ବାଜବାଟି ପାହାଡ଼ରେ ଭିଜିଲାନ୍ସ ଛାନ୍‌ଭିନ୍‌: ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଲୋକାୟୁକ୍ତ

ମାତ୍ରାଧିକ ଖନନ, କୋଟି କୋଟି ଟଙ୍କା ରାଜସ୍ବ ଫାଙ୍କି

ଯାଜପୁର/ଧର୍ମଶାଳା: କଳାପଥର କେଳେଙ୍କାରୀ ନେଇ ପୁଣି ଚର୍ଚ୍ଚାକୁ ଆସିଛି ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ। ଆରୁହା, ବିଛାଖଣ୍ଡି ପାହାଡ଼ ପରେ ଏବେ ବାଜବାଟି ପାହାଡ଼ ମାମଲାର ତଦନ୍ତ ଆରମ୍ଭ ହୋଇଛି। ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ଆଜି ଭିଜିଲାନ୍ସ ଟିମ୍ ବାଜବାଟି ପାହାଡ଼ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଧର୍ମଶାଳା ପାହାଡ଼ ପର୍ବତ ସୁରକ୍ଷା ମଞ୍ଚ ସଭାପତି ତଥା ବିଜେଡି ନେତା ସତୀଶ ବିଶ୍ବାଳ ବାଜବାଟି କଳାପଥର ଖାଦାନ ଲିଜ୍‌ରେ ବ୍ୟାପକ ଅନିୟମିତତା ନେଇ ଲୋକାୟୁକ୍ତରେ ଅଭିଯୋଗ କରିଥିଲେ। ଲିଜ୍‌ ସୀମା ବାହାରେ ଏବଂ ଅନୁମତି ଠାରୁ ଢେର ଅଧିକ ଖନନ କରାଯିବା ସହିତ ବିସ୍ଫୋରଣ ଦ୍ବାରା ସ୍ଥାନୀୟ ଅଞ୍ଚଳରେ ବ୍ୟାପକ କ୍ଷତି ହୋଇଥିବା ନେଇ ଲୋକାୟୁକ୍ତଙ୍କ ହସ୍ତ‌କ୍ଷେପ ଲୋଡ଼ିଥିଲେ। ଲୋକାୟୁକ୍ତରେ ଗତ ୨୦୨୧ ନଭେମ୍ବର ୨୦ରେ କେସ୍ ନମ୍ବର ୬୭୦/୨୧ ମାମଲା ରୁଜୁ ହୋଇଥିଲା। ଏଥିନେଇ ଯାଜପୁର ଜିଲ୍ଲାପାଳଙ୍କୁ ହୋଇଥିବା ନୋଟିସ୍ ଉତ୍ତରରେ ଏହି ପାହାଡ଼ରେ ପଥର ଉତ୍ତୋଳନରେ ଅନିୟମିତତା ହୋଇଥିବା ସ୍ବୀକାର କରିଥିଲେ। ଏଥିନେଇ ଜିଲ୍ଲାପାଳଙ୍କ ପତ୍ର ନମ୍ବର ୯୦୬ ତା୨୧/୦୧/୨୨ରେ ପାହାଡର ତିନୋଟି ଖାଦାନର ସୀମା ବାହାରେ ଅଧିକ ପଥର ଉତ୍ତୋଳନ କରାଯାଇଛି। ଖାଦାନର ସୀମା ଚିହ୍ନଟ ପାଇଁ ହୋଇଥିବା ପିଲାରଗୁଡିକୁ ଭାଙ୍ଗି ଅନ୍ୟତ୍ର ପକାଇ ଦିଆଯାଇଛି।

ଏଥିପାଇଁ ତହସିଲଦାରଙ୍କ ତରଫରୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । ୨୮ ଲକ୍ଷ ୩୩ ହଜାର ଟଙ୍କା ଜରିମାନା ଆଦାୟ ପାଇଁ ନୋଟିସ୍ ଦିଆଯାଇଛି ବୋଲି ଦର୍ଶାଇଥିଲେ। ଏହାସହ ଜିଲ୍ଲା ପ୍ରଶାସନର ମିଳିତ ତଦନ୍ତରେ ତିନୋଟି କ୍ରସର ୟୁନିଟ ଚଲାଇବା ପାଇଁ ଅନୁମତି ନଥିବାରୁ ଏହାକୁ ଜବତ କରାଯାଇଛି। ବାଜବାଟି ପାହାଡ଼ ସହ ଧର୍ମଶାଳା ତହସିଲର ଅନ୍ୟ ପାହାଡ଼ରେ ବେଆଇନ କଳାପଥର ଚାଲାଣ ନେଇ ପ୍ରଶାସନ ଅଧିକ ସତର୍କ ଦୃଷ୍ଟି ଦେବ ବୋଲି ଜିଲ୍ଲାପାଳ ପତ୍ରରେ ପ୍ରକାଶ କରିଥିଲେ। ଏଥିନେଇ ଅଭିଯୋଗକାରୀ ଶ୍ରୀ ବିଶ୍ବାଳ ଲୋକୟୁକ୍ତଙ୍କୁ ଦେଇଥିବା ପତ୍ରରେ ଚୋରି ହୋଇଥିବା କଳାପଥର ନେଇ ସ୍ଥାନୀୟ ତହସିଲଦାର ଏବଂ ରାଜସ୍ବ ନିରୀକ୍ଷକଙ୍କୁ ଦାୟୀ କରିଛନ୍ତି। ଏ କ୍ଷେତ୍ରରେ ଚୋରି ହୋଇଥିବା କଳାପଥର ବହୁକୋଟି ଟଙ୍କାର ବୋଲି ଶ୍ରୀ ବିଶ୍ବାଳ ଅଭିଯୋଗ କରିଛନ୍ତି। ଶକ୍ତିଶାଳୀ ବିସ୍ଫୋରଣ ଦ୍ବାରା ସ୍ଥାନୀୟ ଅଞ୍ଚଳର କୋଠାଘରଗୁଡ଼ିକ ଫାଟି ଯାଉଥିବାର ଶ୍ରୀ ବିଶ୍ବାଳ ଅଭିଯୋଗ କରିଛନ୍ତି। ଏହାଦ୍ବାରା ପରିବେଶ ନଷ୍ଟ ହେଉଥିବା ସେ ଅଭିଯୋଗ କରିଥିଲେ। ଆଜିର ତଦନ୍ତରେ ଭିଜିଲାନ୍ସ ଟିମ୍ ସହିତ ଧର୍ମଶାଳା ତହସିଲ, ଖଣି ବିଭାଗ, ପରିବେଶ ନିୟନ୍ତ୍ରଣ ବୋର୍ଡ଼ର ଆଞ୍ଚଳିକ କାର୍ଯ୍ୟାଳୟ ଅଧିକାରୀମାନେ ସାମିଲ ଥିଲେ। ଏ ସମ୍ପର୍କରେ ଲିଜଧାରୀ ଶ୍ରୀନିବାସ ଜେନା କହିଛନ୍ତି ଯେଉଁ ଅଧିକ ପରିମାଣର ଖନନ ହୋଇଥିବା ତହସିଲ ପକ୍ଷରୁ ଦାବି କରଯାଇଥିଲା ସେ ବାବଦ ଜରିମାନା ଅର୍ଥ ସେ ପୈଠ କରିଛନ୍ତି। ନିୟମ ଅନୁଯାୟୀ ଖନନ କରିଛନ୍ତି ବୋଲି ଶ୍ରୀ ଜେନା ଦାବି କରିଛନ୍ତି।

ପ୍ରକାଶ ଥାଉକି ବାଜବାଟି ମାମଲା ପୂର୍ବରୁ ବିଭିନ୍ନ ଅଭିଯୋଗକୁ ଭିତ୍ତି କରି ଏକାଧିକ ମାମଲା‌ କୋର୍ଟର ବିଚାଧୀନ ରହିଛି। ତେବେ କୋର୍ଟରେ ମାମଲା ପୂର୍ବରୁ ଜିଲ୍ଲା ପ୍ରଶାସନ ତଥା ରାଜସ୍ବ ବିଭାଗ ନିଜ ପକ୍ଷରୁ କୌଣସି ଗୋଟିଏ ବି ମାମଲା କରିବାକୁ ଉଦ୍ୟମ କରିନାହିଁ। ଏବେ କୁସୁନପୁର(ଜଙ୍ଗଲ ଜମି), ବରଡା, ବାଘୁଆ, ରାହାଡପୁର, ଲୁଣିବର ପ୍ରଭୃତି ଖାଦାନରେ ମାତ୍ରାଧିକ ବେଆଇନ ଖନନ ଓ ଚାଲାଣ ହୋଇଛି। ଯାହାକି ଜିଲ୍ଲା ପ୍ରଶାସନ ତଥା ତହସିଲର ଜାଣତରେ ଚାଲିଛି। ଏଗୁଡ଼ିକର ତଦନ୍ତ କେବେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର