ବ୍ରହ୍ମପୁର: ପୁଣି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉଜଣେ ଯନ୍ତ୍ରୀ। ସେ ହେଲେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଳସେଚନ ବିଭାଗ ବାଘୁଆ ପ୍ରକଳ୍ପର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁ ଚରଣ ସାହୁ। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ସକାଳେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ବିଷ୍ଣୁ ଚରଣ ସାହୁଙ୍କ ବ୍ରହ୍ମପୁର ବାସଭବନ ସମେତ ଗଞ୍ଜାମ ଜିଲ୍ଲାର ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି।
ବ୍ରହ୍ମପୁର ଭିଜିଲାନ୍ସର ସ୍ବତନ୍ତ୍ର ଜଜଙ୍କ ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟର କ୍ଷମତା ଉପରେ ଜଣେ ଅତିରିକ୍ତ ଏସ୍.ପି, ୪ ଡିଏସପି, ୯ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଏହି ଚଢ଼ାଉ ଜାରି ରହିଛି। ଏନେଇ ବିସ୍ତୃତ ବିବରଣୀକୁ ଅପେକ୍ଷା କରାଯାଇଛି।
ସୂଚନାଯୋଗ୍ୟ, ଗତକାଲି ଭଦ୍ରକ ସାଳନ୍ଦୀ କେନାଲ୍ ଡିଭିଜନ୍ର ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀମନ୍ତ ସେଠୀଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଗୁରୁବାର ସକାଳେ ଶ୍ରୀ ସେଠୀ ତାଙ୍କ ଭିଣୋଇ କରୁଣାକର ସେଠୀଙ୍କୁ ନିଜ ସରକାରୀ ବାସଭବନକୁ ଡାକି ନଗଦ ୫ ଲକ୍ଷ ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ଟିମ୍ ସେଠାରେ ଅତର୍କିତ ଚଢ଼ାଉ କରି ତାଙ୍କଠାରୁ ଉକ୍ତ ଟଙ୍କା ଜବତ କରିଥିଲେ। ଏତେ ପରିମାଣର ଟଙ୍କା ସେ କେଉଁଠୁ ଆଣିଲେ ଓ ତାଙ୍କ ଭିଣୋଇଙ୍କୁ କାହିଁକି ଦେଉଥିଲେ, ସେ ସଂପର୍କରେ ଗୁଡ଼େଇତୁଡ଼େଇ ପ୍ରଶ୍ନ କରିଥିଲା ଭିଜିଲାନ୍ସ । ହେଲେ, ଶ୍ରୀ ସେଠୀ କିଛି ଉତ୍ତର ରଖି ପାରିନଥିଲେ। ପରେ ଭିଜିଲାନ୍ସ ପକ୍ଷରୁ ଭଦ୍ରକ ବାଇପାସ୍ସ୍ଥିତ ତାଙ୍କ ସରକାରୀ କାର୍ଯ୍ୟାଳୟ, ସରକାରୀ ବାସଭବନ, ଭୁବନେଶ୍ବର ଡେଲ୍ଟା କଲୋନିରେ ଥିବା ସରକାରୀ ବାସଭବନ, ବାଲେଶ୍ବର ସହର ଅଙ୍ଗାରଗଡ଼ିଆରେ ଥିବା ନିଜ ଘର ଓ ଶ୍ବଶୁର ଘର, ସୁନହଟରେ ରହୁଥିବା ଭିଣୋଇ ଘର ଓ ବାଲେଶ୍ବର ସଦର ବ୍ଲକ୍ ଆଳଦିଆଠାରେ ଥିବା ପୈତୃକ ଘରେ ଏକକାଳୀନ ଚଢ଼ାଉ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/Engineer-Caught-With-Vigillance_Thumbnail.jpg)