ଧର୍ମଶାଳା : ଧର୍ମଶାଳା ବ୍ଲକ ଅନ୍ତର୍ଗତ ତରଞ୍ଜିଆ ଗାଁ ପୋଖରୀ ପୁନରୁଦ୍ଧାର କାର୍ଯ୍ୟରେ ହୋଇଥିବା ଦୁର୍ନୀତିର ଗୁରୁବାର ଦିନ ଭିଜିଲାନ୍ସ ତଦନ୍ତ ହୋଇଛି। ଯାଜପୁର ଦୁର୍ନୀତି ନିବାରଣ ବିଭାଗର ଡିଏସ୍‌ପି ସୁଶିଲ୍ ଲେଙ୍କା ଓ ଇନସ୍‌ପେକ୍ଟର ଅନସୂୟା ସେନାପତି ଜାରକାସ୍ଥିତ ବ୍ଲକ କାର୍ଯ୍ୟାଳୟ ପହଞ୍ଚି ଏ ସଂପର୍କିତ କାଗଜପତ୍ର ଯାଞ୍ଚ କରିବା ସହିତ ବିଡିଓଙ୍କୁ ପଚରା ଉଚରା କରିଥିଲେ। ପରେ ଉଭୟ ଅଧିକାରୀ ତରଞ୍ଜିଆ ଗାଁ ପୋଖରୀ ବୁଲି ଦେଖିବା ସହିତ ଗ୍ରାମବାସୀଙ୍କୁ ପଚରାଉଚରା କରିଛନ୍ତି। ତେବେ ପୋଖରୀରେ ପାଣି ଥିବାରୁ ମାପଚୁପ କାର୍ଯ୍ୟ ହୋଇ ପାରିନାହିଁ। ଏହି ମାମଲାରେ ତତ୍କାଳୀନ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ମହାନ୍ତି, କନିଷ୍ଠ ଯନ୍ତ୍ରୀ ବ୍ରହ୍ମାନନ୍ଦ ପଣ୍ତା, ପିଇଓ ମହେଶ୍ବର ମହାନ୍ତି ଓ ପୂର୍ବତନ ସରପଞ୍ଚ ସୁଶାନ୍ତ ସେଠୀଙ୍କ ସମେତ ଅଭିଯୋଗକାରୀ ସର୍ବେଶ୍ବର ବେହୁରା ଗତ ୬ରୁ ୯ତାରିଖ ମଧ୍ୟରେ ଯାଜପୁର ଟାଉନ୍‌ସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟରେ ନିଜର ପକ୍ଷ ରଖିଥିଲେ।

Advertisment

ଅଭିଯୋଗରୁ ପ୍ରକାଶ ଯେ, ୨୦୧୯-୨୦ ଆର୍ଥିକ ବର୍ଷରେ ଯାଜପୁର କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ତରଞ୍ଜିଆ ପଞ୍ଚାୟତ ନୂଆ ପୋଖରୀର ପୁନରୁଦ୍ଧାର ପାଇଁ ୨୪ ଲକ୍ଷ ୯୯ ହଜାର ଟଙ୍କାର କାର୍ଯ୍ୟାଦେଶ ଦିଆଯାଇଥିଲା। ସେହିପରି ଏହି ସମୟରେ ଧର୍ମଶାଳା ପଞ୍ଚାୟତ ସମିତି ପକ୍ଷରୁ ମଧ୍ୟ ତରଞ୍ଜିଆ ନୂଆ ପୋଖରୀ ନାଁରେ ୩ ଲକ୍ଷ ୫୦ ହଜାର ଟଙ୍କାର କାର୍ଯ୍ୟାଦେଶ ଦିଆଯାଇଥିଲା। ସମାନ ଆର୍ଥିକ ବର୍ଷରେ କ୍ଷୁଦ୍ର ଜଳସେଚନ ବିଭାଗ ଏହି କାମ ପାଇଁ ଦାୟିତ୍ବରେ ଥିବା ଠିକାଦାରଙ୍କୁ ୧୭ ଲକ୍ଷ ୬୫ ହଜାର ୪୪୨ ଟଙ୍କା ପୈଠ କରିଥିବା ବେଳେ ପଞ୍ଚାୟତ ସମିତି ପକ୍ଷରୁ ମଧ୍ୟ ୩ ଲକ୍ଷ ୪୬ ହଜାର ୫ଶହ ଟଙ୍କା ଖର୍ଚ୍ଚ କରାଯାଇଥିବା ଜଣାପଡ଼ିଥିଲା। ଦୁଇଟି ବିଭାଗ ପକ୍ଷରୁ ଗୋଟିଏ ସମୟରେ ୨୧ ଲକ୍ଷ ୧୧ହଜାର ୯୪୨ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ପଞ୍ଚାୟତ ତରଫରୁ କିଛି କାମ ନହୋଇ ଟଙ୍କା ଉଠାଇ ନିଆଯାଇଥିବା ସୂଚନା ଅଧିକାର କର୍ମୀ ଶ୍ରୀ ବେହୁରା ଲୋକାୟୁକ୍ତଙ୍କ ନିକଟରେ ଅଭି​ଯୋଗ କରିଥିଲେ। ତତ୍କାଳୀନ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ପିଇଓ, ପୂର୍ବତନ ସରପଞ୍ଚଙ୍କୁ ଉତ୍ତର ରଖିବାକୁ ନୋଟିସ୍‌ ଜାରି କରିଥିଲେ। ତେବେ ସେମାନେ ଦେଇଥିବା ସ୍ପଷ୍ଟୀକରଣ ସନ୍ତୋଷଜନକ ହୋଇନଥିଲା। ଘୋଟାଲା ହୋଇଥିବା ସନ୍ଦେହରେ ଲୋକାୟୁକ୍ତ ଏହାର ତଦନ୍ତ ପାଇଁ ଭିଜିଲାନ୍ସ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଭିଜିଲାନ୍ସର ଦୁଇଜଣିଆ ଟିମ୍ ଆଜି ତଦନ୍ତ କରିଛନ୍ତି।