ଜଳେଶ୍ବର/ଛତ୍ରପୁର : କୋଟିପତି ଜଳେଶ୍ବର ବିଡିଓ ଅଶ୍ବିନୀ କୁମାର ଦାସଙ୍କ ଉପରେ ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନକୁ ସପ୍ତାହେ ନପୂରୁଣୁ ଆଜି ପୁଣି ଯୋଗାଣ ବିଭାଗର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଜନାର୍ଦ୍ଦନ ପଲେଇଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି। ଜନାର୍ଦ୍ଦନ ବାଲେଶ୍ବର ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଅଫିସ୍ ଅଧୀନରେ ଥିବା ଆର୍ଆର୍ସି (ରାଇସ୍ ରିସିଭିଂ ସେଣ୍ଟର) ଓ ଜଳେଶ୍ବରସ୍ଥିତ ଡିଷ୍ଟ୍ରିକ୍ଟ ଷ୍ଟୋରେଜ୍ ସେଣ୍ଟର (ଡିଏସ୍ସି)ରେ ଆଣ୍ଟି ସ୍ମଗ୍ଲିଂ ଗାର୍ଡ ଭାବେ କାର୍ଯ୍ୟରତ ଅଛନ୍ତି। କିଛିବର୍ଷ ପୂର୍ବରୁ ସେ ଜଳେଶ୍ବରସ୍ଥିତ ଲକ୍ଷ୍ମଣନାଥ ଓ ଆମ୍ବିଳିଅଠା ୟୁନିଫାଏଡ୍ ତନଖି ଫାଟକରେ ମଧ୍ୟ ଆଣ୍ଟି ସ୍ମଗ୍ଲିଂ ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ। ଚଢ଼ଉ ପରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ କାବା ହୋଇଯାଇଛନ୍ତି।
ଶୁକ୍ରବାର ଭୋର୍ ସମୟରେ ଜନାର୍ଦ୍ଦନଙ୍କ ଜଳେଶ୍ବର ନୂଆବଜାରସ୍ଥିତ ଧାରାଷ୍ଟକରେ ଥିବା ବାସଭବନ, ନୂଆବଜାରସ୍ଥିତ ଅଫିସ୍, ୬୦ ନମ୍ବର ଜାତୀୟ ରାଜପଥ ଶାନ୍ତିଆସ୍ଥିତ ଢାବା, ଧାରାଷ୍ଟକସ୍ଥିତ ଶାଳକ ଘର ଓ ଗଞ୍ଜାମ ଜିଲ୍ଲା ଛତ୍ରପୁର ହାମ୍ବରସ୍ଥିତ ପୈତୃକ ଘର ସମେତ ମୋଟ ୫ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଥିଲା। ଯାଞ୍ଚ ସମୟରେ ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଗୋଟିଏ ପ୍ଲଟ୍, ଜଳେଶ୍ବରରେ ୧୧ଟି ପ୍ଲଟ୍ ସହ ଏକାଧିକ ଜୀବନବୀମା ପଲିସି, ଡାକଘର ଓ ବିଭିନ୍ନ ବ୍ୟାଙ୍କରେ ୫୫.୧୫ ଲକ୍ଷ ଟଙ୍କାର ଜମା, ଧରାଷ୍ଟକରେ ୫୬ ଡେସିମିଲ୍ ଜମି ଉପରେ ୩୩୦୦ ସ୍କୋୟାର୍ ଫୁଟ୍ର ବିଳାସପୂର୍ଣ୍ଣ ଘର ତଥା ୬୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ବ ଶାନ୍ତିଆ ଗାଁରେ ୫ ଡେସିମିଲ୍ ଜମି ଉପରେ ୨୮୦୦ ସ୍କୋୟାର୍ ଫୁଟ୍ର ବ୍ୟାବସାୟିକ ଘର ରହିଥିବା ଜଣାପଡ଼ିଛି। ଚଢ଼ଉ ବେଳେ ୨୨୦ ଗ୍ରାମର ସୁନା ଓ ୨୫୦ ଗ୍ରାମ୍ର ରୁପା ମଧ୍ୟ ମିଳିଛି। ଜନାର୍ଦ୍ଦନଙ୍କ ପଞ୍ଜାବ ନ୍ୟାସ୍ନାଲ୍ ବ୍ୟାଙ୍କ ଜଳେଶ୍ବର ଶାଖାରେ ଏକ ଲକର୍ ଥିବା ବେଳେ ତାକୁ ସିଲ୍ କରିଛି ଭିଜିଲାନ୍ସ। ଜନାର୍ଦ୍ଦନଙ୍କ ସମ୍ପତ୍ତି ମୂଲ୍ୟ ଆକଳନ ପାଇଁ ଭିଜିଲାନ୍ସ ଟିମ୍ ନାକେଦମ୍ ହୋଇଥିବାବେଳେ ଖବର ଲେଖା ହେବାବେଳକୁ ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧.୪ କୋଟିରୁ ଅଧିକ ବୋଲି ଜଣାପଡ଼ିଛି। ତେବେ, ସମ୍ପତ୍ତି ଆକଳନ ସରି ନଥିବା ବେଳେ ଆହୁରି ବଢ଼ିବାର ସମ୍ଭାବନା ଥିବା ଭିଜିଲାନ୍ସର ଜଣେ ଅଧିକାରୀ କହିଛନ୍ତି। ଆଜି ଚଢ଼ଉରେ ଭିଜିଲାନ୍ସ ବିଭାଗର ୪ ଜଣ ଡିଏସ୍ପି ଓ ୫ ଜଣ ଇନ୍ସପେକ୍ଟରଙ୍କୁ ମିଶାଇ ମୋଟ ୪୫ ଜଣ ଅଧିକାରୀ, କର୍ମଚାରୀ ସାମିଲ ହୋଇଥିଲେ।