ଦେବଗଡ଼ ପୌର ନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍‌ସ ଚଢ଼ଉ

ଦେବଗଡ଼/ବ୍ରଜରାଜନଗର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍‌ସ ପକ୍ଷରୁ ମଙ୍ଗଳବାର ଦେବଗଡ଼ ପୌର ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନଙ୍କ ସରକାରୀ ବାସଭବନ, କାର୍ଯ୍ୟାଳୟ, ପୈତୃକ ଘର ଓ ଶ୍ବଶୁର ଘରେ ଚଢ଼ଉ କରାଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀ ପ୍ରଧାନଙ୍କ ନାମରେ ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗ ପରେ ଭିଜିଲାନ୍‌ସର ୨ ଡିଏସ୍‌ପି ଓ ୪ ଇନ୍‌ପେକ୍ଟର୍‌ଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ବ୍ରଜରାଜନଗରର ରାଜପୁରର କଟାପାଲିରେ ଶ୍ରୀ ପ୍ରଧାନଙ୍କର ପୈତୃକ ଘର, ବନହରପାଲୀସ୍ଥିତ ଶ୍ବଶୁର ଘର, ଦେବଗଡ଼ସ୍ଥିତ ସରକାରୀ ବାସଭବନ ଏବଂ କାର୍ଯ୍ୟାଳୟରେ ଏକ ସମୟରେ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ତାଙ୍କର ଏକ ଦ୍ବିତଳ କୋଠାଘର ସମେତ ୨ଟି ବାଇକ୍‌, ବିଭିନ୍ନ ବ୍ୟାଙ୍କ ଓ ପୋଷ୍ଟ ଅଫିସରେ ଜମା, ସୁନା ଓ ରୁପା ଅଳଙ୍କାର, ନଗଦ ଟଙ୍କା ଆଦିକୁ ମିଶାଇ ମୋଟ୍‌ ୭୦, ୬୪, ୧୨୯ ଟଙ୍କାର ସମ୍ପତ୍ତି ଥିବା ଜଣାପଡ଼ିଥିଲା।

ଭିଜିଲାନ୍‌ସ ବିଭାଗର ସୂଚନା ଅନୁଯାୟୀ ବିଭିନ୍ନ ବ୍ୟାଙ୍କ ଏବଂ ପୋଷ୍ଟ୍‌ ଅଫିସରେ ୩୫, ୮୬, ୬୦୩ ଟଙ୍କା, ଝାରସୁଗୁଡ଼ା ବ୍ରଜରାଜନଗରସ୍ଥିତ ଦ୍ବିତଳ କୋଠାଘର ଯାହାର ମୂଲ୍ୟ ୨୮, ୩୬, ୬୦୦ ଟଙ୍କା, ୧, ୩୪, ୨୨୪ ଟଙ୍କାର ଦୁଇଟି ବାଇକ୍‌, ୯୨, ୩୭୦ ନଗଦ ଟଙ୍କା, ୫୭, ୫୫୦ ଟଙ୍କାର ସୁନା ଓ ରୁପା ଅଳଙ୍କାର, ୩, ୫୬, ୭୮୨ ଟଙ୍କାର ଆସବାବପତ୍ର ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଶ୍ରୀ ପ୍ରଧାନ ପୌର ପରିଷଦରେ ବହୁ ଦୁର୍ନୀତିରେ ସଂପୃକ୍ତି ଥିବା ଅଭିଯୋଗ ହୋଇଥିଲା। ତଦନ୍ତ ଜାରି ରହିଥିବା ଭିଜିଲାନ୍‌ସ ବିଭାଗ ପକ୍ଷରୁ କୁହାଯାଇଛି। ଭିଜିଲାନ୍‌ସ ଡିଏସ୍‌ପି ଦାଶରଥି ସେଠୀ, ଇନ୍‌ସପେକ୍ଟର୍‌ ଯୋଗେଶ ପଟେଲ ଓ କର୍ଣ୍ଣେଲସ ବିଲୁଙ୍ଗଙ୍କ ନେତୃତ୍ୱରେ ଏହି ଚଢ଼ଉ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର