ଭିଜିଲାନ୍ସ ଜାଲରେ ଟାଉନ ପ୍ଲାନିଂ ଟ୍ରେସର, ୬୬ ଲକ୍ଷ ଟଙ୍କାର ବଙ୍ଗଳାରେ ରହୁଥିଲେ

ବ୍ୟାଙ୍କ ଆକାଉଣ୍ଟରେ ୨୪ଲକ୍ଷ ଟଙ୍କାର ଜମା ରାଶି

ବଲାଙ୍ଗୀର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ସ୍ପେସାଲ ଟାଉନ ପ୍ଲାନିଂ କାର୍ଯ୍ୟାଳୟର ଟ୍ରେସର (ନକସା ଅଙ୍କନକାରୀ) ଜୀବଦୀଶ ପାତ୍ରଙ୍କ ଘରେ ଚଢ଼ଉ କରିଛି। ତାଙ୍କ ଆଦର୍ଶପଡ଼ା ବାସଭବନ, ସଂପର୍କୀୟ ଘର, କଲେଜ ଛକ ଅଫିସ, ପୁଇନ୍ତଳା ବ୍ଲକ ଶିକାବେହେଙ୍ଗା ଗାଁରେ ଥିବା ପୈତୃକ ଘରେ ଚଢ଼ଉ କରିଛି। ସମ୍ବଲପୁର, ବରଗଡ଼, ସୋନପୁର, ବଲାଙ୍ଗୀରର ଚାରୋଟି ଟିମ୍‌ ଚାରୋଟି ସ୍ଥାନରେ ଚଢ଼ଉ କରିଥିଲେ। ଆଦର୍ଶ ପଡ଼ାର ଆଲିସାନ ବଙ୍ଗଳା, ଗାଡ଼ିମଟର, ବ୍ୟାଙ୍କ ଆକାଉଣ୍ଟ, ବୀମା ପଲିସି, ଟଙ୍କା ସୁନା ଅଳଙ୍କାର, ଜମିବାଡ଼ି କାଗଜପତ୍ର ସବୁର ଟିକିନିଖି ଯାଞ୍ଚ କରିଥିଲା ଭିଜିଲାନ୍ସ ଟିମ୍‌।

ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶ୍ରୀ ପାତ୍ରଙ୍କ ଆଦର୍ଶପଡ଼ା ଘରର ମୂଲ୍ୟ ୬୩ଲକ୍ଷ ୩୦ହଜାର ୯୯୩ ଟଙ୍କା, ବଲାଙ୍ଗୀରରେ ଏକ ପ୍ଲଟ, ଅଲଟୋ କାର, ବାଇକ୍‌, ବିଭିନ୍ନ ବ୍ୟାଙ୍କରେ ୨୪ ଲକ୍ଷ ଟଙ୍କା ଜମା ରାଶି, ବୀମା ପଲିସି ୬ଲକ୍ଷ ୫୬ହଜାର, ସୁନା ଅଳଙ୍କାର ୧୧ଲକ୍ଷ ୬୬ହଜାର, ନଗଦ ୧ଲକ୍ଷ ୪୭ହଜାର, ଘରକରଣା ସାମଗ୍ରୀ ୧୦ଲକ୍ଷ ୩୧ହଜାର ଇତ୍ୟାଦି ମୋଟ ୧କୋଟି ୨୨ ଲକ୍ଷ ଟଙ୍କାର ସମ୍ପତ୍ତି ଭିଜିଲାନ୍ସ ଟିମ୍‌ ଠାବ କରିଛି। ବିଭିନ୍ନ କାଗଜପତ୍ର ଭିଜିଲାନ୍ସର ଅଧିକାରୀ ଜବତ କରିଛନ୍ତି। ସମ୍ବଲପୁର ଏସପି ସାରା ଶର୍ମାଙ୍କ ନିର୍ଦେଶରେ ହୋଇଥିବା ଚଢ଼ଉରେ ଡିଏସପି କାଦମ୍ବିନୀ ସାମଲ, ଦାଶରଥି ସେଠୀ, ଇନ୍‌ସପେକ୍ଟର ସଦାନନ୍ଦ ପାଣି, ତପସ୍ୱିନୀ ସେଠ, ପି. ବିଲୁଙ୍ଗ, ମାନସୀ ଜେନା, ତୁଷାରକାନ୍ତ ମହାପାତ୍ର ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର