ଭବାନୀପାଟଣା : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି କଳାହାଣ୍ଡି ଜିଲ୍ଲା କ୍ଷୁଦ୍ର ଜଳସେଚନ ବିଭାଗ କେବିକେ ସର୍କଲ ଅତିରିକ୍ତ ମୁଖ୍ୟଯନ୍ତ୍ରୀ କନ୍ଦର୍ପ ପ୍ରଧାନଙ୍କ ଭବାନୀପାଟଣାସ୍ଥିତ ଅଫିସ୍‌, ସରକାରୀ ବାସଭବନ, ଖୋର୍ଦ୍ଧା ଓ ଅନୁଗୁଳର ୮ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଥିଲା।

Advertisment

ଭୁବନେଶ୍ବର ସହିଦ ନଗରସ୍ଥିତ ଇମ୍ପେରିଆ ଆପାର୍ଟମେଣ୍ଟ ପ୍ରଥମ ମହଲାର ଥ୍ରି ବିଏଚ୍‌କେ ଫ୍ଲାଟ ନମ୍ବର–୧୦୧, ଭୁବନେଶ୍ବର ଖାରବେଳ ନଗର ବୈଷ୍ଣୋ ରିଜେନ୍ସିର ପ୍ରଥମ ମହଲାର ୨ ବିଏଚ୍‌କେ ଫ୍ଲାଟ ନମ୍ବର–୧, ରସୁଲଗଡ଼ ବୈଷ୍ଣୋ ମୋନାର୍କ ଆପାର୍ଟମେଣ୍ଟ ୨–ବିଏଚ୍‌କେ ଫ୍ଲାଟ ନମ୍ବର–୩୦୧, ଅନୁଗୁଳରେ ତୁରଙ୍ଗ ମୈାଜା ଖାତା ନମ୍ବର–୧୫୩, ପ୍ଲଟ ନମ୍ବର–୧/୬୮୨ ଠାରେ ୨ ମହଲା ନିର୍ମାଣାଧୀନ କୋଠା, ଅନୁଗୁଳର ଖିଲାର ମୈାଜା ପ୍ଲଟ ନମ୍ବର
୧୬୯/ଖାତା ନମ୍ବର ୩୮୨, ପ୍ଲଟ ନମ୍ବର–୧୬୯/୪୯୨୭ ଖାତା ନମ୍ବର ୬୪୯/ ୪୮୬ ଗୋଟିଏ ପ୍ଲଟ ଶ୍ରୀ ପ୍ରଧାନଙ୍କ ଥିବା ଚଢ଼ଉ ବେଳେ ଜଣାପଡ଼ିଛି।

ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ବନ୍ତଳସ୍ଥିତ ପୈତୃକ ଘର, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରସ୍ଥିତ ଏମ୍‌ଆଇ କଲୋନି ସରକାରୀ ବାସଭବନ, କେବିକେ ଏମ୍‌ଆଇ ସର୍କଲ ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକାସାଙ୍ଗରେ ଚଢ଼ଉ ହୋଇଥିଲା। ଏଥି ନିମନ୍ତେ ୮ଟି ଟିମ ଗଠନ କରାଯାଇ ୪ ଜଣ ଡିଏସ୍‌ପି, ୧୦ ଜଣ ଇନ୍ସପେକ୍ଟରଙ୍କ ନେତୃତ୍ବରେ ଚଢ଼ଉ କରାଯାଇଥିଲା। ଭୁବନେଶ୍ବର ଭିଜିଲାନ୍ସ ସ୍ବତନ୍ତ୍ର ଜଜ୍‌ଙ୍କ ଦ୍ବାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଚଢ଼ଉ କରାଯାଇ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଯାଞ୍ଚ କରାଯାଇଛି। ଆଜି କନ୍ଦର୍ପ ପ୍ରଧାନ ଭୁବନେଶ୍ବରରେ ଥିବା ଯୋଗୁଁ ସେଠାରୁ ଭିଜିଲାନ୍ସ ବିଭାଗ ତାଙ୍କୁ କାବୁ କରି ଭବାନୀପାଟଣା ତଦନ୍ତ ନିମନ୍ତେ ଆଣୁଛି। ଶନିବାର ସେ ପହଞ୍ଚିବା ପରେ ତଦନ୍ତରେ ଅଗ୍ରଗତି ହେବ ବୋଲି ଭିଜିଲାନ୍ସ ସୂତ୍ରରୁ ପ୍ରକାଶ।