସେମାନେ କରୋନା ଯୋଦ୍ଧା ଭାବେ ପରିଗଣିତ ହେବେ ନାହିଁ।

ଡ. ପାଣିଗ୍ରାହୀଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ ନେଇ ଚର୍ଚ୍ଚା ଉଠୁଥିବା ବେଳେ ଆଇପିଏସ୍‌ ସଂଘ ସମ୍ପାଦକ ତଥା ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ କହିବା ଅନୁଯାୟୀ, ଷ୍ଟେଟ୍ ଫ୍ୟୁନେରାଲ୍ ଘୋଷଣା ହେଲେ ଗାର୍ଡ ଅଫ୍ ଅନର୍ ଦିଆଯାଏ। ରାଜ୍ୟ ସରକାର ଏକ୍‌ସେପସନାଲ୍ କାଟାଗୋରି ବ୍ୟକ୍ତିଙ୍କ କ୍ଷେତ୍ରରେ ଷ୍ଟେଟ୍ ଫ୍ୟୁନେରାଲ୍ ଘୋଷଣା କରନ୍ତି। ମନ୍ତ୍ରୀ, ପଦ୍ମ ପୁରସ୍କାର ପ୍ରାପ୍ତ ଇତ୍ୟାଦି ବ୍ୟକ୍ତିତ୍ବଙ୍କ କ୍ଷେତ୍ରରେ ଷ୍ଟେଟ୍ ଫ୍ୟୁନେରାଲ୍ ଘୋଷଣା ହୁଏ। ଏହାବାଦ୍ ଅନ୍ ଡ୍ୟୁଟି କେହି ପୁଲିସ ଅଧିକାରୀଙ୍କ ମୃତ୍ୟୁ ହେଲେ ଗାର୍ଡ ଅଫ୍ ଅନର୍ ଦିଆଯିବ। ନକ୍ସଲ ଗୁଳିରେ ଜଣେ ଗ୍ରାମରକ୍ଷୀଙ୍କ ମୃତ୍ୟୁ ହେଲେ ବି ଗାର୍ଡ ଅଫ୍ ଅନର୍ ଦିଆଯାଏ। କୋଭିଡ୍‌ରେ କେଉଁଠି ପୁଲିସ ଅଧିକାରୀଙ୍କ ମୃତ୍ୟୁହେଲେ ରାଜ୍ୟ ସରକାର ଯଦି ଘୋଷଣା କରୁଛନ୍ତି ତେବେ ଗାର୍ଡ ଅଫ୍ ଅନର ଦିଆଯାଉଛି। ଅତୀତରେ କୋଭିଡରେ ମୃତ ପୁଲିସ କର୍ମଚାରୀ ଏବଂ ଡାକ୍ତରଙ୍କୁ ବି ଦିଆଯାଇଛି। କାରଣ ସେମାନେ ସମ୍ମୁଖ କୋଭିଡ୍ ଯୋଦ୍ଧା। ଅନ୍ୟପଟେ ଦେବାଶିଷ ପାଣିଗ୍ରାହୀ ଜଣେ ବରିଷ୍ଠ ସରକାରୀ ଅଧିକାରୀ। କିନ୍ତୁ ଶ୍ରୀ ପାଣିଗ୍ରାହୀ ପୁଲିସ ବିଭାଗର ନୁହନ୍ତି। ଭିଜିଲାନ୍ସର ହୋଇଥିବାରୁ, ସେ ଜିଏ ବିଭାଗ ଅଧୀନରେ ଥିଲେ। ସରକାରୀ ଅଧିକାରୀଙ୍କୁ ପୂର୍ବରୁ ଗାର୍ଡ ଅଫ୍ ଅନର୍ ଦିଆଯାଇ ନାହିଁ। ଗୁରୁପ୍ରସାଦ ମହାପାତ୍ରଙ୍କୁ ବି ଦିଆଯାଇ ନାହିଁ। ଷ୍ଟେଟ୍ ଫ୍ୟୁନେରାଲ ଘୋଷଣା ନହେଲେ ଗାର୍ଡ ଅଫ୍ ଅନର୍ ଦିଆଯାଏ ନାହିଁ ବୋଲି ଶ୍ରୀ ପାଣିଗ୍ରାହୀ ସ୍ପଷ୍ଟ କରିଛନ୍ତି।

ଅନ୍ୟପଟେ ଅବସରପ୍ରାପ୍ତ ପୁଲିସ ଡିଜି ଗୋପାଳ ନନ୍ଦଙ୍କ କହିବା ଅନୁଯାୟୀ, ସହିଦମାନଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯିବାର ବ୍ୟବସ୍ଥା ରହିଛି। ଅନେକ ପୂର୍ବତନ ପୁଲିସ ଡିଜିଙ୍କୁ ପରଲୋକ ସମୟରେ ଗାର୍ଡ ଅଫ୍ ଅନର ଦିଆଯିବାର ନଜିର ନାହିଁ। ଦେବାଶିଷ ପାଣିଗ୍ରାହୀଙ୍କ କ୍ଷେତ୍ରରେ ଯଦି ସରକାର ଚାହିଁଥାନ୍ତେ ଦେଇପାରିଥାନ୍ତେ। ପୁଲିସ ବିଭାଗ କିମ୍ବା ସାହିତ୍ୟିକ ମହଲରୁ ଦାବି ଉଠିଥିଲେ ଭଲ ହୋଇଥାନ୍ତା ବୋଲି ଶ୍ରୀ ନନ୍ଦ କହିଛନ୍ତି।

ସମ୍ବନ୍ଧିତ ଖବର