ଭୁବନେଶ୍ବର: ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ କୁବେର ଅଧିକାରୀ ଫସିଛନ୍ତି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଥିବା ଏହି ଅଧିକାରୀ ଜଣକ ହେଲେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବ୍ୟକ୍ତିଗତ ସଚିବ ରମେଶ ଚନ୍ଦ୍ର ଜେନା। ଆଜି ଭିଜିଲାନ୍ସର ୮ଟି ଟିମ୍ ୮ ଭିନ୍ନଭିନ୍ନ ସ୍ଥାନରେ ଚଢ଼ଉ କରିଛି। ମୋଟ ସମ୍ପତ୍ତିର ମୂଲ୍ୟ ଆକଳନ ସରିନାହିଁ। କିନ୍ତୁ ରି ପୋର୍ଟ ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ଶ୍ରୀ ଜେନାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୫କୋଟିରୁ ଅଧିକ ହେବ ବୋଲି କୁହାଯାଉଛି। ୧୯୯୦ ମସିହାରେ ଗୃହ ବିଭାଗରେ ଷ୍ଟେନୋରୁ ଚାକିରି ଆରମ୍ଭ କରିଥିବା ଶ୍ରୀ ଜେନାଙ୍କର ଭୁବନେଶ୍ବରରେ ୨ଟି ଦାମୀ କୋଠା ସହିତ ରାଜଧାନୀ, ପୁରୀ, କୋଣାର୍କରେ ୫ଟି ଦାମୀ ପ୍ଲଟ୍ ଥିବା ସ୍ପଷ୍ଟ ହୋଇଛି।
ରାଜଧାନୀରେ ୨ ବିଳାସପୂର୍ଣ୍ଣ କୋଠା, ବିଭିନ୍ନ ସହରରେ ୫ ଦାମୀ ପ୍ଲଟ୍
୫କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ସମ୍ପତ୍ତି ଠାବ, ୮ ଜାଗାରେ ଚଢ଼ଉ
ଆଜି ଭିଜିଲାନ୍ସ ଟିମ୍ ଶ୍ରୀ ଜେନାଙ୍କ ଭୁବନେଶ୍ବର କଳିଙ୍ଗନଗରସ୍ଥିତ ୨ମହଲା ବିଶିଷ୍ଟ ଆଲିସାନ୍ କୋଠା, ଗୋଠପାଟଣାସ୍ଥିତ ୩ମହଲା ବିଶିଷ୍ଟ ସୁଦୃ୍ଶ୍ୟ କୋଠାରେ ଚଢ଼ଉ କରିଥିଲା। ଗୋଠପାଟଣାସ୍ଥିତ ୩ମହଲା କୋଠା ୪୫୦୦ ବର୍ଗଫୁଟ୍ ଜମିରେ ଓ କଳିଙ୍ଗବିହାରସ୍ଥିତ ୨ମହଲା କୋଠା ୨୧୦୦ ବର୍ଗଫୁଟ୍ ଜମିରେ ଠିଆହୋଇଛି। ଗୋଠପାଟଣା କୋଠା ଓ କଳିଙ୍ଗବିହାର କୋଠାର ମୂଲ୍ୟ ଯଥାକ୍ରମେ ୨ କୋଟି ଓ ୧କୋଟି ହେବ ବୋଲି ଆକଳନ କରାଯାଇଛି। ସେହିଭଳି ବିଭିନ୍ନ ସହରରେ ପଡ଼ିଥିବା ୫ ପ୍ଲଟ୍ର ମୂଲ୍ୟ ୨କୋଟି ଟଙ୍କାରୁ ବହୁ ଅଧିକ ହେବ ବୋଲି ହିସାବ କରାଯାଇଛି। ଏହାବାଦ୍ ତାଙ୍କ ପାଖରୁ ୫.୫ ଲକ୍ଷ ଟଙ୍କାର ବୀମା ଓ ବଣ୍ଡ ଜବତ କରାଯାଇଛି। ଘରୁ ଜବତ ହୋଇଥିବା ସୁନା ଗହଣାର ଆନୁମାନିକ ମୂଲ୍ୟ ୯ ଲକ୍ଷରୁ ଅଧିକ ହେବ ବୋଲି କୁହାଯାଇଛି। ସେହିଭଳି ଗୋଟିଏ କାର୍ ଓ ଗୋଟିଏ ବାଇକ୍ ଠାବ କରାଯାଇଛି। ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶରେ ୮ ଡିଏସ୍ପି ୮ସ୍ଥାନରେ ଚଢ଼ଉ କରିଥିଲେ। ପୁରୀସ୍ଥିତ ପୈତୃକଘର ସମେତ ସରକାରୀ କାର୍ଯ୍ୟାଳୟ ଆଦି ସ୍ଥାନରେ ଚଢ଼ଉ କରାଯାଇଛି।
ଚଢ଼ଉରୁ ପୁଣି ଜଣାପଡ଼ିଛି ଯେ ଶ୍ରୀ ଜେନା ସରକାରୀ କ୍ବାର୍ଟର୍ସ ନେଇଥିଲେ ହେଁ ସେଠାରେ ରହୁନଥିଲେ। ଉକ୍ତ କ୍ବାର୍ଟର୍ସକୁ ସେ ମାସିକ ୧୨ ହଜାର ଟଙ୍କାରେ ଭଡ଼ା ସୂତ୍ରରେ ଦେଇଥିଲେ। ୨୦୨୧ ମସିହାରୁ ସେ ଭଡ଼ା ବାବଦରେ ସେ ୪.୮ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି। ଫୋନ୍ ପେ’ ଜରିଆରେ ସେ ଘର ଭଡ଼ା ପାଉଥିବାର ପ୍ରମାଣ ଭିଜିଲାନ୍ସ ହାତରେ ଲାଗିଛି। କେବଳ ସେତିକି ନୁହେଁ, କ୍ବାର୍ଟର୍ସର ପାର୍କିଂକୁ ବି ସେ ଛାଡ଼ିନଥିଲେ। ପାର୍କିଂକୁ ବି ଭଡ଼ାରେ ଲଗାଇଦେଇଥିଲେ। ଉକ୍ତ ଭଡ଼ା ଟଙ୍କାରେ ସେ ବିଦ୍ୟୁତ୍ ବିଲ୍ ପଇଠ କରୁଥିଲେ।