କୋଟିପତି କିରାଣିଙ୍କ ଘରେ ପଶିଲା ଭିଜିଲାନ୍ସ, କୋଠାବାଡ଼ି, ଜମି କାଗଜପତ୍ର ସହ ୮ଲକ୍ଷ ଟଙ୍କା ଜବତ

ବଲାଙ୍ଗୀର/ତୁଷୁରା : କୋଟିପତି କ୍ୟାସିୟରଙ୍କ ଘରେ ପଶିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଜିଲ୍ଲା ପୁଇନ୍ତଳା ବ୍ଲକ୍‌ରେ କ୍ୟାସିୟର ଭାବେ କାର୍ଯ୍ୟରତ କିରାଣି ରବୀନ୍ଦ୍ର ମହାନ୍ତିଙ୍କ ଘରେ ଚଢ଼ଉ କରିଛି। ତୁଷୁରା ନିକଟ ଡୁଙ୍ଗୁରିପାଲିସ୍ଥିତ ଘରେ ଭିଜିଲାନ୍ସ ଟିମ ଦ୍ୱାରା ସକାଳ ପ୍ରାୟ ୫ଟାରୁ ଚଢ଼ଉ ଆରମ୍ଭ ହୋଇଥିଲା। ଏକକାଳୀନ ବଲାଙ୍ଗୀର ସହରର ସାଗରପଡ଼ାରେ ଥିବା ବାସଭବନ, ଗୁଡ଼ଭେଲା ବ୍ଲକ୍‌ ଡୁଙ୍ଗୁରିପାଲିରେ ଥିବା ବାସଭବନ, ତୁଷୁରାରେ ଥିବା ଏକ ଦୁଇମହଲା କୋଠା, ପୁଇନ୍ତଲା ବ୍ଲକ୍‌ ଅଫିସ ଓ ଶ୍ରୀ ମହାନ୍ତିଙ୍କ ସ୍ତ୍ରୀ ମେଘମାଳା ପଟ୍ଟନାୟକଙ୍କ ଡୁଙ୍ଗୁରିପାଲିସ୍ଥିତ ୟୁପି ସ୍କୁଲରେ ଚଢ଼ଉ ହୋଇଥିଲା।

ଚଢ଼ଉରେ ୩ ଡିଏସ୍‌ପି, ୪ ଇନିସପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ। ସମ୍ବଲପୁର ଭିଜିଲାନ୍ସ ୟୁନିଟର ୪ଟି ଟିମ୍‌ ଏକକାଳୀନ ସବୁଠି ଚଢ଼ଉ କରିଛନ୍ତି। ପ୍ରାଥମିକ ରିପୋର୍ଟ ଅନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ ୨ଟି ତିନିମହଲା କୋଠା, ଗୋଟିଏ ୨ ମହଲା କୋଠା, ୯ଟି ପ୍ଲଟ୍‌, ୨ଟି ଚାରିଚକିଆ, ୨ଟି ଦୁଇଚକିଆ ଏବଂ ନଗଦ ୮ଲକ୍ଷ ୬ ହଜାର ୭ ଶହ ଟଙ୍କା ଜବତ କରାଯାଇଥିବା ଜଣାପଡ଼ିଛି। ତାଙ୍କ ବାସଭବନରେ ବିଭିନ୍ନ କାଗଜପତ୍ର ତଥା ତୁଷୁରା ଓ ଗୁଡ଼ଭେଲାର ବିଭିନ୍ନ ବ୍ୟାଙ୍କରେ ଥିବା ତାଙ୍କ ଆକାଉଣ୍ଟ ଯାଞ୍ଚ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ସେ ପୂର୍ବରୁ କାର୍ଯ୍ୟ କରୁଥିବା ତୁଷୁରା ତହସିଲରେ ମଧ୍ୟ ଯାଞ୍ଚ କରାଯାଇଥିଲା। ବଲାଙ୍ଗୀର ଡିଏସ୍‌ପି ସଦାନନ୍ଦ ପାଣି, ସମ୍ବଲପୁର ଡିଏସ୍‌ପି ସୁଜାତା ପଣ୍ଡା, ଡିଏସ୍‌ପି ଏମ୍‌.ମିଞ୍ଜ ଏବଂ ଅନ୍ୟାନ୍ୟ ଭିଜିଲାନ୍ସ ଅଧିକାରୀମାନେ ଏହି ଚଢ଼ଉରେ ସାମିଲ ଥିଲେ।

ସମ୍ବନ୍ଧିତ ଖବର