ବ୍ୟାସନଗର: ଯାଜପୁରରୋଡ୍‌ରେ ଅବସ୍ଥାପିତ ସିଟି ଜିଏସ୍‌ଟିର ଅତିରିକ୍ତ ଆୟୁକ୍ତ ବିନୟ ଭୂଷଣ ତ୍ରିପାଠୀଙ୍କ ଘରେ ଭିଜିଲାନ୍‌ସ ଚଢ଼ଉ କରାଯାଇଛି। ଶ୍ରୀ ତ୍ରିପାଠୀଙ୍କ ଘର ସମେତ ୫ଟି ସ୍ଥାନରେ ଚଢ଼ଉ ଜାରି ରହିଛି। ଭୁବନେଶ୍ବରସ୍ଥିତ ସରକାରୀ କ୍ବାର୍ଟର୍ସ, ଖୋର୍ଦ୍ଧା ନିରାକାରପୁରସ୍ଥିତ ପୈତୃକ ବାସଭବନ, ନିରାକାରପୁର ପଦ୍ମପୁରସ୍ଥିତ ଫାର୍ମ ହାଉସ୍‌, ଭୁବନେଶ୍ବର, ବରମୁଣ୍ଡାସ୍ଥିତ ଫ୍ଲାଟ୍‌, କେନ୍ଦ୍ରପଡ଼ା ଜିଲ୍ଲା, ପାଟକୁରା, ଯଦୁପୁରସ୍ଥିତ ଘରେ ଚଢ଼ଉ କରାଯାଇଛି। ଡିଏସ୍‌ପି ପାହ୍ୟାର ଅଧିକାରୀଙ୍କ ସମେତ ୧୪ ଜଣ ଇନ୍‌ସପେକ୍ଟର ଚଢ଼ଉରେ ସାମିଲ ହୋଇଛନ୍ତି। ଯାଜପୁରରୋଡ୍‌ର ସିଟି ଜିଏସ୍‌ଟି ଅତିରିକ୍ତ କମିସନର ବିନୟ ଭୂଷଣ ତ୍ରିପାଠୀ ଗତ ମେ ମାସ ୭ ତାରିଖରେ ରାବଣାଠାରେ ବେଆଇନ ଭାବେ ପରିବହନ କରୁଥିବା ଏକ ସ୍କ୍ରାପ୍‌ ଗାଡ଼ି (ଓଡି-୦୪ଏଲ୍‌-୨୨୩୩)କୁ ଅଟକ ରଖିଥିଲେ। ବେଆଇନ ଭାବେ ପରିବହନ କରୁଥିବା ଏହି ସ୍କ୍ରାପ୍‌ ଗାଡ଼ି ମୁକୁଳାଇବା ପାଇଁ ସେ ଗାଡ଼ିମାଲିକଙ୍କ ପାଖରୁ ଅଢ଼େଇ ଲକ୍ଷ ଟଙ୍କା ଦାବି କରିଥିଲେ। ଗାଡ଼ି ମାଲିକ ଟଙ୍କା ନ ଦେବାରୁ ଏଥିରେ ଥିବା ସ୍କ୍ରାପକୁ ଶ୍ରୀ ତ୍ରିପାଠୀ ଅନ୍ୟ ଜଣେ ସ୍କ୍ରାପ୍‌ ବ୍ୟବସାୟୀଙ୍କୁ ବିକ୍ରି କରିଦେଇଥିଲେ। ଏ ସଂପର୍କରେ ଅଭିଯୋଗ ହେବା ପରେ କଟକ ଭିଜିଲାନ୍‌ସ ପକ୍ଷରୁ ଚଢ଼ଉ କରାଯାଇଛି।

Advertisment

ଏସିଏସ୍‌ଓ ପ୍ରଦୀପ ମହାପାତ୍ର ଗିରଫ
ଆୟ ତୁଳନାରେ ୩୩୬ ପ୍ରତିଶତ ଅଧିକ ସଂପତ୍ତି

କଟକ: କେନ୍ଦ୍ରାପଡ଼ାର ଏସିଏସ୍‌ଓ ପ୍ରଦୀପ କୁମାର ମହାପାତ୍ରଙ୍କୁ ଆଜି ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି। ଆୟ ତୁଳନାରେ ୩୩୬ ପ୍ରତିଶତ ଅଧିକ ସଂପତ୍ତି ଠୁଳ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ବୋଲି ଭିଜିଲାନ୍ସ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ତାଙ୍କର ଭୁବନେଶ୍ବର ଓ କଟକରେ ୨ଟି ‌କୋଠା, ୨ଟି ପ୍ଲଟ, ୨ କୋଟି ୮୬ ଲକ୍ଷ ଟଙ୍କାର ଜମା, ୧ କୋଟି ୨୧ ଲକ୍ଷ ଟଙ୍କାର କ୍ୟାସ, ୮୫ ଭରି ସୁନା, ଗୋଟିଏ କାର, ଦୁଇଟି ବାଇକ, ୭ କୋଟି ୩୫ ଲକ୍ଷ ଟଙ୍କା ମୂଲ୍ୟର ଘର ଉପକରଣ ଇତ୍ୟାଦି ଭିଜିଲାନ୍ସ ଜବତ କରିଛି। ତାଙ୍କୁ ଆଜି କୋର୍ଟଚାଲାଣ କରାଯାଇଥିବା ବେଳେ ଜାମିନ ଖାରଜ ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଗତକାଲି ଶ୍ରୀ ମହାପାତ୍ର ଘର, ଅଫିସ ତଥା ସଂପର୍କୀୟଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଥିଲା।

ଭିଜିଲାନ୍‌ସ ଜାଲରେ ପଡ଼ି ପଦ ହରାଇଲେ ସରପଞ୍ଚ

କଣିହାଁ: କଣିହାଁ ବ୍ଲକ୍‌ ସୁସୁବା ପଞ୍ଚାୟତର ସରପଞ୍ଚ ମାମାଲି ସାମଲ ଭିଜିଲାନ୍‌ସ ଜାଲରେ ପଡ଼ି ସରପଞ୍ଚ ପଦ ହରାଇଛନ୍ତି। ପଞ୍ଚାୟତିରାଜ ବିଭାଗ ସ୍ଥାନୀୟ ନାଏବ ସରପଞ୍ଚଙ୍କୁ ସରପଞ୍ଚ ଦାୟିତ୍ବ ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ, ଏକ ଫାର୍ମ ପଣ୍ଡ ବାବଦ ବକେୟା ବିଲ୍ ପାସ୍‌ କରିବା ପାଇଁ ସୁସୁବା ସରପଞ୍ଚ ମାମାଲି ସାମଲ ଓ ତାଙ୍କ ସ୍ବାମୀ ଗତ ଜୁଲାଇ ୨୩ ତାରିଖରେ ଜଣେ ହିତାଧିକାରୀଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍‌ସ ବିଭାଗ ହାବୁଡ଼ରେ ପଡ଼ି ଜେଲ୍‌ ଯାଇଥିଲେ। ଏହାପରେ ରାଜ୍ୟ ପଞ୍ଚାୟତିରାଜ ବିଭାଗ ସରପଞ୍ଚ ମାମଲି ସାମଲଙ୍କୁ ନିଲମ୍ବିତ କରି ସରପଞ୍ଚ ଦାୟିତ୍ୱରୁ ହଟାଇବା ସହ ନାଏବ ସରପଞ୍ଚ ମୀରାବାଈ ପ୍ରଧାନଙ୍କୁ ଆଜି ସରପଞ୍ଚ ଦାୟିତ୍ବ ହସ୍ତାନ୍ତର କରିଛନ୍ତି। ଦାୟିତ୍ୱ ହସ୍ତାନ୍ତର ସମୟରେ ପଞ୍ଚାୟତର ଅଧିବାସୀ, ଜିଆର୍‌ଏସ୍‌ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।