ଜାଲରେ ପଡିଲେ ନବରଙ୍ଗପୁର ପିଡି, ୨ ଲକ୍ଷ ଟଙ୍କା ନେଇ ଯାଉଥିବାବେଳେ ମାଡିବସିଲା ଭିଜିଲାନ୍ସ

ନବରଙ୍ଗପୁର:ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଜିଲ୍ଲା ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟର ପ୍ରକଳ୍ପ ନିର୍ଦ୍ଦେଶକ ଲକ୍ଷ୍ମୀଧର ଜେନା | ସେ ଆଜି ଅପରାହ୍ନରେ ନିଜ କାର୍ଯ୍ୟାଳୟରୁ ୨ ଲକ୍ଷ ୨୦ ହଜାର ଟଙ୍କା ଧରି ୬୦୦ ମିଟର ଦୂରରେ ଡ୍ରିମ କଲୋନୀରେ ଥିବା ଭଡା ଘରକୁ ଅଫିସ ଗାଡ଼ିରେ ଫେରୁଥିବା ବେଳେ ଡିଆରଡିଏ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ନବରଙ୍ଗପୁର ଭିଜିଲାନ୍ସ ହାତରେ ଧରାପଡିଛନ୍ତି | ଏତେ ଗୁଡିଏ ଟଙ୍କା କେଉଁଠୁ ଆସିଲା ଏବଂ କାହା ଠାରୁ ଟଙ୍କା ନେଇଥିଲେ, ସେହି ପ୍ରଶ୍ନର ଉତ୍ତର ସନ୍ତୋଷଜନକ ନଦେବାରୁ ତାଙ୍କ ଭଡା ଘରେ ଚଢ଼ାଉ କରିବା ସହ ଭଡା ଘରୁ ଆଉ ଏକ ଲକ୍ଷ ଟଙ୍କା ମିଳିଥିଲା |

ସମୁଦାୟ ୩ ଲକ୍ଷ ୨୦ ହଜାର ଟଙ୍କାର ହିସାବ ଦେଇ ନପାରିବାରୁ ଲକ୍ଷ୍ମୀଧରଙ୍କୁ ନବରଙ୍ଗପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣି ଅଟକ ରଖି ପଚରାଉଚରା କରାଯାଉଛି | ଅନ୍ୟପଟେ ଆଉ ଗୋଟିଏ ଭିଜିଲାନ୍ସ ଟିମ ଭୁବନେଶ୍ୱର ତମାଣ୍ଡୋ ସ୍ଥିତ ଫାର୍ମାସି କଲେଜ ସମ୍ମୁଖ ତାଙ୍କ ବାସଗୃହରେ ଚଢ଼ାଉ ଜାରି ରଖିଛନ୍ତି | ଚଢ଼ାଉରେ ମାଲକାନଗିରି ଡିଏସପି ଏସ.କେ.ବିଶ୍ୱାଳ, ନବରଙ୍ଗପୁର ଭାରପ୍ରାପ୍ତ ଡ଼ିଏସପି କଲବତୀ ବାଗ, ଇନିସେପକ୍ଟର ଅନୁଭା ଦାସ, ଷ୍ଟେନୋ ଜି.ସୂର୍ଯ୍ୟ ପ୍ରକାଶ, କନେଷ୍ଟେବଲ ଟୋନି ସାହୁ ପ୍ରମୁଖ ରହିଥିଲେ । ତଦନ୍ତ ଜାରି ରହିଛି, ତଦନ୍ତ ପରେ ସବିଶେଷ ତଥ୍ୟ ଦିଆଯିବ ବୋଲି ଭିଜିଲାନସ ବିଭାଗ କହିଛି ।

ସମ୍ବନ୍ଧିତ ଖବର