ବ୍ରହ୍ମପୁର: ଗଂଜାମ ଜିଲ୍ଲା ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ପୁଣିଥରେ ଅଡ଼ୁଆରେ ପଡ଼ିଛନ୍ତି। ଭୁବନେଶ୍ୱରସ୍ଥିତ ଲୋକାୟୁକ୍ତଙ୍କ ଠାରୁ ଅନୁମତି ପାଇବା ପରେ ଭିଜିଲାନ୍‌ସ ବିଭାଗ ବିଧାୟକ ପାଣିଗ୍ରାହୀଙ୍କ ପଛରେ ପଡ଼ି ଯାଇଛି। କଟକ ଭିଜିଲାନ୍‌ସ ଟିମ୍‌ ବ୍ରହ୍ମପୁର ଭିଜିଲାନ୍‌ସ ବିଭାଗର ସହାୟତାରେ ଆଜି ବ୍ରହ୍ମପୁରରେ ବିଧାୟକଙ୍କ ସମ୍ପର୍କୀୟ ଓ ସହଯୋଗୀଙ୍କ ଘରେ ଚଢ଼ଉ କରିଛନ୍ତି। ବ୍ରହ୍ମପୁର ସହର ସମେତ ଆଖାପାଖ ଅଞ୍ଚଳରେ ଥିବା ସମ୍ପର୍କୀୟ, ସହଯୋଗୀଙ୍କ ଘର ଏବଂ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନ ଏଭଳି ମୋଟ ୧୫ଟି ସ୍ଥାନରେ ଏକକାଳୀନ ଚଉ କରି ଖୋଳତାଡ଼ ଜାରି ରଖିଛି ଭିଜିଲାନ୍‌ସ ବିଭାଗ। ବିଧାୟକ ପ୍ରଦୀପ ଠୁଳ କରିଥିବା ଆୟ ବର୍ହିଭୂତ ସମ୍ପତ୍ତି ଠାବ କରିବା ପାଇଁ ଏଭଳି ଚଉ ଜାରି ରହିଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଚଢ଼ଉ ସମାପ୍ତ ହେବା ପରେ ଭିଜିଲାନ୍‌ସ ତରଫରୁ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି।

Advertisment

ତେବେ କଟକ ଭିଜିଲାନ୍‌ସ ସେଲ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସଂଧ୍ୟା ସୁଦ୍ଧା ବିଧାୟକ ଡ. ପ୍ରଦୀପଙ୍କ ସମ୍ପର୍କୀୟ ଓ ସହଯୋଗୀଙ୍କ ଘରୁ ଜମି କାଗଜପତ୍ର, ଗାଡ଼ି, ସୁନା ଗହଣା, ବ୍ୟାଙ୍କ ପାସବୁକ୍‌, କ୍ରେଡିଟ୍‌ ଏବଂ ଡେବିଟ୍‌ କାର୍ଡ଼, ଲାପଟପ୍‌ ଓ ମୋବାଇଲ୍‌ ମିଳିଛିଯ ଏହା ସହିତ ଜଣେ ସହଯୋଗୀଙ୍କ ଘରୁ ୨୦ଲକ୍ଷ ଟଙ୍କା ଜବତ କରାଯାଇଥିବା କଟକ ଭିଜିଲାନ୍‌ସ ସେଲ୍‌ ତରଫରୁ ଜାରି କରାଯାଇଥିବା ପ୍ରେସ୍‌ ବିଜ୍ଞପ୍ତିରେ ଉଲ୍ଲେଖ ରହିଛିଯ ଏ ଦିଗରେ ଭିଜିଲାନ୍‌ସ ବିଭାଗ ଅଧିକ ଖୋଳତାଡ଼ ଜାରି ରଖିଛି।

publive-image

ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଟଙ୍କା ଠକେଇ ମାମଲାରେ ଛନ୍ଦି ହେବା ପରେ ଗୋପାଳପୁର ବିଧାୟକ ଡ. ପାଣିଗ୍ରାହୀଙ୍କୁ କ୍ରାଇମ୍ବ୍ରାଞ୍ଚ ଗତ ଡିସେମ୍ବର ୩ତାରିଖରେ ଗିରଫ କରିଥିଲା। ଏପରିକି ତାଙ୍କୁ ବିଜେଡି ଦଳରୁ ବହିଷ୍କୃତ କରାଯାଇଥିଲା। କିଛି ମାସ ଜେଲ୍‌ରେ ରହିବା ପରେ ଶେଷରେ ସେ ଜାମିନ୍‌ ପାଇଥିଲେ। ତାଙ୍କ ବିରୋଧରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ଆସିଥିଲା। ଏଣୁ ଓଡ଼ିଶା ଭିଜିଲାନ୍‌ସ ବିଭାଗ ଦ୍ଵାରା ଏହି ଅଭିଯୋଗର ତଦନ୍ତ କରି ଲୋକୟୁକ୍ତଙ୍କ ନିକଟରେ ରିପୋର୍ଟ ଦାଖଲ କରାଯାଇଥିିଲା।

ରିପୋର୍ଟରେ ଥିବା ପ୍ରମାଣ ଓ ଦସ୍ତାବିଜକୁ ଆଧାର କରି ଗତ ଡିସେମ୍ବର ୧୧ତାରିଖରେ ବିଧାୟକ ଡ. ପାଣିଗ୍ରାହୀଙ୍କ ବିରୋଧ ତଦନ୍ତ କରିବା ପାଇଁ ଲୋକୟୁକ୍ତ ନିର୍ଦ୍ଦେଶ ଦେଇଥିଲେ। ଡ. ପାଣିଗ୍ରାହୀ ଜନପ୍ରତିନିଧି ଥିବା ସମୟରେ ୨୦୦୯ ମେ ୨୪ତାରିଖରୁ ୨୦୨୦ ନଭେମ୍ବର ୩୦ତାରିଖ ମଧ୍ୟରେ ୫କୋଟି ୫ଲକ୍ଷ ୪ହଜାର ୬୫୬ ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍‌ସ ବିଭାଗର ତଦନ୍ତରେ ଜଣାପଡ଼ିଥିଲା, ଯାହାର ରିପୋର୍ଟ ଗତ ମେ ୨୮ତାରିଖରେ ଭିଜିଲାନ୍‌ସ ବିଭାଗ ଲୋକାୟୁକ୍ତଙ୍କ ନିକଟରେ ଦାଖଲ କରିଛି।

ଏହି ରିପୋର୍ଟକୁ ଭିତ୍ତି କରି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ନେଇ ପ୍ରାଥମିକ ପ୍ରମାଣ ମିଳିବାରୁ ଲୋକାୟୁକ୍ତ ତଦନ୍ତ ଜାରି ରଖିବାକୁ ଭିଜିଲାନ୍‌ସ ବିଭାଗକୁ ଅନୁମତି ଦେଇଥିଲେ। ଏପରିକି ଆବଶ୍ୟକସ୍ଥଳେ ଚଢ଼ଉ କରିବା ପାଇଁ ମଧ୍ୟ କ୍ଷମତା ପ୍ରଦାନ କରିଥିଲେ। ସେ ନେଇ ଭିଜିଲାନ୍‌ସ ବିଭାଗର ଜଣେ ଏସ୍‌.ପି.ଙ୍କ ନେତୃତ୍ୱରେ ଦୁଇଜଣ ଏଏସ୍ପି, ୧୭ଜଣ ଡିଏସ୍‌ପିଙ୍କ ନେତୃତ୍ୱରେ ୧୫ଟି ସ୍ଥାନରେ ଏକକାଳୀନ ଚଉ ଜାରି ରହିଛି। ବ୍ରହ୍ମପୁର କୋର୍ଟପେଟା ବିଦ୍ୟା ନଗର, ବଡ଼କୁଶସ୍ଥଳୀ, ନରେନ୍ଦ୍ରପୁର, ଲାଞ୍ଜିପଲ୍ଲୀ, ମାଣ୍ଡିଆପଲ୍ଲୀ ଭଳି ଅଞ୍ଚଳରେ ରହୁଥିବା ଡ. ପାଣିଗ୍ରାହୀଙ୍କ ସହଯୋଗୀ ଓ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍‌ସ ଚଢ଼ଉ କରିଛି। ଖବର ଲେଖାଯିବା ସୁଦ୍ଧା ଏମାନଙ୍କ ନିକଟରୁ କେତେ ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ମିଳିଛି ତାହା ଭିଜିଲାନ୍‌ସ ବିଭାଗ ସ୍ପଷ୍ଟ କରି ନାହିଁ।