ଭୁବନେଶ୍ବର: ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି; ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ପୂର୍ତ୍ତ ବିଭାଗର ଡିଭିଜନ୍‌-୩ର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘରେ ଚଢ଼ଉ ବେଳେ ଆଉ ଜଣେ ସହକାରୀ ଯନ୍ତ୍ରୀଙ୍କ ଗୁମର ଖୋଲିଛି। ସେ ଆଉ କେହି ନୁହନ୍ତି; ସେହି ଡିଭିଜନ୍‌ର ସହକର୍ମୀ ତଥା ରାଜକିଶୋରଙ୍କ ଘନିଷ୍ଠ ସହଯୋଗୀ ସହକାରୀ ଯନ୍ତ୍ରୀ ଅଶୋକ ପଣ୍ଡା। ତେବେ ଯେମିତି ସରକାରୀ ଅଫିସରେ ସହଯୋଗୀ; ସେମିତି ବେଆଇନ ଟଙ୍କା ରୋଜଗାରରେ ମଧ୍ୟ କେହି କାହାଠୁ କମ୍‌ ନୁହେଁ। ଯାଞ୍ଚ ବେଳେ ଜଣାପଡ଼ିଥିଲା ଯେ ରାଜକିଶୋର ଓ ଅଶୋକ ମିଶି ସେମାନଙ୍କ ପତ୍ନୀଙ୍କ ନାଁରେ କସ୍‌ମୋପଲିସ୍‌ ଆପାର୍ଟମେଣ୍ଟରେ ଏକ ଫ୍ଲାଟ୍‌ କିଣିଥିଲେ। ରାଜକିଶୋରଙ୍କ ଭଳି ଅଶୋକଙ୍କର ମଧ୍ୟ ରାଜଧାନୀରେ ୪ମହଲା କୋଠା, ସପିଂ ମଲ୍‌ରେ ଆଉଟ୍‌ଲେଟ୍‌ସପ୍‌, ପ୍ରମୁଖ ଅଞ୍ଚଳରେ ପ୍ଲଟ୍‌ ଉପରେ ପ୍ଲଟ୍‌। ସୁନାଗହଣା, ଟଙ୍କା ପଇସା କଥା ନକହିବା ଭଲ। ବାବୁ ଶୌଖୀନ ବ୍ରାଣ୍ଡର ଡ୍ରେସ୍‌ ସାଙ୍ଗକୁ ଭଳିକି ଭଳି ଘଣ୍ଟା କଲେକ୍ସନ କରିଛନ୍ତି। ଖାଲି ସେତିକି ନୁହେଁ ବାବୁ ଫାଙ୍କା ପାଇଲେ ବିଦେଶ ଭ୍ରମଣରେ ବି ଯାଆନ୍ତି। ସବୁଠୁ ବଡ଼କଥା ହେଲା ରାଜକିଶୋରଙ୍କ ଘ‌ରେ ଭିଜିଲାନ୍ସ ଚଢ଼ଉ ଦେଖି ଖସିବା ପାଇଁ ବାବୁ ସପରିବାର ସହ ଘରେ ରହି ବାହାରୁ ତାଲା ମାରିଥିଲେ। ହେଲେ ନଛୋଡ଼ବନ୍ଧା ଭିଜିଲାନ୍ସ ପିଛା ଛାଡ଼ିନଥିଲା।  ଭିଜିଲାନ୍ସ ଟିମ୍‌ ସେଠାରେ ଚଢ଼ଉ ପାଇଁ ଯିବା ବେଳକୁ ବାହାରୁ ତାଲା ଥିବା ଦେଖି ଦ୍ବନ୍ଦ୍ବରେ ପଡ଼ିଥିଲେ। କିଛି ସମୟ ସେଠାରେ ରହିବା ପରେ ଝରକା ପଟୁ ଟଙ୍କା ବିଡ଼ା ଓ ଗହଣା ଭର୍ତ୍ତି ବ୍ୟାଗ୍‌ ଫୋପଡ଼ା ଯିବା ଦେଖି ଘର ଭିତରେ ଲୋକଥିବା ସ୍ପଷ୍ଟ ହୋଇଥିଲା। ଭିଜିଲାନ୍ସ ଟିମ୍‌ ସବୁ ଜାଣିପାରିବା ପରେ ବାବୁ କବାଟ ଖୋଲିଥିଲେ। ପରେ ଭିଜିଲାନ୍ସ ଟିମ୍‌ ତାଙ୍କର ୬ଟି ସ୍ଥାନରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ତାଙ୍କର ୧୩କୋଟିରୁ ଊର୍ଧ୍ବ ଟଙ୍କାର ସମ୍ପତ୍ତି ଠାବ କରାଯାଇଛି।

Advertisment

ରାଜକିଶୋରଙ୍କ ଘନିଷ୍ଠ ସହଯୋଗୀ 
ଟଙ୍କା, ଗହଣା ବ୍ୟାଗ୍‌ ଫିଙ୍ଗିଦେଲେ
ଭିଜିଲାନ୍ସକୁ ଦେଖି ଖୋଲିଲେନି କବାଟ
ଫ୍ଲାଟ୍‌, ପ୍ଲଟ୍‌, ସପ୍‌, ସୁନା ଗହଣା ଠାବ
୬ସ୍ଥାନରେ ଚଢ଼ଉ, ୧୩  କୋଟିର ସମ୍ପତ୍ତି ଠାବ

ତେବେ ଆଜି ଅର୍ଥାତ୍‌ ବୁଧବାର ଦିନ  ଭିଜିଲାନ୍ସର ୬ଟି ଟିମ୍‌ ପଟିଆ ସୋମନାଥନଗର, ଡୁମୁଡୁମା, କସ୍‌ମୋପଲିସ୍‌, ରୁଦ୍ରପୁର, ସରକାରୀ କାର୍ଯ୍ୟାଳୟ ସମେତ ୬ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲା। ଯାଞ୍ଚ ସମୟରେ ଶ୍ରୀ ପଣ୍ଡାଙ୍କ ଭୁବନେଶ୍ବରରେ ପଟିଆ ସେମନାଥନଗରରେ ୩ କୋଟି ମୂଲ୍ୟର ଏକ ବିଳାସପୂର୍ଣ୍ଣ ୪ ମହଲା କୋଠା, କସ୍‌ମୋପଲିସ୍‌ରେ ୨କୋଟି ମୂଲ୍ୟର ୪ବିଏଚ୍‌କେ ଫ୍ଲାଟ୍‌, ଡୁମୁଡୁମା ବୋର୍ଡ କଲୋନିରେ କୋଟିଏ ଟଙ୍କା ମୂଲ୍ୟର ଏକ ଏଲ୍‌ଆଇଜି କୋଠା, ପାହାଳ ଅଞ୍ଚଳରେ ଥିବା ସିମ୍ଫୋନି ମଲ୍‌ରେ କୋଟିଏ ଟଙ୍କା ମୂଲ୍ୟର ଏକ ସପ୍‌, ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ରେ ୨ କୋଟି ମୂଲ୍ୟର ଆଉ ୨ଟି ସପ୍‌ ଠାବ କରାଯାଇଛି। ଖାଲି ଏତିକି ନୁହେଁ ବାବୁଙ୍କର ପାଖାପାଖି ସାଢ଼େ ୩ କୋଟି ମୂଲ୍ୟର ଭୁବନେଶ୍ବରର ପ୍ରମୁଖ ସ୍ଥାନରେ ୭ଟି ଓ ପୁରୀରେ ଗୋଟିଏ ମୋଟ ୮ଟି ପ୍ଲଟ୍‌ ଠାବ କରାଯାଇଛି। ଏଥିସହିତ ୨୧ଲକ୍ଷ ଟଙ୍କାର ଘରକରଣା ଜିନିଷ ଏବଂ  ୩୮ଲକ୍ଷ ଟଙ୍କାର ବ୍ୟାଙ୍କଜମା, ବୀମା ଓ ବଣ୍ଡ୍‌ ରହିଛି। ସେହିପରି ୧୨୬ ଗ୍ରାମର ସୁନାଗହଣା, ୧୧୭ ଗ୍ରାମର ରୁପା ଗହଣା, ନଗଦ ୧ଲକ୍ଷ ୩୩ ହଜାର ଟଙ୍କା, ଗୋଟିଏ କାର୍‌ ଜବତ କରାଯାଇଛି। ଠାବ ହୋଇଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମୂଲ୍ୟ ୧୩ କୋଟି ଟପିଯିବ। ତେବେ ଯାଞ୍ଚ ଜାରି ରହିଥିବାରୁ ସମ୍ପତ୍ତି ପରିମାଣ ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ତେବେ ଭିଜିଲାନ୍ସ ଟିମ୍‌ ଯାଞ୍ଚ ବେଳେ ଆଉ ଏକ ଦିଗ ପଦାକୁ ଆସିଥିଲା ଯେ ବାବୁ ତାଙ୍କ ବନ୍ଧୁଙ୍କ ଭଳି ଭୁବନେଶ୍ବର ମୋହରେ ପଡ଼ିଥିଲେ। ଭଲ ରୋଜଗାର ହେଉଥିବାରୁ ଏଠାରୁ ଛାଡ଼ିଯିବାକୁ ମନ ବଳାଉନଥିଲେ। ୨୦୦୭ ମସିହାରେ ଅସ୍ଥାୟୀ ଭାବେ କାର୍ଯ୍ୟରେ ଯୋଗଦେଇ  ୨୦୧୩ ମସିହାରେ ନିଯୁକ୍ତି ପାଇଥିବା ଏହି କୁବେର ବାବୁ ନିଜର ୧୮ ବର୍ଷ ଚାକିରି କାଳରେ ସମ୍ବଲପୁର ଓ  ଖୋର୍ଦ୍ଧାକୁ ଛାଡ଼ିଲେ ୧୬ ବର୍ଷରୁ ଅଧିକ ସମୟ ଭୁବନେଶ୍ବରରେ କାଟିଥିଲେ। ଅନ୍ୟପଟେ ସହକାରୀ ଯନ୍ତ୍ରୀ ଶ୍ରୀ ପଣ୍ଡା ଏତେ ପରିମାଣର ଟଙ୍କା କେଉଁଠୁ ଆଣୁଥିଲେ? କେଉଁମାନେ ତାଙ୍କୁ ଟଙ୍କା ଦେଉଥିଲେ? ତାଙ୍କ ଚାକିରି ସମୟରେ ହୋଇଥିବା ସମସ୍ତ ବଡ଼ ବଡ଼ ପ୍ରକଳ୍ପ ଏବଂ କେଉଁଥିରେ ଦୁର୍ନୀତି ହୋଇଛି, ସମସ୍ତ ଦିଗକୁ ନେଇ‌ ଖୋଳତାଡ଼ କରୁଛି ଟିମ୍‌।