ପୁରୀର ଭାରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ବସନ୍ତ ମହାନ୍ତିଙ୍କ ବାସଭବନ ଓ ସରକାରୀ କାର୍ଯ୍ୟାଳୟ ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

ପୁରୀ/ରାଜନଗର: ପୁରୀର ଭାରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ଥିବା ବସନ୍ତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆଜି ସକାଳୁ ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ ହେଉଛି। ବସନ୍ତ ମହାନ୍ତିଙ୍କ ପୁରୀ ବାସଭବନ ଓ ସରକାରୀ କାର୍ଯ୍ୟାଳୟ ସମେତ ୮ଟି ସ୍ଥାନରେ ଚଢାଉ ଜାରି ରହିଛି। ତାଙ୍କର ଫ୍ରେଣ୍ଡସ କ୍ଲବରେ ୨ଟା ଘର, ପେଣ୍ଠକଟାରେ ଗୋଟିଏ ଘର, ବାଲିଘାଟରେ ସମ୍ପର୍କୀୟଙ୍କ ଘର, ପୁରୀରେ ଦୁଇଟି ସରକାରୀ କାର୍ଯ୍ୟାଳୟ ଓ କେନ୍ଦ୍ରାପଡ଼ାର ରାଜନଗର ବ୍ଲକ କୁରୁଣ୍ଟି ପଞ୍ଚାୟତରେ ଥିବା ତାଙ୍କ ପୈତୃକ ବାସଭବନରେ ଚଢ଼ାଉ ଚାଲିଛି।

Sambad

ଏଣେ ବସନ୍ତ କୁମାର ମହାନ୍ତିଙ୍କ ଭାଇ ସମିତିସଭ୍ୟ ସନ୍ତୋଷ କୁମାର ମହାନ୍ତିଙ୍କ ବାସଭବନରେ ଆଜି ସକାଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ପୁରୀ ଜିଲ୍ଲାରେ ରାଜସ୍ବ ନିରୀକ୍ଷକ ଥିବା ସନ୍ତୋଷଙ୍କ ଭାଇ ବସନ୍ତ କୁମାର ମହାନ୍ତି ଆୟ ବହିର୍ଭୁତ ସମ୍ପତି ଠୁଳ କରିଥିବା ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି। ଭୁବନେଶ୍ୱର ଭିଜିଲାନ୍ସ ବିଭାଗର ଇନିସ୍ପେକ୍ଟର ଶିବ ନାରାୟଣ ଭଦ୍ରଙ୍କ ନେତୃତ୍ୱରେ ୫ ଜଣିଆ ଭିଜିଲାନ୍ସ ଟିମ କୁରୁଣ୍ଟିରେ ଚଢ଼ାଉ କରିଛି। ମିଳିତ ଭାବେ ଥିବା ଏକ କୋଠା ଘର ସହ କିଛି ଜମି କାଗଜପତ୍ର ମିଳିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।
ତାଙ୍କ ବିରୁଦ୍ଧରେ ଜମି କିଣାବିକାରେ ସଂପୃକ୍ତି, ମୁଲ୍ୟବାନ ଜମିର ବେଆଇନ ଭାବେ କିସମ ପରିବର୍ତ୍ତନ, ଜମି ଅଦଳବଦଳ ଆଦି ଅନେକ ବେଆଇନ କାର୍ଯ୍ୟ ନେଇ ବାରମ୍ବାର ଅଭିଯୋଗ ଆସିଥିଲା। ଖାଲି ସେତିକି ନୁହେଁ, ବସନ୍ତ କୁମାର ମହାନ୍ତିଙ୍କ ବିରୁଦ୍ଧରେ ମୂଷା ନଈ ଜମି ଦୁର୍ନୀତି ଘଟଣାରେ ବି ସମ୍ପୃକ୍ତି ଅଭିଯୋଗ ହୋଇଆସୁଛି।

ସୂଚନାଯୋଗ୍ୟ, ସେ ଅବସର ଗ୍ରହଣ କରିବା ପରେ ପୁନଃ ଅବସ୍ଥାପିତ ହୋଇଛନ୍ତି। ଶ୍ରୀମନ୍ଦିର ସୁରକ୍ଷା ପ୍ରାଚୀର ନେଇ ୭୫ ମିଟର ମାପଚୁପ ଲାଗି ବି ବସନ୍ତ ମହାନ୍ତିଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଥିଲା।

ସମ୍ବନ୍ଧିତ ଖବର