ଜିଆର୍‌ଏସ୍‌ଙ୍କ ଠାରୁ ନଗଦ ୧୮ ଲକ୍ଷ ଜବତ, ୬୩.୮୬ ଲକ୍ଷର ସମ୍ପତ୍ତି ଆକଳନ କଲା ଭିଜିଲାନ୍ସ

ନବରଙ୍ଗପୁର/ଉମରକୋଟ : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ସିଂସାରୀ ଓ ଭଣ୍ଡାରୀଗୁଡ଼ା ପଞ୍ଚାୟତର ଗ୍ରାମ ରୋଜଗାର ସେବକ ହିମାଞ୍ଚଳ ବାଘଙ୍କ ଘରେ ଚଢ଼ଉ କରି ଭିଜିଲାନ୍ସ। ଏହି ଚଢ଼ଉରେ ନଗଦ ୧୭ଲକ୍ଷ ୮୬ହଜାର ମିଳିଥିବା ବେଳେ ଜିଆରଏସ୍‌ଙ୍କ ମୋଟ ସଂପତ୍ତି ୬୩.୮୬ ଲକ୍ଷ ହେବ ବୋଲି ଆକଳନ କରାଯାଇଛି। ଅନ୍ୟ କେଉଁଠ କ’ଣ ସଂପତ୍ତି ରହିଛି, ତାହାର ସନ୍ଧାନ ଜାରି ରଖିବା ସହ ଜିଆରଏସ୍‌ଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଥିବା ଜଣାପଡ଼ିଛି।

ପୂର୍ବରୁ ଜିଆରଏସ ହିମାଞ୍ଚଳ ବାଘଙ୍କ ବିରୋଧରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ନେଇ ଅଭିଯୋଗ ରହିଥିଲା। ତେଣୁ ଆଜି ଭୋର ସମୟରେ ଭିଜିଲାନ୍ସ ପକ୍ଷରୁ ଗଠିତ ତିନୋଟି ଟିମ୍ ଅତର୍କିତ ଚଢ଼ଉ କରିଥିଲା। ହିମାଞ୍ଚଳଙ୍କ ଉମରକୋଟ ଭଗବତୀ ନଗର ସ୍ଥିତ ବାସଭବନ, ଜଣେ ସଂପର୍କୀୟଙ୍କ ଭଡ଼ାଘର ସହ ସିଂସାରୀ ପଞ୍ଚାୟତ କାର୍ଯ୍ୟାଳୟରେ ଏକକାଳୀନ ଏହି ଚଢ଼ଉ ହୋଇଥିଲା। ବାସଭବନରେ ଚଢ଼ଉ ସମୟରେ ଗୋଟିଏ ମୁଣିରୁ ନଗଦ ୧୭ଲକ୍ଷ ୮୬ ହଜାର ଟଙ୍କା ମିଳିଥିଲା। ସେହିପରି ଅନ୍ୟ କାଗଜପତ୍ରକୁ ଯାଞ୍ଚ କରିବାରୁ ଗୋଟିଏ କୋଠା, ୨ଟି ପ୍ଲଟ, ଗୋଟିଏ ୪ ଚକିଆ ଗାଡ଼ି, ଗୋଟିଏ ଅଟୋ, ୨ଟି ମୋଟର ସାଇକେଲ ରହିଥିବା ଜଣାପଡ଼ିଥିଲା। ଠାବ ହୋଇଥିବା ସ୍ଥାବର ଏବଂ ଅସ୍ଥାବର ସଂପତ୍ତିକୁ ଆକଳନ କରିବାରୁ ବାସଭବନର ମୂଲ୍ୟ ୨୦ଲକ୍ଷ ୩୩ ହଜାର ଟଙ୍କା ହେବ ବୋଲି ଭିଜିଲାନ୍ସ କହିଛି। ସେହିପରି ଉମରକୋଟରେ ଥିବା ୨ଟି ପ୍ଲଟର ମୂଲ୍ୟ ୩ଲକ୍ଷ ୫୦ହଜାର ଟଙ୍କା, ମାରୁତି ସ୍ବିଫ୍ଟ ଡିଜାଇର କାର୍‌ ମୂଲ୍ୟ ୫ଲକ୍ଷ ଟଙ୍କା, ଗୋଟିଏ ଅଟୋର ମୂଲ୍ୟ ୧ଲକ୍ଷ ୫୦ ହଜାର ଟଙ୍କା, ୨ଟି ମୋଟର ସାଇକଲର ମୂଲ୍ୟ ୧ ଲକ୍ଷ ୪୦ ହଜାର ଟଙ୍କା, ବ୍ୟାଙ୍କରେ ୨ଲକ୍ଷ ୨୯ ହଜାର ଟଙ୍କା ଜମା, ୨ଲକ୍ଷ ୭ହଜାର ଟଙ୍କାର ବୀମା, ସୁନା ଓ ରୁପା ଅଳଙ୍କାର ମୂଲ୍ୟ ୪ଲକ୍ଷ ୩ ହଜାର ଟଙ୍କା, ଆସବାବପତ୍ରର ମୂଲ୍ୟ ୫ଲକ୍ଷ ୮୬ ହଜାର ଟଙ୍କା ହେବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଏହାବ୍ୟତୀତ ଆଉ କେଉଁଠି ସଂପତ୍ତି ରହିଛି ନା ନାହିଁ ତାହାର ଯାଞ୍ଚ ଚାଲିଛି। ଜିଆରଏସ୍‌ ଶ୍ରୀ ବାଘଙ୍କୁ ଅଟକ ରଖି ପଚରାଉଚରା ଚାଲିଥିବା ନବରଙ୍ଗପୁର ଭାରପ୍ରାପ୍ତ ଡିଏସ୍‌ପି କଳାବତୀ ବାଗ କହିଛନ୍ତି। ଏହି ଚଢ଼ଉରେ ମାଲକାନାଗିରି ଡିଏସ୍‌ପି ସୁଶାନ୍ତ କୁମାର ବିଶ୍ବାଳ, ଜୟପୁର ଡିଏସ୍‌ପି କିଶୋର ଚନ୍ଦ୍ର ପାତ୍ର, ନବରଙ୍ଗପୁର ଭାରପ୍ରାପ୍ତ ଡିଏସ୍‌ପି କଳାବତୀ ବାଗ, ଇନିସ୍‌ପେକ୍ଟର ସୂର୍ଯ୍ୟକାନ୍ତି ଟାକ୍ରୀ, ଦୀନବନ୍ଧୁ ବେହେରା, ପ୍ରମିଳା ସୁନା, ଭୀମସେନ ପୂଜାରୀଙ୍କ ସମେତ ନବରଙ୍ଗପୁର, ଜୟପୁର, ମାଲକାନାଗିରି, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ୨୪ଜଣ କର୍ମଚାରୀ ଏହି ଚଢ଼ଉରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର