ଧରାପଡ଼ିବା ଭୟରେ ତାଲା ଖୋଲିଲେନି ବାପା-ପୁଅ, କବାଟ ଭାଙ୍ଗି ଘରେ ପଶିଲା ଭିଜିଲାନ୍ସ

ଯନ୍ତ୍ରୀଙ୍କ ଘରୁ ନଗଦ ୧୬.୭୦ ଲକ୍ଷ ଟଙ୍କା ଜବତ

ବ୍ରହ୍ମପୁର: ଭିଜିଲାନ୍ସ ପକ୍ଷରୁ ଆଜି ବ୍ରହ୍ମପୁରରେ ବଡଧରଣର ଚଢ଼ାଉ ଆରମ୍ଭ ହୋଇଛି | ଆଉ ଭିଜିଲାନ୍ସ ଜାଲରେ ପଡିଛନ୍ତି ବ୍ରହ୍ମପୁର ବିଦ୍ୟୁତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀ | ଜଣେ ଅତିରିକ୍ତ ଏସପି, ୪ ଜଣ ଡ଼ିଏସପି ଓ ୧୦ ଜଣ ଇନ୍ସପେକ୍ଟରଙ୍କୁ ନେଇ ଗଠିତ ଟିମ ଏବେ ଚଢ଼ାଉ ଜାରି ରଖିଥିବାବେଳେ ତାଙ୍କ ଘରୁ ନଗଦ ୧୬ ଲକ୍ଷ ୭୦ ହଜାର ଟଙ୍କା ଜବତ ହୋଇଛି |

ବ୍ରହ୍ମପୁର ବ୍ୟତୀତ ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ଅନ୍ୟ ସ୍ଥାନ ସହ ପୈତୃକ ବାସଭବନ, ଅଫିସରେ ମଧ୍ୟ ଚଢ଼ାଉ ଜାରି ରହିଛି | ମିଳିଥିବା ସୂଚନା ମୁତାବକ ବ୍ରହ୍ମପୁରର ଗଜପତି ଲେନରେ ଥିବା ଦୁଇଟି ଘର, ଭୁବନେଶ୍ୱରରେ ଥିବା ଚାରି ମହଲା ଘର, ଆମ୍ବପୁଆରେ ଥିବା ଅଫିସ, ଛତ୍ରପୁରର ପୁଟବଗଡରେ ଥିବା ପୈତୃକ ବାସଭବନରେ ମଧ୍ୟ ଚଢ଼ାଉ ଜାରି ରହିଛି |

ତେବେ ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଆଜି ଯେତେବେଳେ ଭିଜିଲାନ୍ସ ଟିମ ଚଢ଼ାଉ କରିବାକୁ ପହଂଚିଥିଲେ, ଜଗନ୍ନାଥ ସେଠୀ ଓ ତାଙ୍କ ପୁଅ ଭିତରୁ କବାଟ ଦେଇ ଖୋଲିନଥିଲେ | ଭିଜିଲାନ୍ସ ଟିମ ବାଧ୍ୟ ହୋଇ କବାଟ ଭାଙ୍ଗି ଘରେ ପଶିଥିଲା | ଭିଜିଲାନ୍ସକୁ ସହଯୋଗ ନ କରିବା ନେଇ ମଧ୍ୟ ମାମଲା ରୁଜୁ ହେବ ବୋଲି କୁହାଯାଇଛି |

ସମ୍ବନ୍ଧିତ ଖବର