ବାଲୁଗାଁ: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଭୁବନେଶ୍ୱର ଭିଜିଲାନ୍ସ ବିଭାଗ ଜାଲରେ ପଡ଼ିଛନ୍ତି ଅବକାରୀ ଏଏସ୍‌ଆଇ ସୁଦୀପ୍ତ କୁମାର ଦାଶ। ବାଲୁଗାଁ ଉମାମହେଶ୍ୱର ରୋଡ୍‌ରେ ଥିବା ଶ୍ରୀ ଦାଶଙ୍କ ଭଡ଼ା ଘର ଓ ବାଲୁଗାଁ ଅବକାରୀ ବିଭାଗ କାର୍ଯ୍ୟାଳୟରେ ଆଜି ସକାଳୁ ରେଡ୍ ଚାଲିଥିଲା। ଭୁବନେଶ୍ୱର ଭିଜିଲାନ୍ସ ଡିଏସପି ସୋମନାଥ ବାରିକ ଓ ଇନ୍ସପେକ୍ଟର ପ୍ରକାଶ ଚନ୍ଦ୍ର ପୃଷ୍ଟିଙ୍କ ମିଳିତ ନେତୃତ୍ୱରେ ୫ଟି ଟିମ୍‌ ଏହି ଚଢ଼ଉରେ ସାମିଲ ହୋଇଥିଲେ। ଚଢ଼ଉ ବେଳେ ଶ୍ରୀ ଦାଶଙ୍କ ନାଁରେ ନୟାଗଡ଼ରେ ଦୁଇଟି ଦୁଇ ମହଲା କୋଠା ଓ ୬ଟି ଜାଗାର କାଜଗପତ୍ର, ନଗଦ ୧.୩୫ ଲକ୍ଷ ଟଙ୍କା, ଏକ ମହିନ୍ଦ୍ର ବଲେରୋ ଗାଡ଼ି, ତିନିଟି ଦୁଇ ଚକିଆ ଗାଡ଼ି, ଲକ୍ଷ ଲକ୍ଷ ଟଙ୍କାର ଜୀବନ ବୀମା ଓ ୩୦୦ ଗ୍ରାମ୍ ସୁନା ଜବତ ହୋଇଥିଲା। ଭିଜିଲାନ୍ସ ଟିମ୍ ଖୋଳତାଡ଼ ଜାରି ରଖିଥିଲା ବେଳେ ତାଙ୍କ ନାଁରେ ଆହୁରି ଅନେକ ସମ୍ପତ୍ତିର ପର୍ଦ୍ଦାଫାସ୍ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

Advertisment

ଶ୍ରୀ ଦାଶଙ୍କ ନାମରେ ପୂର୍ବରୁ ମାଳମାଳ ଅଭିଯୋଗ ଥିଲା। ଏପରିକି ଦୁର୍ନୀତିରେ ଲିପ୍ତ ରହିଥିବାରୁ ଅତୀତରେ ସେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କଠାରୁ ମଧ୍ୟ ଦଣ୍ଡିତ ହୋଇଥିବା ବିଭାଗୀୟ ପକ୍ଷରୁ ସୂଚନା ମିଳିଛି। ମାସକ ତଳେ ବାଲୁଗାଁର ବିଭିନ୍ନ ଦୋକାନରୁ ବିଭାଗୀୟ ଅଧିକାରୀଙ୍କ ନାମରେ ଧମକଚମକ ଦେଇ ଅର୍ଥ ଆଦାୟ କରିବା ଘଟଣା ନଜରକୁ ଆସିବା ପରେ ଏଥିରୁ ନିବୃତ୍ତ ରହିବା ପାଇଁ ମଧ୍ୟ ବରିଷ୍ଠ ଅଧିକାରୀମାନେ ତାଙ୍କୁ ତାଗିଦ କରିଥିବା ଜଣାପଡ଼ିଛି। ତେବେ ଏହାକୁ ନମାନି ଗତ କିଛିଦିନ ତଳେ ପୁଣି ଥରେ ସେ ଏହି କାମରେ ଲିପ୍ତ ରହିଥିଲେ। ସୂଚନାଯୋଗ୍ୟ ଯେ ନୟାଗଡ଼ସ୍ଥିତ ଶଗଡ଼ିଆ ସାହିର ଗଙ୍ଗାଧର ଦାଶଙ୍କ ପୁଅ ସୁଦୀପ୍ତ କୁମାର ଦାଶ ୨୦୦୬ କନେଷ୍ଟବଳ ଭାବେ ନିଯୁକ୍ତି ପାଇଥିବା ବେଳେ ୨୦୧୯ରେ ପଦୋନ୍ନତି ପାଇ ଏଏସ୍‌ଆଇ ହୋଇଥିଲେ। ଏହା ପରେ ଅବକାରୀ ବିଭାଗକୁ ଯାଇଥିଲେ।