କୋଟିପତି ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ସୁନ୍ଦରଗଡ଼ରୁ ଦେଢ଼କୋଟିର ସମ୍ପତ୍ତି ଠାବ

ସୁନ୍ଦରଗଡ଼ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଗ୍ରାମ୍ୟ ନିର୍ମାଣ ବିଭାଜନ ବିଭାଗ ହେମଗିରି ଉପ-ବିଭାଜନର ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ବେହେରାଙ୍କ ଘର ଓ ଅଫିସ ସମେତ ୭ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ। କେବଳ ସୁନ୍ଦରଗଡ଼ରୁ ତାଙ୍କର ଦେଢ଼କୋଟିର ସମ୍ପତ୍ତି ଠାବ ହୋଇଛି।

ସୂଚନା ଅନୁସାରେ, ଶ୍ରୀ ବେହେରାଙ୍କ ସୁନ୍ଦରଗଡ଼ କେନ୍ଦୁପଡ଼ାସ୍ଥ ଭଡ଼ାଘର, ଲେଫ୍ରିପଡ଼ାସ୍ଥ କାର୍ଯ୍ୟାଳୟ ଓ ସରକାରୀ ବାସଭବନ, ସୁନ୍ଦରଗଡ଼ ବିଭାଜନ କାର୍ଯ୍ୟାଳୟ, ଭଦ୍ରକ ସହର ମଧ୍ୟରେ ଥିବା ଦୁଇମହଲା ବାସଭବନ, ଭଦ୍ରକ ଜିଲ୍ଲା ବନ୍ତରେ ଥିବା ପୈତୃକ ବାସଭବନ ତଥା ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ସିନ୍ଦୋଲସ୍ଥ ଶ୍ବଶୁର ଘରେ ଏହି ଚଢ଼ାଉ କରାଯାଇଥିଲା। ଭିଜିଲାନ୍ସର ୪ ଜଣ ଡିଏସ୍‌ପି, ୧୦ ଇନ୍ସପେକ୍ଟର, ୪ ଏଏସ୍‌ଆଇ ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ୭ଟି ଟିମ୍‌ ଏହି ଚଢ଼ଉରେ ସାମିଲ୍‌ ହୋଇଥିଲେ। ସକାଳେ ଚଢ଼ଉ ଆରମ୍ଭ ହୋଇଥିବା ବେଳେ ପ୍ରାଥମିକ ଭାବେ କେବଳ ସୁନ୍ଦରଗଡ଼ରୁ ଦେଢ଼କୋଟିର ସମ୍ପତ୍ତି ଠାବ ହୋଇଥିବା ସୂଚନା ଆସିଛି। ଏହି ସମ୍ପତ୍ତି ମଧ୍ୟରେ ଭଦ୍ରକଟାଉନ୍‌ ଜଗନ୍ନାଥପୁରରେ ୫ ହଜାର ବର୍ଗଫୁଟ୍‌ର ଏକ ୨ ମହଲା କୋଠା, ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍‌ ଗାଁରେ ଥିବା ଏକମହଲା ଘର (ଏହାର ମୂଲ୍ୟାୟନ ଚାଲିଛି), ଭଦ୍ରକ ଟାଉନ୍‌ ଜଗନ୍ନାଥପୁରରେ ପ୍ଲଟ୍‌ ନମ୍ବର ୮୬୧/୧୭୨୮ ଓ ଖାତା ନମ୍ବର ୨୯୦/୭୯୭ରେ ଜମି, ଯାଜପୁର ଜିଲ୍ଲା ଚନ୍ଦମାରେ ପ୍ଲଟ୍ ନମ୍ବର ୫୩୦/୩୮୧୮ ଓ ଖାତା ନମ୍ବର ୭୭୧/୭୮୧ରେ ୩.୪ ଲକ୍ଷର ଜମି (ଯାହାର ପ୍ରକୃତମୂଲ୍ୟ ବହୁତ ହେବ ବୋଲି ଭିଜିଲାନ୍ସ କହୁଛି), ୧.୬୭ କୋଟିର ବ୍ୟାଙ୍କ, ଡାକଜମା ଓ ବୀମା, ୨୦୦ ଗ୍ରାମର ସୁନାଗହଣା, ୧୦.୫ ଲକ୍ଷର ନଗଦ, ୨ ଚକିଆ ଓ ଘରୋଇ ଆସବାବପତ୍ର ଆଦି ଠାବ କରାଯାଇଥିବା ଭିଜିଲାନ୍ସ କହିଛି। ଏହାବ୍ୟତୀତ ଇଂ. ବେହେରା ନିଜ ଦୁଇ ସନ୍ତାନଙ୍କ ଡାକ୍ତରୀପଢ଼ାରେ ୮୧.୮୦ ଲକ୍ଷ ଖର୍ଚ୍ଚ କରିଥିବା ଜଣାପଡ଼ିଛି।

ଇଂ. ବେହେରାଙ୍କୁ ଆୟ ବାବଦରେ ପଚରାଉଚରା ଚାଲିଥିବାବେଳେ ଚଢ଼ଉ ଶେଷହେବାବେଳକୁ ପରିମାଣ ବହୁତ ବଢ଼ିଯିବ ବୋଲି ଭିଜିଲାନ୍ସ ସୂତ୍ରରୁ ଜଣାପଡ଼ିଛି। ଖବର ଲେଖାହେବାବେଳକୁ ଚଢ଼ଉ ଚାଲିଛି।

ସମ୍ବନ୍ଧିତ ଖବର