ଭିଜିଲାନ୍ସ ପଂଝାରେ ନିର୍ବାହୀ ଯନ୍ତ୍ରୀ, ଖୋର୍ଦ୍ଧା କାର୍ଯ୍ୟାଳୟରେ ୬ ଘଣ୍ଟା ଚଢ଼ଉ

ଖୋର୍ଦ୍ଧା: ବେଆଇନ ସମ୍ପତ୍ତି ଠୁଳ ମାମଲାରେ ଆଜି ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଏକ ଟିମ୍ ଖୋର୍ଦ୍ଧା କ୍ଷୁଦ୍ରଜଳସେଚନ ଡିଭିଜନର ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ଦାସଙ୍କ ଖୋର୍ଦ୍ଧା ସ୍ଥିତ କାର୍ଯ୍ୟାଳୟରେ ଚଢ଼ଉ କରିଛି । ମିଳିଥିବା ସୂଚନାରେ, କାର୍ଯ୍ୟାଳୟରେ ହୋଇଥିବା ଯାଂଚରେ, ବିଭିନ୍ନ ଟେଣ୍ଡର ଗୁଡ଼ିକରେ ନିର୍ଦ୍ଦିଷ୍ଟ କେତେକ ଠିକାଦାର ଓ ଠିକାସଂସ୍ଥାକୁ ନିର୍ବାହୀ ଯନ୍ତ୍ରୀ ଅହେତୁକ ଅନୁଗ୍ରହ ଦେଖାଇଥିବା ଜଣଯାଇଛି । ଏନେଇ ଆବଶ୍ୟକ ନଥିପତ୍ର ଉକ୍ତ ଟିମ୍ ଜବତ କରିଛନ୍ତି ।

ଆଜି ସକାଳ ପ୍ରାୟ ୧୦ଟା ବେଳେ ଦୁର୍ନୀତି ନିବାରଣ ବିଭାଗର ୪ଜଣିଆ ଟିମ୍ ଭିଜିଲାନ୍ସ ନିରୀକ୍ଷକ ମମିତା ପ୍ରଧାନଙ୍କ ନେତୃତ୍ୱରେ ଖୋର୍ଦ୍ଧା କ୍ଷୁଦ୍ରଜଳସେଚନ ଡିଭିଜନ କାର୍ଯ୍ୟାଳୟରେ ପହଂଚିଥିଲେ । ସେଠାରେ ନିର୍ବାହୀ ଯନ୍ତ୍ରୀ ମନୋଜ ଦାସଙ୍କ ପ୍ରକୋଷ୍ଠରେ ପହଂଚି ସମସ୍ତ ନଥିପତ୍ର ଯାଂଚ କରିଥିଲେ । ଯାଂଚ ଅପରାହ୍ଣ ୪ଟା ଯାଏଁ ଚାଲିଥିଲା । କାର୍ଯ୍ୟାଳୟ ମଧ୍ୟକୁ କିମ୍ବା ବାହାରକୁ କାହାରିକୁ ଛାଡ଼ିନଥିଲେ। ଏପରିକି ଖୋର୍ଦ୍ଧାର ଭିଜିଲାନ୍ସ ବିଭାଗ ଡିଏସ୍ପି କାର୍ଯ୍ୟାଳୟକୁ ମଧ୍ୟ ଚଢ଼ାଉ ସମ୍ପର୍କରେ କୌଣସି ପ୍ରାକ୍ ସୂଚନା ଦିଆଯାଇନଥିଲା ।

ସମ୍ବନ୍ଧିତ ଖବର