ଅନୁଗୁଳରେ କୋଟିପତି କିରାଣି, ଏକକାଳୀନ ସାତ ଜାଗାରେ ଚଢ଼ଉ

ରାଜଧାନୀରେ ଜମି ସହିତ କୋଟିଏ ୧୩ ଲକ୍ଷର ସମ୍ପତ୍ତି ଠାବ

ଅନୁଗୁଳ/ଆଠମଲ୍ଲିକ : ଆର୍‌ଡବ୍ଲୁଏସ୍ଏସ୍‌ ଅନୁଗୁଳ ସବ୍‌ ଡିଭିଜନର କନିଷ୍ଠ କିରାଣି ରୋହିତାଶ୍ବ ବାଘଙ୍କ ଘରେ ଆଜି ଭିଜିଲାନ୍‌ସ ଚଢ଼ଉ ହୋଇଛି। କଟକ ଭିଜିଲାନ୍‌ସ ମୁଖ୍ୟାଳୟର ନିର୍ଦ୍ଦେଶ କ୍ରମେ ସାତ ଜଣ ଭିଜିଲାନ୍‌ସ ଅଫିସର ସାତଟା ଜାଗାରେ ଏକକାଳୀନ ଚଢ଼ଉ କରି ପ୍ରାୟ କୋଟିଏ ୧୩ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଛନ୍ତି। ଚାକିରି ଜୀବନ କାଳରେ ସରକାରଙ୍କଠାରୁ ପ୍ରାୟ ୩୫ଲକ୍ଷ ଟଙ୍କା ପାଇଥିବାବେଳେ ସେ କେମିତି ଏତେ ବିପୁଳ ସମ୍ପତ୍ତିର ମାଲିକ ହେଲେ ତାହାକୁ ନେଇ ଭିଜିଲାନ୍‌ସ ଖୋଳତାଡ଼ ଆରମ୍ଭ କରିଛି।

ଭିଜିଲାନ୍‌ସ ତଥ୍ୟ ମୁତାବକ, ଆର୍‌ଡବ୍ଲୁଏସ୍‌ଏସ୍‌ ଅନୁଗୁଳ ସବ୍‌ ଡିଭିଜନର ଆସିଷ୍ଟାଣ୍ଟ୍‌ ଇଞ୍ଜିନିୟରଙ୍କ ଅଫିସ୍‌ରେ କିରାଣି ଚାକିରି କରୁଥିବା ଶ୍ରୀ ବାଘଙ୍କ ନାମରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିଥିଲା। ଅଭିଯୋଗ କ୍ରମେ ଭିଜିଲାନ୍‌ସର କେନ୍ଦ୍ରାପଡ଼ା ଡିଏସ୍‌ପି ସୁରେନ୍ଦ୍ର ରାୟଗୁରୁଙ୍କ ନେତୃତ୍ବରେ ସାତ ଜଣ ଅଫିସର ବୌଦ୍ଧ ଜିଲ୍ଲାଠାରୁ ଆରମ୍ଭ କରି ଅନୁଗୁଳ, ଆଠମଲ୍ଲିକ ଆଦି ସାତଟି ଜାଗାରେ ତଲାସି କରିଥିଲେ। ଆଠମଲ୍ଲିକ ଥାନା ନୂଆସାହି ଗାଁରେ ତାଙ୍କର ତିନି ମହଲା ଘର ଠାବ ହୋଇଥିଲା। ଯାହାର ମୂଲ୍ୟ ପ୍ରାୟ ଅଧା କୋଟି(୫୬ଲକ୍ଷ) ଟଙ୍କା ହେବ ବୋଲି ଭିଜିଲାନ୍‌ସ ଅନୁମାନ ଲଗାଇଛି। ସେହି ତିନି ମହଲା ଘରେ ପ୍ରାୟ ୩ଲକ୍ଷ ଟଙ୍କାର ଏକ ପାଣି ପାଉଚ୍ ଫ୍ୟାକ୍ଟ୍ରି, ଟାଙ୍ଗିଆନିଶାରେ ୫ଲକ୍ଷ ଟଙ୍କାର କୁକୁଡ଼ା ଫାର୍ମ, ବୌଦ୍ଧ ପିଡବ୍ଲୁଡି ଅଫିସ୍‌ ନିକଟରେ ଥିବା ପ୍ରାୟ ସାଢ଼େ ଚାରି ଲକ୍ଷ ଟଙ୍କାର ୱାଟର ବଟଲିଂ ପ୍ଲାଣ୍ଟ୍‌ ସମେତ ଭୁବନେଶ୍ବର, ଖୋର୍ଦ୍ଧାର କଲ୍ୟାଣପୁର ଓ ଆଠମଲ୍ଲିକର ହରିଡ଼ାନାଳି, ଟାଙ୍ଗିଆନିଶା, କମଲପୁର ଅଞ୍ଚଳରେ ପ୍ରାୟ ୫ଏକରର ଜମି ଠାବ ହୋଇଛି। ଯାହାର ମୂଲ୍ୟ ପ୍ରାୟ ୩୭ଲକ୍ଷ ଟଙ୍କା ହେବ ବୋଲି ଭିଜିଲାନ୍‌ସ ଆକଳନ କରିଛି। ସେହିପରି ବ୍ୟାଙ୍କ୍‌ରେ ଦେଢ଼ ଲକ୍ଷ ଟଙ୍କାର ଜମା ରହିଥିବା ବେଳେ ନଗଦ ୭ହଜାର ଟଙ୍କା ଚଢ଼ଉ ବେଳେ ଠାବ କରାଯାଇଥିବା ଭିଜିଲାନ୍‌ସ ସୂତ୍ରରୁ ଜଣାପଡ଼ିଛି। ମୋଟାମୋଟି ହିସାବ କଲେ, ଏହି ସମ୍ପତ୍ତିର ମୂଲ୍ୟ ପ୍ରାୟ କୋଟିଏ ୧୩ଲକ୍ଷ ଟଙ୍କା ହେବ । ସେହିପରି ଶ୍ରୀ ବାଘଙ୍କର ଦରମାର ଆୟ ବି ହିସାବ କରିଛି ଭିଜିଲାନ୍‌ସ। ସେ ପ୍ରାୟ ୩୫ଲକ୍ଷ ଟଙ୍କା ଆୟ କରିଥିବା ଭିଜିଲାନ୍‌ସ ଆକଳନ କରୁଥିବା ବେଳେ କୋଟିଏ ଟଙ୍କାର ସମ୍ପତ୍ତି ସେ କେମିତି ଠୁଳ କଲେ ତାହାର ଟିକିନିକି ଖୋଳତାଡ଼ କରାଯାଉଛି।

ସମ୍ବନ୍ଧିତ ଖବର