ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ବ୍ରହ୍ମପୁର/ବୁଗୁଡ଼ା : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍‌ ଜଳସେଚନ ବିଭାଗର ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘର ସମେତ ୭ଟି ସ୍ଥାନରେ ଏକକଳୀନ ଚଢ଼ଉ କରିଛନ୍ତି। ସହକାରୀ ନିର୍ବାହୀ ଯନ୍ତ୍ରୀ(ଏଇଇ) ହେଉଛନ୍ତି ବିଷ୍ଣୁଚରଣ ସାହୁ, ଯିଏକି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଳସେଚନ ଡିଭିଜନ ଅନ୍ତର୍ଗତ ବାଘୁଆ ଜଳସେଚନ ପ୍ରକଳ୍ପ ପାଇଁ କାର୍ଯ୍ୟରତ ଅଛନ୍ତି।

ହସ୍ତଗତ ସୂଚନା ଅନୁସାରେ, ଶ୍ରୀ ସାହୁଙ୍କ ଘର ସମେତ ୯ଟି ସ୍ଥାନରେ ଚଢ଼ଉ ଚାଲିଛି। ବ୍ରହ୍ମପୁର ବିଜୟବିହାରରେ ଥିବା ୩ମହଲା କୋଠା, ନିଳାଦ୍ରୀବିହାରରେ ଥିବା ଦୁଇ ମହଲା କୋଠା, ବୁଗୁଡ଼ା ନୂଆସାହି ସ୍ଥିତ ଘର, ଲୋଚାପଡ଼ା ଗୋବିନ୍ଦବିହାରରେ ଥିବା ସହଯୋଗୀଙ୍କ ଘର, ବୁଗୁଡ଼ା ସନ୍ତୋଷୀ ମନ୍ଦିର ସାହିରେ ରହୁଥିବା ସହାୟକଙ୍କ ଘର, ବ୍ରହ୍ମପୁର ଶକ୍ତିନଗର ସ୍ଥିତ ସମ୍ପର୍କୀୟ ଘର, ବୁଗୁଡ଼ା ସ୍ଥିତ ଘର, ସରକାରୀ କ୍ବାର୍ଟର୍‌ ଓ ଅଫିସ୍‌ ଚାମ୍ବରରେ ଚଢ଼ଉ କରାଯାଇଛି। ବର୍ତ୍ତମାନ ସୁଦ୍ଧା ହୋଇଥିବା ଯାଞ୍ଚରେ ମୋଟ ୧ଲକ୍ଷ ୩୮ହଜାର ଟଙ୍କା ଜବତ ହୋଇଛି। ୩ମହଲା ଘର ମୂଲ୍ୟ ପ୍ରାୟ ୧.୩୮ କୋଟି ଟଙ୍କା ହେବ ବୋଲି ଭିଜିଲାନ୍ସ ବିଭାଗ ଆକଳନ କରିଛି। ୮ଲକ୍ଷ ୩୫ହଜାର ଟଙ୍କାର ସୁନା ଓ ରୁପା ଗହଣା ରହିଥିବା ବେଳେ ୧୧ଲକ୍ଷ ୪୮ହଜାର ଟଙ୍କାର ଘର କରଣା ସାମଗ୍ରୀ ରହିଥିବା ଭିଜିଲାନ୍ସ ସୂତ୍ରରୁ ପ୍ରକାଶ। ଏହାସହିତ ବ୍ରହ୍ମପୁରରେ ଦୁଇଟି ପ୍ଲଟ୍‌ ରହିଥିବା ବେଳେ ବ୍ୟାଙ୍କ, ପୋଷ୍ଟାଲ ଓ ବୀମା ବାବଦରେ ୮୫.୩୩ ଲକ୍ଷ ଟଙ୍କା ଏଇଇ ସାହୁ ଜମା କରିଥିବା ଭିଜିଲାନ୍ସ ବିଭାଗ ତାଲିକା ପ୍ରସ୍ତୁତ କରିଛି। ଏଇଇ ସାହୁଙ୍କ ନିକଟରେ ପ୍ରାୟ ୯.୯୯ ଲକ୍ଷର ଏକ ହ୍ୟୁଣ୍ଡାଇ କାର୍‌ ରହିଛି। ଯାହାକି ଜଣେ ଠିକାଦାରଙ୍କ ନାମରେ ରହିଥିବା ଭିଜିଲାନ୍ସର ତଦନ୍ତରେ ଜଣାପଡ଼ିଛି। ଏହାସହିତ ୩ଟି ବାଇକ୍‌ ରହିଛି। ଭିଜିଲାନ୍ସ ବିଭାଗର ଯାଞ୍ଚ୍‌ ସରି ନଥିବାରୁ ଚୂଡ଼ାନ୍ତ ସମ୍ପତ୍ତି ତାଲିକା ପ୍ରସ୍ତୁତ ହୋଇପାରି ନାହିଁ। ବର୍ତ୍ତମାନ ମଧ୍ୟ ଚଢ଼ଉ ଜାରି ରହିଛି। ଭିଜିଲାନ୍ସର ଜଣେ ଏଏସ୍‌ପିଙ୍କ ନେତୃତ୍ବରେ ଚାଲିଥିବା ଚଢ଼ଉରେ ୪ଜଣ ଡିଏସ୍‌ପି, ୯ଜଣ ଇନ୍‌ସ୍ପେକ୍ଟର୍‌ ଓ ଅନ୍ୟମାନେ ସାମିଲ ରହିଛନ୍ତି। ଭିଜିଲାନ୍ସ ଟିମ୍‌ର ଟେକ୍ନିକାଲ୍‌ ଟିମ୍‌ ମଧ୍ୟ ଚଢ଼ଉରେ ସହଯୋଗ କରୁଛି।

ସମ୍ବନ୍ଧିତ ଖବର