ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୁଚିଣ୍ଡା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ

କୁଚିଣ୍ଡା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଜିତେନ୍ଦ୍ର କୁମାର ମହାପାତ୍ରଙ୍କ ଭଡ଼ା ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ ଜାରି ରହିଥିବାର ସୂଚନା ମିଳିଛି। ୫ଟି ଭିଜିଲାନ୍ସ ଟିମ୍‌ ଏକା ସଙ୍ଗରେ ଚଢ଼ଉ କରିଛନ୍ତି। ଭିଜିଲାନ୍ସର ସ୍ବତନ୍ତ୍ର ଜଜଙ୍କ ନିର୍ଦେଶକ୍ରମେ ଏହି ଚଢ଼ଉ କରାଯାଉଛି।
ଆଜି ସକାଳେ ଝାରସୁଗୁଡ଼ା ସହରର ଗୁଜରାଟିପଡ଼ାରେ ଜିତେନ୍ଦ୍ର ରହୁଥିବା ଭଡ଼ା ଘର ସହ କୁଚିଣ୍ଡା ବିଜ୍ଞପିତ ଅଞ୍ଚଳ ପରିଷଦର କାର୍ଯ୍ୟାଳୟ, ଝାରସୁଗୁଡ଼ାର ଭଦେଇମୁଣ୍ଡାସ୍ଥିତ ଘର, ସମ୍ବଲପୁରର ଅଇଁଠାପାଲିଠାରେ ଥିବା ଘର ଓ କୋଲାବିରାରେ ଥିବା ପୈତୃକ ଘର ଆଦି ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ଉ ହୋଇଛି।

ଜିତେନ୍ଦ୍ର କୁମାର ମହାପାତ୍ରଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ଆଗରୁ ଅଭିଯୋଗ ଥିଲା। ସମ୍ୱଲପୁର ଭିଜିଲାନ୍ସ ଏସ୍‌ପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ୫ଟି ଜାଗାରେ ଚଢ଼ଉ ଚାଲିଥିବା ଜଣାଯାଇଛି।ତେବେ ଏହି ଚଢ଼ଉ ବେଳେ କେତେ ଟଙ୍କାର ସଂପତ୍ତି ମିଳିଛି ସେନେଇ କିଛି ସୂଚନା ମିଳିପାରି ନାହିଁ।

ଅନ୍ୟ ଏକ ଘଟଣାକ୍ରମେ ଆଜି ନବରଙ୍ଗପୁର ଆଞ୍ଚଳିକ ପରିବହନ ଅଧିକାରୀ ଗଣେଶ୍ବର କହଁରଙ୍କ  ଭଡ଼ାଘର ଓ କାର୍ଯ୍ୟାଳୟ ସମେତ କେତେକ ସ୍ଥାନରେ ଏକକାଳୀନ ଭିଜିଲାନ୍ସ୍ ଚଢ଼ଉ ଚାଲିଥିବାର ଖବର ହସ୍ତଗତ ହୋଇଛି। ତାଙ୍କର ଫୁଲବାଣୀରେ ଥିବା ଘର ,ଭୁବନେଶ୍ବରର ଘର ଏବଂ ପାରଳାଖେମୁଣ୍ଡିଠାରେ ଥିବା ଘର ଉପରେ ବି ଏକକାଳୀନ ଚଢ଼ଉ ଜାରି ରହିଛି।

ନବରଙ୍ଗପୁର ଆଞ୍ଚଳିକ ପରିବହନ ଅଧିକାରୀ ଗଣେଶ୍ବର କହଁରଙ୍କ  ନାମରେ ବିପୁଳ ଲାଞ୍ଚ କାରବାରର ଅଭିଯୋଗ ଆସିବା ପରେ ଏହି ଚଢ଼ଉ କରାଯାଉଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର