ଉଦ୍ୟାନ କୃଷି ବିଭାଗରେ ଭିଜିଲାନ୍ସ ପଶିଲା : ଫସିବେ ବରିଷ୍ଠ ଅଧିକାରୀ

ଘରୋଇ ବ୍ୟାଙ୍କ ସହ ବିଜୟଙ୍କ ସଂପର୍କର ତନାଘନା
ଏକକାଳୀନ ସ୍ଥାନାନ୍ତର କରିଥିଲେ ୩୦ କୋଟି
ସନ୍ଦେହରେ ବାବୁ, ତନାଘନା କରିବ ଅର୍ଥ ବିଭାଗ
ପୂର୍ବରୁ ଦାମ ଆଣିଥିଲେ ୧୦୦ କୋଟିର ଅଭିଯୋଗ

ଭୁବନେଶ୍ବର : ନୂଆବର୍ଷ ପାଳନରେ ସାରା ରାଜ୍ୟ ମସଗୁଲ ଥିବା ବେଳେ ରାଜ୍ୟ ସରକାରଙ୍କର କେତେକ ବରିଷ୍ଠ ଅଧିକାରୀ ଚିନ୍ତାରେ ପଡ଼ିଯାଇଛନ୍ତି। ଉଦ୍ୟାନ କୃଷି ବିଭାଗରେ ଆଖିବୁଜା କେଳେଙ୍କାରୀ ଅଭିଯୋଗ ଉପରେ ସରକାର ଶେଷ‌ରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ଲାଞ୍ଚ ନେଇ ଧରାପଡ଼ି ନିଲମ୍ବିତ ହୋଇଥିବା ନିର୍ଦେଶକ ବିଜୟ କେତନ ଉପାଧ୍ୟାୟଙ୍କ ବିରୋଧରେ ତଦନ୍ତ କରୁ କରୁ ଏହି ବିଭାଗରେ ଚାଲିଥିବା ଏକାଧିକ ଯୋଜନାରେ ଦୁର୍ନୀତି ସଂକ୍ରାନ୍ତ ଫାଇଲକୁ ଭିଜିଲାନ୍‌ସ ଜବତ କରିଛି। ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ବିଭାଗର ଅନେକ ବରିଷ୍ଠ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଆରମ୍ଭ ହୋଇଛି। ଏହାକୁ ନେଇ କେବଳ ଏହି ବିଭାଗ ନୁହେଁ, ଅନ୍ୟ ବିଭାଗର ଅଧିକାରୀମାନଙ୍କ ମଧ୍ୟରେ ମଧ୍ୟ ଛନକା ପଶିଯାଇଛି।

ରାଜ୍ୟ ସରକାରଙ୍କର ଅତି ଉଚ୍ଚ ପଦରେ ଅଧିଷ୍ଠିତ ଜଣେ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ସମସ୍ତଙ୍କ ଅଗୋଚରରେ ଭିଜିଲାନ୍‌ସର ବରିଷ୍ଠ ଅଧିକାରୀମାନେ ଅତି ଗୋପନୀୟ ଢଙ୍ଗରେ ତଦନ୍ତ ଆରମ୍ଭ କରିଛନ୍ତି। କେବଳ ସେତିକି ନୁହେଁ, ନିର୍ଦେଶାଳୟର କିଛି ବରିଷ୍ଠ ପଦାଧିକାରୀଙ୍କ ଘରେ ଗତ ଦୁଇ ଦିନ ଧରି ଭିଜିଲାନ୍‌ସ ଚଢଉ ଜାରି ରହିଛି। ଏସବୁ ବାବୁମାନଙ୍କ ଫାଇଲ ଖୋଲି ତଦନ୍ତକାରୀ ଅଧିକାରୀମାନେ ଅନୁଧ୍ୟାନ ଆରମ୍ଭ କଲେଣି।

ଭିଜିଲାନ୍‌ସ ଅଧିକାରୀମାନେ କିନ୍ତୁ ମୁହଁ େଖାଲିବାକୁ ନାରାଜ। ଏବେ ତଦନ୍ତ ପ୍ରକ୍ରିୟା ଜାରି ରହିଥିବା କାରଣରୁ କୌଣସି ତଥ୍ୟ ଗଣମାଧ୍ୟମକୁ ଦେବା ସମ୍ଭବ ନୁହେଁ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। କିନ୍ତୁ ଉଦ୍ୟାନ କୃଷି ନିର୍ଦେଶାଳୟରେ ଏହି ଚଢଉ ଘଟଣାକୁ ନେଇ କମ୍ପନ ସୃଷ୍ଟି ହେଲାଣି। କେବଳ ଶ୍ରୀ ଉପାଧ୍ୟାୟ ନୁହେଁ, ପୂର୍ବରୁ ନିର୍ଦେଶକ ଥିବା କିଛି ବରିଷ୍ଠ ଅଧିକାରୀ ଏହି କେଳେଙ୍କାରୀ ଭିତରକୁ ଟାଣି ହୋଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

ଅନ୍ୟପକ୍ଷରେ କେବଳ ନିର୍ଦେଶାଳୟ ନୁହେଁ, ଏହି ପ୍ରସଙ୍ଗ େଲାକସେବା ଭବନରେ ଆଜି ନୂଆବର୍ଷର ଉଷ୍ମତାକୁ କିଛି ପରିମାଣରେ ଫିକା କରିଦେଇଛି। କିଛି ବରିଷ୍ଠ ଆଇଏଏସ୍ ଅଫିସର ଚିନ୍ତାରେ ପଡ଼ିଯାଇଛନ୍ତି। କାରଣ, ଶ୍ରୀ ଉପାଧ୍ୟାୟଙ୍କ ସଂପର୍କରେ ତଦନ୍ତ କରିବା ସମୟରେ ହଠାତ୍ ଦୁଇଟି ବଡ଼ ଘଟଣା ସାମ୍ନାକୁ ଆସିଛି। ଯେଉଁ ଘରୋଇ ବ୍ୟାଙ୍କର ଅଧିକାରୀ ଗିରଫ ହୋଇଛନ୍ତି, ସଂପୃକ୍ତ ବ୍ୟାଙ୍କରେ ଉଦ୍ୟାନ କୃଷି ବିଭାଗର ଚାରିଟି ଖାତା ରହିଛି। କୌତୂହଳର କଥା ହେଉଛି, ଉଦ୍ୟାନ କୃଷି ବିଭାଗ ଆକାଉଣ୍ଟ ଏକ ସରକାରୀ ଉଦ୍ୟୋଗ ବ୍ୟାଙ୍କରେ ଥିଲା। କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନା ଅନ୍ତର୍ଗତ ୩୦କୋଟି ଟଙ୍କା ଏହି ଆକାଉଣ୍ଟରେ ଜମା ଥିଲା। କିନ୍ତୁ ଶ୍ରୀ ଉପାଧ୍ୟାୟ ଗୋଟିଏ ନିଷ୍ପତ୍ତିରେ ସମସ୍ତ ଟଙ୍କାକୁ ଉଠାଇ ଆଣି ସଂପୃକ୍ତ ଘରୋଇ ବ୍ୟାଙ୍କରେ ଜମା କରିଥିଲେ। ଏଥିରେ ଏକ ବଡ଼ ଧରଣର କାରବାର ହୋଇଥିବା ଅଭିଯୋଗ ହୋଇଥିଲା। ଅର୍ଥ ବିଭାଗ ହସ୍ତକ୍ଷେପ କ୍ରମେ କୃଷି ବିଭାଗର ବଡ଼ ବାବୁମାନେ ତଦନ୍ତ ଆରମ୍ଭ କରିଥିଲେ ହେଁ, ଏହାକୁ ଅଧାପନ୍ତରିଆ ଭାବେ ଛାଡି ଦେଇଛନ୍ତି। କୃଷି ବିଭାଗର ଅର୍ଥ ପରାମର୍ଶଦାତାଙ୍କ ପାଖରେ ଏହି ଫାଇଲ ୧୫ ଦିନ ହେଲା ପଡିରହିଛି।

କେନ୍ଦ୍ର ସରକାରଙ୍କ ଟଙ୍କା କେବଳ ସରକାରୀ ଉଦ୍ୟୋଗ ବ୍ୟାଙ୍କ ବା ଆଞ୍ଚଳିକ ଗ୍ରାମିଣ ବ୍ୟାଙ୍କରେ ଜମା ରଖାଯିବ ବୋଲି ସ୍ପଷ୍ଟ ନିର୍ଦେଶ ଥିବା ବେଳେ କେଉଁ ପରିସ୍ଥିତିରେ ଏହି ଅର୍ଥ ଉଠିଲା, ତାହା ଅର୍ଥ ବିଭାଗକୁ ତାଜୁବ କରିଛି। ଭିଜିଲାନ୍‌ସ ଏହା ଉପରେ ଏବେ ତଦନ୍ତ ଆରମ୍ଭ କରିଛି। ଏହା ଜଣାପଡିବା ପରେ ଅନେକ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ ଯେଉଁମାନେ ସମାନ ଢଙ୍ଗରେ କୋଟି କୋଟି ଟଙ୍କା ଉଠାଇ ଆଣିଛନ୍ତି, ସେମାନଙ୍କ ନିଦ ହଜିଯାଇଛି। ଅର୍ଥ ବିଭାଗ ମଧ୍ୟ ଏ ନେଇ ଖୋଳତାଡ କରିବା ଲାଗି ମନ୍ତ୍ରଣା ଆରମ୍ଭ କଲାଣି।

ଶ୍ରୀ ଉପାଧ୍ୟାୟଙ୍କ ସହିତ ଗୋଟିଏ ଘରୋଇ ବ୍ୟାଙ୍କର ଜଣେ ବରିଷ୍ଠ ଅଧିକାରୀଙ୍କ ସଂପର୍କ ଯେମିତି ପଦାକୁ ଆସିଲା, ତାହା ଭିଜିଲାନ୍‌ସ ତଦନ୍ତକୁ ଅଧିକ ରୋଚକ କରିଛି। ଏହା ଦୁର୍ନୀତିର ଏକ ନୂଆ ତରିକା ବୋଲି ଭିଜିଲାନ୍‌ସ ଅଧିକାରୀ କହିଛନ୍ତି। ଏଣୁ ଏହା ଉପରେ ଅଧିକ ଫୋକସ କରାଯିବ।

ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ଉପାଧ୍ୟାୟଙ୍କୁ ଏବେ ଭିଜିଲାନ୍‌ସ ଅଧିକାରୀମାନେ ରିମାଣ୍ଡରେ ଆଣି ତୁହାକୁ ତୁହା ଜେରା କରୁଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଚାଷୀଙ୍କୁ ସ୍ପ୍ରିଙ୍କ୍‌ଲର୍ ଯୋଗାଣ କେଳେଙ୍କାରୀ ତଦନ୍ତ ଆରମ୍ଭ େହାଇଛି। କେଉଁ ପରିସ୍ଥିତିରେ ଏସଆର୍‌ଏମ୍ ପ୍ଲାଷ୍ଟୋକେମ୍ ପ୍ରାଇଭେଟ୍ ଲିମିଟେଡ୍‌ର ପ୍ରତିନିଧିଙ୍କ ଠାରୁ ଶ୍ରୀ ଉପାଧ୍ୟାୟ ଟଙ୍କା ମାଗୁଥିଲେ, ବିଭାଗରେ ୨% ଯାଏ ପିସି କାରବାର ଚାଲିଥିବା ଅଭିଯୋଗ ସତ ନା ମିଛ, ଅନ୍ୟ କେଉଁ କେଉଁ ସଂସ୍ଥାଠାରୁ ଏହି ହାରରେ ଅର୍ଥ ନିଆଯାଇ ବିଲ ପୈଠ ହୋଇଛି, ସଂପୃକ୍ତ ସଂସ୍ଥାମାନେ ବାସ୍ତବରେ ସ୍ପ୍ରିଙ୍କଲର୍ ଯୋଗାଇଛନ୍ତି ନା କାଗଜକଲମରେ ଏହି ଯୋଜନା ଦିଆଯାଇଛି, ସେ ସଂପର୍କରେ ଖୋଳତାଡ଼ ଚାଲିଛି।

ନିୟମ ଅନୁସାରେ, ଏହି ଯୋଜନାରେ ନିର୍ଦେଶାଳୟ ଅଧୀନରେ ପଞ୍ଜୀକୃତ ପ୍ରାଧିକୃତ ସଂସ୍ଥା ମାନେ ଯୋଗ୍ୟ ହିତାଧିକାରୀଙ୍କୁ ସ୍ପ୍ରିଙ୍କଲର୍ ଯୋଗାଣ କରିଥାନ୍ତି। କେଉଁ କେଉଁ ଚାଷୀଙ୍କୁ ଏହା ଦିଆଗଲା, ତାହା ସଂପୃକ୍ତ ଉପନିର୍ଦେଶକ ଯାଞ୍ଚ ପରେ ନିର୍ଦେଶକ ହିଁ ଅର୍ଥ ପୈଠ କରିଥାନ୍ତି।

ଉଲ୍ଲେଖଯୋଗ୍ୟ ଯେ ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଉଦ୍ୟାନ କୃଷି ନିର୍ଦେଶାଳୟ ବିରୋଧରେ ୧୦୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଆଣିଥିଲେ। ସେତେବେଳେ କୁହାଯାଇଥିଲା େଯ ମୟୂରଭଂଜ ଜିଲ୍ଲାରେ ଆଦୌ ଚାରା ନ ଲାଗି ସାର ଯୋଗାଣ ହୋଇଛି। ୫୯ କୋଟି ଟଙ୍କା କେବଳ ମୟୂରଭଂଜରେ ଖର୍ଚ୍ଚ ହୋଇଛି। ସମ୍ବଲପୁର, ଦେବଗଡ, କୋରାପୁଟ, ରାୟଗଡା, ନବରଙ୍ଗପୁରକୁ ଏହି ଦୁର୍ନୀତି ଲମ୍ବିଛି। ସେଠାରେ ମଧ୍ୟ ପାଖାପାଖି ୨୪ କୋଟି ଟଙ୍କା ଅଧିକାରୀମାନେ ହଡପ କରିଥିବା ଅଭିଯୋଗ ଆସିଥିଲା। ହେଲେ ଏ ନେଇ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ସରକାର ତାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କଲେ ବୋଲି ଡାକ୍ତର ରାଉତ ଗଣମାଧ୍ୟମ ସାମ୍ନାରେ ଅଭିଯୋଗ କରିଆସିଥିଲେ।

ଏ ଅଭିଯୋଗ ଯେ ପୂରା ମିଛ ନଥିଲା, ଏକଥା ପରବର୍ତୀ ସମୟରେ କୃଷି ମନ୍ତ୍ରୀ ପଦରେ ଥିବା ବେଳେ ପ୍ରଦୀପ ମହାରଥୀଙ୍କ ସୂଚନାରୁ ଜଣାପଡିଥିଲା। ମନ୍ତ୍ରୀ ସେତେବେଳେ ୧୭ କୋଟି ଟଙ୍କାର ହେରଫେର ଅଭିଯୋଗକୁ ମାନିଥିଲେ। ଅନୁସନ୍ଧାନ ପାଇଁ ଗଠିତ କମିଟି ରିପୋର୍ଟରୁ ଏହା ସାମ୍ନାକୁ ଆସିଥିଲା। ଏବେ ଏସବୁ ଘଟଣାରେ ଭିଜିଲାନ୍‌ସ ପଶିବ ବୋଲି ସୂଚନା ମିଳିଲାଣି।

ସମ୍ବନ୍ଧିତ ଖବର