ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ : ଅବସରପ୍ରାପ୍ତ କୃଷି ପରିଦର୍ଶକଙ୍କ ସଂସ୍ଥା ଓ ବାସଭବନରେ ଭିଜିଲାନ୍ସ ଚଢ଼ଉ

ସୁନ୍ଦରଗଡ଼/ବରଗଡ଼ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳ ୬ଟାରୁ ବରଗଡ଼ ଜିଲ୍ଲା ଅତାବିରା ଭୁତଟ୍ରିକାସ୍ଥିତ ଅବସରପ୍ରାପ୍ତ କୃଷି ପରିଦର୍ଶକ ଫକୀର କର୍ଣ୍ଣଙ୍କ ବାସଭବନ ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଛି। ଏକକାଳୀନ ଭାବେ ବରଗଡ଼ ଅତାବିରାସ୍ଥିତ ସରକାରୀ ଚକୁଳି ଫାର୍ମ, ଭୁତଟିକ୍ରା ପୈତୃକ ଘର, ଭୁବନେଶ୍ବର ଶୈଳଶ୍ରୀ ବିହାରସ୍ଥିତ ଭଡ଼ା ଘର ଓ ସୁନ୍ଦରଗଡ଼ରେ ନିଜ ପତ୍ନୀ ସନ୍ତୋଷିନୀ କର୍ଣ୍ଣଙ୍କ ତତ୍ତ୍ବାବଧାନରେ ଚାଲିଥିବା ଏଏନ୍‌ଏମ୍‌, ଜିଏନ୍‌ଏମ୍‌ ଓ ମାହେଶ୍ବରୀ ବିଜ୍ଞାନ ମହାବିଦ୍ୟାଳୟରେ ଚଢ଼ଉ କରି ସମ୍ପତ୍ତି ଆକଳନ କରୁଛନ୍ତି ଭିଜିଲାନ୍ସ ଦଳ। ଆକଳନ ଚାଲିଥିଲେ ହେଁ ବର୍ତ୍ତମାନ ସୁଦ୍ଧା ୧ କୋଟି ୧୪ ଲକ୍ଷ ୯୨ ହଜାର ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେଥି ମଧ୍ୟରେ ୨ ଇନୋଭା, ୨ଟି ବଲେରୋ ସହ ଆଉ ଏକ ଚାରି ଚକିଆ ଗାଡ଼ି, ଗୋଟିଏ ବସ୍‌ ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି।

ଶ୍ରୀ କର୍ଣ୍ଣ ସୁନ୍ଦରଗଡ଼ରେ ୬ଟି ଘର ଭଡ଼ା ନେଇ ପତ୍ନୀଙ୍କ ଜରିଆରେ ଏସବୁ ଆବାସିକ ତାଲିମ କେନ୍ଦ୍ର ଓ ମହାବିଦ୍ୟାଳୟ ପରିଚାଳନା କରି ଆସୁଛନ୍ତି। ଅନ୍ୟପଟେ ତାଙ୍କ ନାମରେ ଜାଲ୍‌ ପ୍ରମାଣପତ୍ରର ଅନ୍ୟ ଏକ ଅଭିଯୋଗ ମଧ୍ୟ ରହିଥିବା ସୁନ୍ଦରଗଡ଼ ଭିଜିଲାନ୍ସ ଉପ ଅଧୀକ୍ଷକ ବୀରେନ୍ଦ୍ର ନାଏକ ପ୍ରକାଶ କରିଛନ୍ତି। ସୁନ୍ଦରଗଡ଼ରେ ଚାଲିଥିବା ଚଢ଼ଉରେ ଉପ ଅଧିକ୍ଷକ ଶ୍ରୀ ନାଏକଙ୍କ ସମେତ ଉପ ନିରୀକ୍ଷକ ସୁଧାଂଶୁ ଶେଖର ପୂଝାରୀ, ଉପ ନିରୀକ୍ଷକ ରୀତାରାଣୀ ପ୍ରଧାନ, ପି.କେ. ଆଇନ୍ଦ, ତୁଷାରକାନ୍ତ ମହନ୍ତଙ୍କ ସମେତ ସୁନ୍ଦରଗଡ଼, ରାଉରକେଲା ଓ ଝାରସୁଗୁଡ଼ାର ଭିଜିଲାନ୍ସ ଟିମ୍‌ ସାମିଲ ହୋଇଛନ୍ତି। ସେହିପରି ବରଗଡ଼ ଅତାବିରାରେ ବରଗଡ଼, ସମ୍ବଲପୁର ଓ ସୋନପୁର ଭିଜିଲାନ୍ସ ଟିମ୍‌ ଚଢ଼ଉ ଜାରି ରଖିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର