ଭିଜିଲାନ୍ସ ପଞ୍ଝାରେ ଗ୍ରାମ୍ୟ ନିର୍ମାଣ ଯନ୍ତ୍ରୀ: ଟଙ୍କା ଗଦିରେ ଶୋଉଥିଲେ, ୭ କୋଟିର ସମ୍ପତ୍ତି ଠାବ

ମିଳିଲା ନଗଦ ପ୍ରାୟ ୨୦ ଲକ୍ଷ/କବାଟ କିଳିଦେଲେ ପୁଅ, ଭାଙ୍ଗିକି ପଶିଲା ଭିଜିଲାନ୍ସ

ଭୁବନେଶ୍ବରରେ ଆଲିସାନ୍ କୋଠା, କବାଟରେ ସେନସର୍ ଲକ୍‌
ପଞ୍ଚ ତାରକା ହୋଟେଲ୍ ଭଳି ଆସବାବପତ୍ର, ଚାଲିଛି ଆକଳନ
୩ କୋଠା, ୧୨ ପ୍ଲଟ୍, ୮୫ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ମିଳିଲା

ଭୁବନେଶ୍ବର/ବ୍ରହ୍ମପୁର : ଟଙ୍କା ଗଦିରେ ଶୋଉଥିଲେ। ଗଦି ତଳେ ବିଛା ଯାଇଥିଲା ବିଡ଼ା ବିଡ଼ା ନୋଟ୍। ବ୍ରହ୍ମପୁର ଗ୍ରାମ୍ୟ ନିର୍ମାଣ(ଇଲେକ୍ଟିକାଲ୍) ଡିଭିଜନର ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ ବେଳେ ଏଭ​ଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ସେହିପରି ଭୁବନେଶ୍ବର ଏମ୍ସ ନଗରରେ ଥିବା ୪ ମହଲା ଆଲିସାନ୍ କୋଠାରେ ଚଢ଼ଉ କରିଥିବା ଟିମ୍‌କୁ କଡ଼ା ପ୍ରତିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଜଗନ୍ନାଥଙ୍କ ପୁଅ କବାଟ କିଳି ଦେଇଥିଲେ। ଭିଜିଲାନ୍ସ ଟିମ୍ ସର୍ଚ୍ଚ ୱାରେଣ୍ଟ ଦେଖାଇଥିଲେ ମଧ୍ୟ କବାଟ ଖୋଲି ନ ଥିଲେ। କିଛି ସମୟ ଧରି ଚାଲିଥିଲା ପାଟିତୁଣ୍ଡ। ଶେଷରେ ଚଢ଼ଉ କରିବାକୁ ଯାଇଥିବା ଟିମ୍ କବାଟ ଭାଙ୍ଗି ଭିତରେ ପଶିବା ପରେ ପଞ୍ଚତାରକା ହୋଟେଲ ଭଳି ସୋଫା, ଖଟ, ଡାଇନିଂ ଟେବୁଲ, ଇଣ୍ଟରିଅର ଡିଜାଇନ୍ ଦେଖି ତାଜୁବ୍ ହୋଇ ଯାଇଥିଲା। ବୁଧବାର ଦିନତମାମ୍ ଚଢ଼ଉରେ ୭ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇଛି। ଜଗନ୍ନାଥଙ୍କୁ ଭିଜିଲାନ୍ସ ହେପାଜତକୁ ନେଇ ଜେରା ଆରମ୍ଭ କରିଛି। ଜଗନ୍ନାଥ ଶୋଉଥିବା ଖଟର ଗଦି ତଳୁ ପ୍ରଥମେ ନଗଦ ୧୬ ଲକ୍ଷ ୭୦ ହଜାର ଟଙ୍କା ମିଳିଥିଲା।

ପରେ ଘରୁ ଆହୁରି ୩ ଲକ୍ଷରୁ ଅଧିକ ଟଙ୍କା ମିଳିଛି। ମୋଟ ୧୯ ଲକ୍ଷ ୮୮ ହଜାରରୁ ଅଧିକ ଟଙ୍କା ଜବତ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଟିମ୍ ଜଗନ୍ନାଥଙ୍କ ଛତ୍ରପୁର ପୁଟବଗଡ଼ରେ ଥିବା ପୈତୃକ ଘର, ଆମ୍ବପୁଆରେ ଥିବା ଅଫିସ ସମେତ ୫ଟି ଜାଗାରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ବ୍ରହ୍ମପୁର ଗଜପତି ନଗର ଲେନ୍-୮ରେ ଥିବା ୪ ମହଲା କୋଠାର ମୂଲ୍ୟ ୯୦ ଲକ୍ଷ ଟଙ୍କା, ଲେନ୍-୧୧ରେ ଥିବା ୫ ମହଲା କୋଠାର ମୂଲ୍ୟ କୋଟିଏ ୬୮ ଲକ୍ଷ ଟଙ୍କା, ଏମ୍ସ ନଗରରେ ଥିବା ୪ ମହଲା ଆଲିସାନ୍ କୋଠାର ମୂଲ୍ୟ ଦେଢ଼ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସେଠାରେ ଲାଗିଥିବା ଦାମୀ ଆସବାବପତ୍ର, ଇଣ୍ଟରିଅର୍ ଡେକୋରେସନର ମୂଲ୍ୟ ଆକଳନ ଜାରି ରହିଛି।

ସେହିପରି ଜଗନ୍ନାଥଙ୍କର ଭୁବନେଶ୍ବର, ବ୍ରହ୍ମପୁର, ଜଟଣୀରେ ମୂଲ୍ୟବାନ ୧୨ଟି ଜମିର କାଗଜପତ୍ର ମିଳିଛି। ରେଜିଷ୍ଟ୍ରେସନ ଅନୁସାରେ ଏହି ଜମିର ମୂଲ୍ୟ ୧ କୋଟି ୩୪ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। କିନ୍ତୁ ବଜାର ମୂଲ୍ୟରେ ବହୁ ଗୁଣା ହେବ ବୋଲି ଜଣାପଡ଼ିଛି। ସେହିପରି ବ୍ୟାଙ୍କ ଆକାଉଣ୍ଟରେ ୮୫ ଲକ୍ଷ ଟଙ୍କା ରହିଛି। ୨୫ଲକ୍ଷ ଟଙ୍କାର ଦୁଇଟି ଏସ୍‌ୟୁଭି କାର୍ ରହିଛି। ୨ଲକ୍ଷ ୭୭ହଜାର ଟଙ୍କାର ୩ଟି ଦୁଇ ଚକିଆ ଗାଡ଼ି ମଧ୍ୟ ଠାବ କରାଯାଇଛି। ପୈତୃକ ଘର ମୂଲ୍ୟ ୯ ଲକ୍ଷ ୫୫ ହଜାର ଟଙ୍କା ହେବ ବୋଲି ଆକଳନ ହୋଇଛି। ଇଣ୍ଟେରିଅର ଡେକୋରେସନ, ଦାମୀ ଆସବାବପତ୍ରର ହିସାବପତ୍ର ଚାଲୁଥିବାରୁ ସମ୍ପତ୍ତି ପରିମାଣ ଆହୁରି ଅଧିକ ହେବ ବୋଲି ଅନୁମାନ କରାଯାଉଛି। ସେହିପରି ଭିଜିଲାନ୍ସ ଟିମକୁ ଜଗନ୍ନାଥଙ୍କ ପୁଅ ବାଧା ଦେଇଥିବାରୁ ଏ ନେଇ ମାମଲା ରୁଜୁ ହେବ କି ନାହିଁ ସେ ସମ୍ପର୍କରେ ଆଇନଗତ ବିଚାରବିମର୍ଶ ଜାରି ରହିଛି।

ସମ୍ବନ୍ଧିତ ଖବର