୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆକାଉଣ୍ଟାଣ୍ଟ

ନବରଙ୍ଗପୁର: ମଧ୍ୟାହ୍ନ ଭୋଜନ ପରିବହନ ବିଲ୍ କରାଇଦେବା ପାଇଁ ୧ ଲକ୍ଷ ଟଙ୍କା ଲାଞ୍ଚ ନେବେ ବେଳେ ଧରାପଡିଲେ ଆକାଉଣ୍ଟାଣ୍ଟ। ଆଜି ସଂଧ୍ୟା ପ୍ରାୟ ୬ଟା ବେଳେ ମଧ୍ୟାହ୍ନ ଭୋଜନ ପରିବହନ ବାବଦରେ ଥିବା ବିଲ୍ କରାଇଦେବା ପାଇଁ ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ମଧ୍ୟାହ୍ନ ଭୋଜନ ଦାୟିତ୍ବରେ ଥିବା ଆକାଉଣ୍ଟାଣ୍ଟ ବିକାଶ ସାନା ଭିଜିଲାନସ୍ ହାତରେ ଧରାପଡିଛନ୍ତି। ଶ୍ରୀ ସାନା ମଧ୍ୟାହ୍ନ ଭୋଜନ ପ୍ରୋଗ୍ରାମର ଓ  ଆକାଉଣ୍ଟାଣ୍ଟ ଦାୟିତ୍ବରେ ରହିଥିଲେ।

ଭିଜିଲାନ୍ସ ବିଭାଗ ଠାରୁ ମିଳିଥିବା ସୂଚନା ଅନୁଯାୟୀ ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟନ ପାଇଁ ପରିବହନ ଠିକାଦାର ମୋହନ ଚୌରାସିଆଙ୍କ ପ୍ରାୟ ୧୦ ଲକ୍ଷ ଟଙ୍କା ବିଲ୍ ଓ ୨ ଲକ୍ଷ ଟଙ୍କା ଅମାନତ ରାଶି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବକେୟା ରହିଥିଲା। ଏହି ବିଲ୍ କରାଇଦେବା ପାଇଁ ଶ୍ରୀ ସାନା କୁଆଡେ ୨ ଲକ୍ଷ ଟଙ୍କା ଠିକାଦାରଙ୍କୁ ମାଗିଥିଲେ। ସେ ଏ ନେଇ ଭିଜିଲାନସ୍ ର ଦ୍ବାରସ୍ଥ ହୋଇଥିଲେ।

ତେବେ ବିଲ୍ କରାଇଦେବା ନେଇ ୧ ଲକ୍ଷ ଟଙ୍କା ଦେବା ପାଇଁ ଡିଲ୍ ହୋଇଥିଲା। ଆଜି ସଂଧ୍ୟା ସମୟରେ ଠିକାଦାର ର କର୍ମଚାରୀ କିରନ ପଟ୍ଟନାୟକ ପୂର୍ବ ଡିଲ୍ ମୁତାବକ ୧ ଲକ୍ଷ ଟଙ୍କା ଦେବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ସେ କାର୍ଯ୍ୟାଳୟରେ ୧ ଲକ୍ଷ ଟଙ୍କା ଦେବା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସର ଅଧିକାରୀମାନେ ଟଙ୍କା ସହ ଶ୍ରୀ ସାନାଙ୍କୁ କାବୁ କରିଥିଲେ। ଶ୍ରୀ ସାନା ଭିଜିଲାନ୍ସ  ହାତରେ ଧରାପଡିବା ପରେ ଭିଜିଲାନସ୍ ବିଭାଗ ଡିଇଓ କାର୍ଯ୍ୟାଳୟ, ନବରଙ୍ଗପୁର ଠାରେ ସେ ରହୁଥିବା ଭଡା ଘର ଓ ତାଙ୍କର ପୈତିୃକ ବାସଭବନ ଉମରକୋଟ ନିକଟସ୍ଥ ସିଲାଟି ରେ ଚଢ଼ଉ କରିଥିଲେ। ଏ ସଂକ୍ରାନ୍ତରେ କୋରାପୁଟ ଭିଜିଲାନ୍ସ କାର୍ଯ୍ୟାଳୟରେ କେସ ନଂ ୧୭/୨୨ ରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁ ରହିଥିବାର କହିଛନ୍ତି ଜୟପୁର ଭିଜିଲାନସ୍ ଡିଏସପି ରୂପଧର ନାୟକ। ତଦନ୍ତ ସରିବା ପରେ ସବିଶେଷ ତଥ୍ୟ ହସ୍ତଗତ ହେବ ବୋଲି ଡିଏସପି ଶ୍ରୀ ନାୟକ କହିଛନ୍ତି। ଏହି ଚଢ଼ଉରେ ଅନ୍ୟମାନଙ୍କ ମଧ୍ୟରେ ନବରଙ୍ଗପୁର ଭିଜିଲାନ୍ସ କାର୍ଯ୍ୟାଳୟର ଭାରପ୍ରାପ୍ତ ଡିଏସପି କଳାବତି ବାଗ, ଜୟପୁର ଇନିସେକ୍ଟେର ଅନୁଭା ଦାସ, ବଙ୍କିମ୍ ବବାଲି ଓ ଷ୍ଟାଫ ଏହି ଚଢ଼ଉରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର