ଯାଜପୁରସଦର/ଆନନ୍ଦପୁର/ଭଦ୍ରକ : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଶାଳପଡ଼ା ବୈତରଣୀ କେନାଲ ଡିଭିଜନର ସହକାରୀ ଯନ୍ତ୍ରୀ ଉମେଶ ଚନ୍ଦ୍ର ଶାସିନୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ଶାଳପଡ଼ା ସରକାରୀ ବାସଭବନ ସମେତ ୮ଟି ସ୍ଥାନରେ ଭଦ୍ରକ, ବାରିପଦା, ବାଲେଶ୍ବର ଓ କେନ୍ଦୁଝର ଜିଲ୍ଲାର ଭିଜିଲାନ୍ସ ଟିମ୍‌ ମିଳିତ ଭାବେ ଚଢ଼ଉ କରିଛନ୍ତି। ଉମେଶଙ୍କ ନିଜଘର ଭଦ୍ରକ ଜିଲ୍ଲାର ଅପର୍ତ୍ତିବିନ୍ଧା ଗ୍ରାମ, ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଥିବା ଫ୍ଲାଟ୍‌ ନମ୍ବର ୩୦୩, ହାଟଡିହି ବ୍ଲକ୍‌ ନନ୍ଦିପଦା ଥାନା ଅନ୍ତର୍ଗତ ବେକ୍ତିରା, ଆନନ୍ଦପୁରର ଶୁଡ଼ୁଶୁଡ଼ିଆରେ ଥିବା ପ୍ଲଟ୍, ଭୁବନେଶ୍ୱରର ବାଲିଅନ୍ତା ଥାନା ଅଞ୍ଚଳର ପ୍ଲଟ୍‌, ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ମଠସାହିସ୍ଥିତ ଶ୍ବଶୁର ଘର, କେନ୍ଦୁଝରସ୍ଥିତ କାର୍ଯ୍ୟାଳୟରେ ଚଢ଼ଉ କରାଯାଇଛି। ଶାଳପଡ଼ାସ୍ଥିତ ସରକାରୀ କ୍ବାର୍ଟର୍ସରେ ଚଢ଼ଉବେଳେ ପ୍ରାୟ ୫୦୦ ଗ୍ରାମ ସୁନା, ୩୫ ହଜାର ନଗଦ ଟଙ୍କା ସମେତ ୧୧ଟି ଜମିର କାଗଜପତ୍ର ଜବତ ହୋଇଥିବା ନେଇ ସୂଚନା ମିଳିଛି।

Advertisment

ଆଜି ଭୋର ୬ଟାରୁ ଏଠାରେ ଭିଜିଲାନ୍ସ ବିଭାଗର ଏକ ୭ଜଣିଆ ଟିମ୍ ପହଞ୍ଚି ଚଢ଼ଉ ଆରମ୍ଭ କରିଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ଭିଜିଲାନ୍ସ ଅଧିକାରୀ ଖୋଳତାଡ଼ ଜାରି ରଖିଛନ୍ତି।
ସୂଚନାଯୋଗ୍ୟ, ସହକାରୀ ଯନ୍ତ୍ରୀ ଉମେଶ ଚନ୍ଦ୍ର ଶାସିନୀ ଦୀର୍ଘଦିନ ହେବ ଆନନ୍ଦପୁର ଶାଳପଡ଼ା ବୈତରଣୀ କେନାଲ ଡିଭିଜନରେ କାର୍ଯ୍ୟରତ ଅଛନ୍ତି। ତାଙ୍କର ବଦଳି ହେଉନଥିଲା। ତାଙ୍କ ନାମରେ ପୂର୍ବରୁ ଦୁର୍ନୀତି ଅଭିଯେୋଗ ଆସିଥିଲେ ବି ତାହାକୁ ଚାପି ଦିଆଯାଇଥିଲା ବୋଲି କୁହାଯାଉଛି। ଅଧିକ ତଦନ୍ତ ପରେ ତାଙ୍କ ଆୟ ବହିର୍ଭୂତ ସମ୍ପତ୍ତିର ପରିମାଣ ଜଣାପଡ଼ିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।