ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ: ୩.୩୯ କୋଟିର ସମ୍ପତ୍ତି ଠାବ

ସମ୍ବଲପୁର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ବିଦ୍ୟୁତ୍‌ ବିଭାଗର ମୁଖ୍ୟଯନ୍ତ୍ରୀ ତଥା ମୁଖ୍ୟ ବିଦ୍ୟୁତ୍‌ ନିରୀକ୍ଷକ ସୁନୀଲ କୁମାର ପଣ୍ଡାଙ୍କ ଘରେ ସୋମବାର ଦିନ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ସମ୍ବଲପୁର ଗ୍ରୀନପାର୍କ ରେସିଡେନ୍‌ସିରେ ଥିବା ୨ଟି ଫ୍ଲାଟ୍‌ (ନିଜ ବାସଭବନ ଓ ପିତାମାତା ରହୁଥିବା ଘର), ସମ୍ବଲପୁର ଜଗନ୍ନାଥ କଲୋନିରେ ଥିବା କାର୍ଯ୍ୟାଳୟ ଏବଂ ଖଣ୍ଡଗିରି କସ୍ମୋପଲିରେ ଥିବା ଫ୍ଲାଟ୍‌ରେ ଏହି ଚଢ଼ଉ କରାଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସର ୪ଟି ଟିମ୍‌ ଚଢ଼ଉ କରିଥିଲେ। ସ୍ୱତନ୍ତ୍ର କୋର୍ଟଙ୍କ ଓ୍ୱାରେଣ୍ଟ ପରେ ୨ ଜଣ ଡିଏସ୍‌ପି, ୯ ଜଣ ଇନ୍ସପେକ୍ଟର, ୨ ଜଣ ଏଏସ୍ଆଇ ଓ ଅନ୍ୟ କର୍ମଚାରୀ ଚଢ଼ଉରେ ସାମିଲ ହୋଇଥିଲେ। ପ୍ରାରମ୍ଭିକ ଆକଳନରୁ ତାଙ୍କ ନିକଟରେ ୩.୩୯ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଠାବ ହୋଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଯା଼ଞ୍ଚବେଳେ ମିଳିଥିବା ସମ୍ପତ୍ତି ତାଲିକାରେ ଏକ ୩ ବିଏଚ୍‌କେ ଫ୍ଲାଟ୍‌ (ଆନୁମାନିକ ମୂଲ୍ୟ ୬୪.୨୧ ଲକ୍ଷ), ସମ୍ବଲପୁର ଅଇଁଠାପାଲି ଅଞ୍ଚଳରେ ୨ଟି ଜମି, ଭୁବନେଶ୍ୱରର ଗ୍ରାଣ୍ଡ ବଜାରରେ ଗୋଟିଏ ବୁକ୍‌ ହୋଇଥିବା ଦୋକାନ (ମାଲିକଙ୍କୁ ୧ କୋଟି ୪ ଲକ୍ଷ ୭୧ ହଜାର ୪ ଶହ ୨୮ ଟଙ୍କା ପ୍ରଦାନ କରାଯାଇଛି) ଓ ଭୁବନେଶ୍ବରରେ ଏକ ବୁକ୍‌ ହୋଇଥିବା ପ୍ଲଟ୍‌ (ମାଲିକଙ୍କୁ ଦିଆଯାଇଛି ୬୧ ଲକ୍ଷ ୬୫ ହଜାର ଟଙ୍କା) ରହିଛି। ଏହାସହିତ ବ୍ୟାଙ୍କରେ ୩୨.୦୪ ଲକ୍ଷ ଟଙ୍କା ଜମା, ୧୮ ଲକ୍ଷ ୮୦ ହଜାର ଟଙ୍କାର ବୀମା, ମ୍ୟୁଚୁଆଲ୍‌ ଫଣ୍ଡରେ ୧୬ ଲକ୍ଷ ୨୮ ହଜାର ଟଙ୍କାର ନିବେଶ ମଧ୍ୟ ରହିଛି। ଏକ ଚାରିଚକିଆ ଓ ଏକ ଦୁଇଚକିଆ ଯାନ ସାଙ୍ଗକୁ ୧୫ ଲକ୍ଷ ଟଙ୍କାର ଅଳଙ୍କାର ଓ ଘରକରଣା ସାମଗ୍ରୀ ମଧ୍ୟ ମିଳିଛି। ତେବେ ଆଉ ଅଧିକ ସମ୍ପତ୍ତି ମିଳିବାର ମଧ୍ୟ ସମ୍ଭାବନା ଥିବାରୁ ଯାଞ୍ଚ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ କହାଯାଇଛି।

ସୂଚନାଯୋଗ୍ୟ, ଇଂଜିନିୟର ଶ୍ରୀ ପଣ୍ଡା ଆସନ୍ତା ଜୁନ ମାସରେ ଅବସର ଗ୍ରହଣ କରିବେ।

ସମ୍ବନ୍ଧିତ ଖବର