ସିଟି ସ୍କୁଲର ସହକାରୀ ଶିକ୍ଷୟତ୍ରୀଙ୍କ ଘରେ ଭିଜିଲାନସ୍ ଚଢ଼ାଉ; ୯ଟି ପ୍ଲଟ, ୨ଟି ଘର ସହ କୋଟିଏରୁ ଅଧିକ ଟଙ୍କାର ସଂପତ୍ତି ଠାବ

ଭୁବନେଶ୍ୱର : ପୁଣି ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ଜଣେ କୋଟିପତି ସରକାରୀ ଶିକ୍ଷୟତ୍ରୀ । ତାଙ୍କ ନାଆଁ ତିଳୋତ୍ତମା ମହାନ୍ତି ବୋଲି ଜଣାପଡ଼ିଛି। ସେ ଭୁବନେଶ୍ୱରର ୟୁନିଟ-୬ରେ ଥିବା ସିଟି ସ୍କୁଲରେ ସହକାରୀ ଶିକ୍ଷୟତ୍ରୀଭାବେ କାର୍ଯ୍ୟରତ ଅଛନ୍ତି। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ତିଳୋତ୍ତମା ମହାନ୍ତିଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ।

ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଏକ ଟିମ ସୂଚନା ମୁତାବକ, ଭୁବନେଶ୍ୱର ୟୁନିଟ ୬ ସିଟି ସ୍କୁଲର ସହକାରୀ ଶିକ୍ଷୟତ୍ରୀ ତିଳୋତ୍ତମା ମହାନ୍ତିଙ୍କ ଘରେ ଚଢାଉ ଜାରି ରଖିଛି।ତିଳୋତ୍ତମାଙ୍କର ୟୁନିଟ-୯ର ଗୋପବନ୍ଧୁ ଛକ ପାଖରେ ଥିବା ସରକାରୀ ବାସଭବନ ସମେତ ଅନ୍ୟ ୩ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ଚଢାଉ କରିଥିବା ଜଣାପଡ଼ିଛି ।

ତାଙ୍କ ଘରୁ ଅନେକ ଜରୁରୀ କାଗଜପତ୍ର ସହ ୯ଟି ପ୍ଲଟ, ୨ଟି ଘର, ବ୍ୟାଙ୍କ ବାଲାନ୍ସ ସହ କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇଥିବାର ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି ।

ସହକାରୀ ଶିକ୍ଷୟତ୍ରୀ ତିଳୋତ୍ତମା ମହାନ୍ତିଙ୍କ ସ୍ବାମୀ ଜଣେ ଏଲଆଇସି ଏଜେଣ୍ଟ ବୋଲି ମଧ୍ୟ ଜଣାଯାଇଛି।

ସମ୍ବନ୍ଧିତ ଖବର