ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ଅଧିକାରୀ, ସହଯୋଗୀ ଜରିଆରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ

ପୁଣି ଦୁର୍ନାମ ମୁଣ୍ଡାଇଲା ସମ୍ବଲପୁର ଭିଜିଲାନ୍ସ ଡିଭିଜନ

ସମ୍ବଲପୁର : କିଛିବର୍ଷ ବ୍ୟବଧାନରେ ପୁଣି ସମ୍ବଲପୁର ଭିଜିଲାନ୍ସ ଡିଭିଜନ ଦୁର୍ନାମ ମୁଣ୍ଡାଇଛି। ଜମି ଦୁର୍ନୀତି ମାମଲାରେ ଜଣେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଭିଜିଲାନ୍ସ ଇନ୍‌ସପେକ୍ଟର ପ୍ରବୀରକେଶରୀ ତ୍ରିପାଠୀ ଚାକିରିରୁ ନିଲମ୍ବିତ ହୋଇଥିବା ବେଳେ ଏଥର ସିଧାସଳଖ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭିଜିଲାନ୍ସ ଇନ୍‌ସପେକ୍ଟର ମାନସୀ ଜେନା। ଜଣେ ସରକାରୀ ଅଧିକାରୀଙ୍କ ମାମଲା ରଫାଦଫା କରିଦେବା ପାଇଁ ବରଗଡ଼ର ମୁକେଶ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଜରିଆରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ସେ ଧରାପଡ଼ିଛନ୍ତି।

ଭିଜିଲାନସ୍ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ଆଗରୁ ଭିଜିଲାନ୍ସରେ ପଡ଼ିଥିବା ଜଣେ ସରକାରୀ ଅଧିକାରୀଙ୍କ ମାମଲାର ତଦନ୍ତକାରୀ ଅଧିକାରୀ ଥିଲେ ଭିଜିଲାନ୍ସ ଇନ୍‌ସ୍ପେକ୍ଟର ମାନସୀ ଜେନା। ସଂପୃକ୍ତ ଅଧିକାରୀଙ୍କ ମାମଲା ରଫାଦଫା କରିବା ପାଇଁ ସେ ବରଗଡ଼ର ମୁକେଶ ସାହୁ ନାମକ ଜଣେ ବେସରକାରୀ ଲୋକଙ୍କ ଜରିଆରେ ମାନସୀ ୧୦ ଲକ୍ଷ ଟଙ୍କା ମାଗିଥିଲେ। ଆଜି ଅପରାହ୍ନ ୨ଟାରେ ମୁକେଶ ୧୦ ଲକ୍ଷ ଟଙ୍କା ଦେବାବେଳେ ଓଡ଼ିଶା ଭିଜିଲାନ୍ସର ଆଭ୍ୟନ୍ତରୀୟ ୟୁନିଟ୍(ଆଇଭିୟୁ) ହାତରେ ସେ ଧରାପଡ଼ିଥିଲେ। ମାନସୀଙ୍କ ନିର୍ଦ୍ଦେଶ ଅନୁସାରେ ମୁକେଶ ଏହି ଟଙ୍କା ଗ୍ରହଣ କରିଥିଲେ। ମାନସୀଙ୍କୁ ଦେବାପୂର୍ବରୁ ରାସାୟନିକ ପ୍ରଲେପ ଦିଆ ଏହି ଟଙ୍କା ସବୁକୁ ଭିଜିଲାସ୍ ଅଧିକାରୀମାନେ ଜବତ କରିଥିଲେ। ଏହାପରେ ମାନସୀଙ୍କ ସମ୍ବଲପୁର, ସୁନ୍ଦରଗଡ଼ ଏବଂ ଭୁବନେଶ୍ବରରେ ଥିବା ଘରେ ଚଢ଼ଉ କରାଯାଉଛି। ଏଥିସହିତ ମୁକେଶଙ୍କ ବରଗଡ଼ ବାସଭବନରେ ମଧ୍ୟ ଭିଜିଲାନ୍ସ ଚଢ଼ଉ ଜାରି ରହିଛି।

ଗତକାଲି ଅଭିଯୋଗକାରୀଙ୍କ ଏତଲା ଆଧାରରେ ଭିଜିଲାନ୍ସ ସେଲ୍‌ ପକ୍ଷରୁ ଧାରା ୭/୧୨ ପିସି ଆକ୍ଟ, ୧୯୮୮ ଅନୁସାରେ କେସ୍‌ ୫/୧୨.୫.୨୦୨୨ ରୁଜୁ କରାଯାଇଛି। ମାନସୀ ଏବଂ ମୁକେଶଙ୍କ ଜରିଆରେ ଅଧିକ ତଦନ୍ତ ଜାରି ରହିଛି। ଭିଜିଲାନ୍ସ ନିର୍ଦ୍ଦେଶକ ୱାଇ.କେ ଜେଠୱା କହିଛନ୍ତି ଯେ, ଭିଜିଲାନ୍ସ ଅଧିକାରୀମାନଙ୍କ ଉପରେ ଏବ‌େ ନଜର ରଖାଯାଇଛି। ଏଥିପାଇଁ ଭିଜିଲାନ୍ସ ନିର୍ଦ୍ଦେଶାଳୟରେ ଭିଜିଲାନ୍ସ ସେଲ୍ ଡିଭିଜନରେ ଏକ ଆଭ୍ୟନ୍ତରୀଣ ଭିଜିଲାନ୍ସ ୟୁନିଟ୍ ଖୋଲାଯାଇଛି। ଏହି ୟୁନିଟ୍ ଭିଜିଲାନ୍ସ ଅଧିକାରୀମାନଙ୍କ କାର୍ଯ୍ୟକଳାପ ଉପ‌ରେ ଦୃଷ୍ଟିରଖୁଛି। ଯିଏ ବି ଦୁର୍ନୀତି କରିବ, ତାଙ୍କ ବିରୋଧରେ ନିଶ୍ଚିତ ଭାବ‌େ କାର୍ଯ୍ୟାନୁ୍ଷ୍ଠାନ ନିଆଯିବ ବୋଲି ଭିଜିଲାନ୍ସ ନିର୍ଦ୍ଦେଶକ ଶ୍ରୀ ଜେଠୱା କହିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭିଜିଲାନ୍ସ ଇନ୍‌ସପେକ୍ଟର ପ୍ରବୀର କେଶରୀ ତ୍ରିପାଠୀ ମିଥ୍ୟ ସତ୍ୟପାଠ ଜରିଆରେ ନିଜ ପତ୍ନୀ, ଭାଇ, ଶଳା ଓ ଶ୍ବଶୁରଙ୍କ ନାମରେ ୪୦ ଡେସିମିଲ୍ ସରକାରୀ ଜମି ହାତେଇ ନେଇଥିଲେ। ଅବସରପ୍ରାପ୍ତ ଅତିରିକ୍ତ ସଚିବ ଅଶୋକ ପୁରୋହିତଙ୍କ ଅଭିଯୋଗକ୍ରମେ ଏହି ମାମଲାର ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଥିଲା। ‌ସେତ‌େବେଳେ ଏ ସଂପର୍କରେ ଲଗାତାର ‘ସମ୍ବାଦ’ରେ ଖବର ପ୍ରକାଶ ପରେ ମୁଖ୍ୟମନ୍ତ୍ରୀ ୨୦୧୫ ମସିହାରେ ଦୁର୍ନୀତି ଅଭିଯୋଗରେ ପ୍ରବୀରଙ୍କୁ ନିଲମ୍ବନ କରାଯିବା ସଂପର୍କରେ ‌ଘୋଷଣା କରିଥିଲେ। ଏହାପରେ ପ୍ରବୀରଙ୍କ ସହିତ ଘଟଣାରେ ସଂପୃକ୍ତ କେତେକ ସରକାରୀ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ହେଲେ, ଏଭଳି ସଂଗିନ ମାମଲାକୁ ନାଲିଫିତା ତ‌ଳେ ଚାପି ଦିଆଯାଇଥିବା ଅଭିଯୋଗକାରୀ ଅବସରପ୍ରାପ୍ତ ଅତିରିକ୍ତ ସଚିବ ଶ୍ରୀ ପୁରୋହିତ ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧିତ ଖବର