ପଦୋନ୍ନତି ପାଉପାଉ ହାବୁଡ଼ରେ ପଡ଼ିଲେ, ଡେପୁଟି ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ବଲାଙ୍ଗୀର : ହାତଗଣତି ପାଞ୍ଚ ଛଅ ଦିନ ପୂର୍ବରୁ ପାଇଥିଲେ ପଦୋନ୍ନତି। ଫରେଷ୍ଟର ଥିଲେ ଓ ଡେପୁଟି ରେଞ୍ଜର ପାହ୍ୟାକୁ ଯାଇଥିଲେ। ଖୁସି ଘରକୁ ଆସିଥିଲା। ହେଲେ ପଦୋନ୍ନତି ପାଉପାଉ ଏବେ ଘରେ ପହଞ୍ଚିଲା ଭିଜିଲାନ୍ସ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଟିମ ବଲାଙ୍ଗୀର ବନବିଭାଗର ଡେପୁଟି ରେଞ୍ଜର କେଶବ ନାଏକଙ୍କ ଘରେ ସକାଳୁ ଚଢ଼ଉ କରିଥିଲା। ଭିଜିଲାନ୍ସର ୫ଟି ଟିମ ଏକାକାଳୀନ ୫ଟି ସ୍ଥାନରେ ଚଢ଼ଉ କରିଥିଲେ। ସାଗରପଡ଼ା, ଇନ୍ଦିରାନଗର, ଗୁପ୍ତେଶ୍ୱରନଗର ଘର ସହ ସୋନପୁର ସହର ମଝିପଡ଼ାରେ ଥିବା ପୈତୃକ ଘରେ ଭିଜିଲାନ୍ସ ଟିମ ପହଞ୍ଚିଥିଲେ। ବ୍ୟାଙ୍କ ଆକାଉଣ୍ଟ, ଅଳଙ୍କାର, ନଗଦ ଟଙ୍କା, ଜାଗାବାଡ଼ି କାଗଜପତ୍ର ଜବତ କରି ଭିଜିଲାନ୍ସ ସମ୍ପତ୍ତିର ଆକଳନ ସଂଧ୍ୟା ଯାଏ ଚଳାଇଥିଲା।

ତାଙ୍କର ମୋଟ ୧କୋଟି ୮୭ଲକ୍ଷ ୪୨୯୫ ଟଙ୍କାର ସମ୍ପତ୍ତି ବାହାରିଥିଲା। ତାଙ୍କର ଆୟ ୧କୋଟି ୨୬ ଲକ୍ଷ ଓ ବ୍ୟୟ ୫୫ଲକ୍ଷ ୮୭ହଜାର ୫୯୪ଟଙ୍କା। ଭିଜିଲାନ୍ସ ହିସାବକିତାବ କରିବା ପରେ ୯୨ପ୍ରତିଶତ ତଥା ୧କୋଟି ୧୬ଲକ୍ଷ ୫୩୮୩ ଟଙ୍କା ଆୟବହିର୍ଭୂତ ସମ୍ପତ୍ତି ଥିବା ସୂଚନା ଦେଇଛି। ସୁନାଗହଣା ୨ଲକ୍ଷ ୨୯ହଜାର, ଜମିଜମାର ମୂଲ୍ୟ ୨୮ଲକ୍ଷ ୯୭ହଜାର, ସାଗରପଡ଼ା ଘର ୩୯ଲକ୍ଷ ୩୫ ହଜାର, ଇନ୍ଦିରାନଗର ଘର ୧୧ଲକ୍ଷ ୨ ହଜାର, ଗୁପ୍ତେଶ୍ୱରନଗର ଘର ୬୦ ଲକ୍ଷ ୪୨ହଜାର, ବ୍ୟାଙ୍କ ଡିପୋଜିଟ ୨୦ଲକ୍ଷ ୮୮ହଜାର, ଯାନବାହନ ୮ଲକ୍ଷ ୯୦ ହଜାର, ଘରକରଣା ୩ଲକ୍ଷ ୩୯ ହଜାର, ଇଲୋକକ୍ଟୋନିକ୍ସ ସାମଗ୍ରୀ ଆଦି ୨ଲକ୍ଷ ୮୭ହଜାର ଥିବା ଭିଜିଲାନ୍ସ କହିଛି। ସମ୍ବଲପୁର ଭିଜିଲାନ୍ସ ଡିଭିଜନ ପକ୍ଷରୁ ହୋଇଥିବା ଚଢ଼ଉରେ ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର ଜିଲ୍ଲାର ଭିଜିଲାନ୍ସ ଡିଏସପି, ଇନିସ୍ପେକ୍ଟରମାନେ ସାମିଲ ଥିଲେ।

ସମ୍ବନ୍ଧିତ ଖବର