ଭିଜିଲାନସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ ଫସିବା ଘଟଣା: ୫ କୋଟିରୁ ଊର୍ଦ୍ଧ୍ବ ଟଂକାର ଅସ୍ଥାବର ସମ୍ପତ୍ତି 

ମାଲକାନଗିରି: ଗତକାଲି ମାଲକାନଗିରି ଗ୍ରାମ୍ୟ ନିର୍ମାଣ ଡିଭିଜନ-୧ର ଅଧୀକ୍ଷଣ ଯନ୍ତ୍ରୀ ଅଶିଷ କୁମାର ଦାସ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଟଂକା ଡିସିବି ବ୍ୟାଙ୍କରେ ଜମା କରିବାକୁ ଯାଉଥିବା ବେଳେ ଭିଜିଲାନସ ଜାଲରେ ପଡିଥିଲେ। ଗତକାଲି ଭିଜିଲାନସ ବିଭାଗର ଡିଏସପି ସୁଶାନ୍ତ କୁମାର ବିଶ୍ବାଳଙ୍କ ପ୍ରତ୍ୟକ୍ଷ ନେତୃତ୍ବରେ ଏକ ଟିମ ଅଧୀକ୍ଷଣ ଯନ୍ତ୍ରୀଙ୍କର ଘର,ଅଫିସ,ବ୍ୟାଙ୍କ ଲୋକର ଇତ୍ୟାଦିରେ ଚଢାଉ କରିଥିଲା।ଯାହା ସବୁ ସଂପତ୍ତି ବାହାରିଛି ସେନେଇଆଜି ଡିଏସପି ଶ୍ରୀ ବିଶ୍ବାଳ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ।

ପ୍ରାୟ ୫ କୋଟିରୁ ଉର୍ଦ୍ଧ୍ବ ଟଂକାର ଅସ୍ଥାବର ସମ୍ପତ୍ତି ଠାବ ହୋଇଛି।ବ୍ୟାଙ୍କ ଆକାଉଣ୍ଟରୁ ଅଢେଇ କୋଟି ଟଂକା ରହିଛି।ନିଜ ତଥା ଠିକାଦାରଙ୍କ ଠାରୁ ୨୧ ଲକ୍ଷ ୭୫ ହଜାର ଟଂକା ଜବତ କରାଯାଇଛି।ସେହିପରି ଠିକାଦାର ଏବଂ ଯନ୍ତ୍ରୀଙ୍କ ଘରୁ ୬୦୦ ଗ୍ରାମର ସୁନା ମଧ୍ୟ ଜବତ କରାଯାଇଛି।୫୦ ଲକ୍ଷ ଟଂକାର ବୀମା ରାଶି ରହିଛି।୪୦ ଲକ୍ଷ ଟଂକାର ୟୁଟିଆଇ ବଣ୍ଡ ରହିଛି।୫୦ ଲକ୍ଷ ଟଂକାର କିଷାନ ବିକାଶ ପତ୍ର,ଏନସିସି ଏବଂ ପୋଷ୍ଟାଲ ଡିପୋଜିଟ ରହିଛି।ମାଲକାନଗିରି ସହ କେନ୍ଦୁଝର ଜିଲ୍ଲାର ବିଭିନ୍ନ ବ୍ୟାଙ୍କରେ ଲକର ରହିଛି।କଟକରେ ଏକ ଆଲିସାନ କୋଠାଘର ରହିଛି।

ଆକ୍ସିସ ବ୍ୟାଙ୍କ ଲକରରେ ମଧ୍ୟ ପ୍ରାୟ ୩ କୋଟିରୁ ଉର୍ଦ୍ଧ୍ବ ଟଂକା ରହିଥିବା କୁହାଯାଉଛି।ତେବେ ଅନ୍ୟସ୍ଥାନରେ ଏବେ ବି ଚଢାଉ ଜାରି ରହିଛି।ଆହୁରି କୋଟି କୋଟି ଟଂକା ମିଳିବ ବୋଲି ଭିଜିଲାନସ ବିଭାଗ ପକ୍ଷରୁ ଜଣାପଡିଛି। ଶ୍ରୀ ଦାସ ନିଜ ପାଖରେ ଟଂକା ନରଖି ଠିକାଦାରମାନଙ୍କ ପାଖରେ ଟଂକା ଓ ସୁନା ରଖୁଥିଲେ। କୌଣସି ମୁହର୍ତ୍ତରେ ଭିଜିଲାନସ ଚଢାଉ ହେବାର ସମ୍ଭାବନାକୁ ସେ ସଂଦେହ କରୁଥିଲେ। କିନ୍ତୁ ଗତକାଲି ସେ ଖାମଖିଆଲି ହୋଇଯାଇଥିବା ବେଳେ ଭିଜିଲାନସ ବିଶେଷ ସୂତ୍ରରୁ ଖବର ପାଇ ଚଢାଉ କରିଥିଲା।ଭିଜିଲାନସ ହାତରେ ପଡିବା ପରେ ଅଧୀକ୍ଷଣ ଯନ୍ତ୍ରୀ ତାଂକୁ ଛାଡି ଦେବାକୁ ବହୁ କାକୁତି ମୀନତି ହୋଇଥିଲେ। କିନ୍ତୁ ବିଭାଗ କୌଣସି ପ୍ରକାରେ ଛାଡାଯିବ ନାହଁ ବୋଲି  ସଫା ସଫା କହିଥିଲେ। ଯନ୍ତ୍ରୀ ଜଣକ କୁବେର ବୋଲି ଆଲୋଚନା ଜୋର ଧରିଛି।ତଦନ୍ତ ପରେ ଆହୁରି ଅନେକ ସ୍ଥାବର ଓ ଅସ୍ଥାବର ସଂପତ୍ତି ମିଳିବ ବୋଲି ଜଣାପଡିଛି। ଶ୍ରୀ ଦାସଙ୍କ ପୈତୃକ ଘର ସହ ଅନ୍ୟ ସ୍ଥାନରେ ମଧ୍ୟ ଚଢଉ କରାଯାଉଛି ବୋଲି କୁହାଯାଇଛି।

 

ସମ୍ବନ୍ଧିତ ଖବର