ଆୟ ବହିର୍ଭୂତ ସମ୍ପତ୍ତି ରଖିବା ଅଭିଯୋଗରେ ରେଞ୍ଜରଙ୍କ ଘର ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ, ୭୩ ଲକ୍ଷ ଟଙ୍କାର ସ୍ଥାବର, ଅସ୍ଥାବର ସମ୍ପତ୍ତି ଠାବ

ସମ୍ବଲପୁର : ଆୟ ବହିର୍ଭୂତ ସମ୍ପତ୍ତି ରଖିବା ଅଭିଯୋଗରେ ସମ୍ବଲପୁର ଜିଲ୍ଲା ପଡ଼ିଆବାହାଲ ରେଞ୍ଜ ଅଧିକାରୀ ସୁରେଶ ଚନ୍ଦ୍ର ମିର୍ଦ୍ଧାଙ୍କ ଘରେ ଗୁରୁବାର ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍‌ଙ୍କ ପକ୍ଷରୁ ଜାରି ସ୍ୱତନ୍ତ୍ର ୱାରେଣ୍ଟ ବଳରେ ସକାଳୁ ଏକସଂଗେ ଶ୍ରୀ ମିର୍ଦ୍ଧାଙ୍କ ପୁଟିବନ୍ଧସ୍ଥିତ ବାସଭବନ ସମେତ ସେହି ଅଞ୍ଚଳରେ ଥିବା ଜ୍ୱାଇଁ ପ୍ରଦୀପ ମିର୍ଦ୍ଧାଙ୍କ ଘରେ, ସମ୍ବଲପୁର ଜିଲ୍ଲା ଧମା ଥାନା ବିଶିଡେରା ଗ୍ରାମରେ ଥିବା ଫାର୍ମ ହାଉସ୍‌ରେ ଓ ସଦର ଥାନା ପଡ଼ିଆବାହାଲରେ ଥିବା ତାଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍‌ ଚଢ଼ଉ କରିଥିବା ଭିଜିଲାନ୍‌ସ ଡିଏସ୍‌ପି ଦିଲ୍ଲୀପ କୁମାର କର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଚଢ଼ଉ ବେଳେ ଶ୍ରୀ ମିର୍ଦ୍ଧାଙ୍କ ଘରୁ ମୋଟ ୭୩ ଲକ୍ଷ ୯୫ ହଜାର ୪୨୬ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଥିବା ସେ କହିଛନ୍ତି।

ଶ୍ରୀ ମିର୍ଦ୍ଧାଙ୍କ ନାମରେ ସମ୍ବଲପୁର ମହାନଗର ଅନ୍ତର୍ଗତ ପୁଟିବନ୍ଧରେ ଏକ ଦୁଇ ମହଲା କୋଠା ରହିଛି ଯାହାର ମୂଲ୍ୟ ୪୧,୧୭,୦୬୯ ଟଙ୍କା ହେବ। ବିଶିଡେରାସ୍ଥିତ ଫାର୍ମ ହାଉସ୍‌, ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲ୍ଲାର ୩ଟି ପ୍ଲଟର ମୂଲ୍ୟ ୫,୪୪,୮୫୯ ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି। ଏହାବାଦ୍‌ ମୂଲ୍ୟବାନ ଘରକରଣା ସାମଗ୍ରୀ, ସୂନା ଓ ରୂପା ଅଳଙ୍କାର, ଏକ ମହିନ୍ଦ୍ରା ବଲେରୋ, ଏକ ଆକ୍ଟିଭା ସ୍କୁଟିର ମୂଲ୍ୟ ୧୬, ୩୬, ୦୫୭ ଟଙ୍କା ଓ ବିଭିନ୍ନ ବ୍ୟ‌ାଙ୍କରେ ୧୦,୩୭,୦୭୬ ଟଙ୍କା ଜମା ରହିଥିବା ଜଣାପଡ଼ିଛି। ଏହାସହିତ ଚଢ଼ଉ ସମୟରେ ଶ୍ରୀ ମିର୍ଦ୍ଧାଙ୍କ ଘରୁ ନଗଦ ୬୦ ହଜାର ୩୬୫ ଟଙ୍କା ମଧ୍ୟ ମିଳିଥିବା ସମ୍ବଲପୁର ଭିଜିଲାନ୍ସ ଏସ୍‌ପିଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି। ଅପରପକ୍ଷେ, ଚଢ଼ଉ ପରେ ଶ୍ରୀ ମିର୍ଦ୍ଧା ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ୩୬ ବର୍ଷର ଚାକିରି ଭିତ‌ରେ ମୁଁ ନିଜ କଷ୍ଟ ଉପାର୍ଜିତ ଦରମାରୁ ଏସବୁ ସମ୍ପତ୍ତି କରିଛି, ଏଥିରେ କୌଣସି ଅନିୟମିତତା ନାହିଁ।

ସମ୍ବନ୍ଧିତ ଖବର