ଭିଜିଲାନ୍ସର ୬ମାସର ରିପୋର୍ଟ କାର୍ଡ : କୋର୍ଟରେ ଦୋଷୀ ସାବ୍ୟସ୍ତ ହାର ୩ ପ୍ରତିଶତ ବୃଦ୍ଧି

ରୁଜୁ ହୋଇଛି ୨୦୪ ମାମଲା, ଗିରଫ ହୋଇଛନ୍ତି ୧୩୪, ନିଯୁକ୍ତ ହେବେ ୧୦ ପ୍ରସିକ୍ୟୁସନ ଲିଆସନ୍‌ ଅଫିସର

କଟକ : ରାଜ୍ୟର ବିଭିନ୍ନ ଭିଜିଲାନ୍ସ କୋର୍ଟରେ ଚଳିତ ବର୍ଷ ପ୍ରଥମ ୬ମାସ ମଧ୍ୟରେ ଦୋଷୀ ସାବ୍ୟସ୍ତ ହାରରେ ୩ ପ୍ରତିଶତ ବୃଦ୍ଧି ହୋଇଛି। ପୂର୍ବରୁ ୨୦୧୬ ଓ ୨୦୧୭ ମସିହାରେ ଏହି ହାର ୪୭ ପ୍ରତିଶତ ରହୁଥିବାବେଳେ ଏବେ ପ୍ରଥମ ୬ମାସ ମଧ୍ୟରେ ୫୦ ପ୍ରତିଶତ ଛୁଇଁଛିି। ଜାନୁଆରିରୁ ଜୁନ୍‌ ମାସ ମଧ୍ୟରେ ୧୩୩ଟି ଭିଜିଲାନ୍ସ ମାମଲାର ବିଚାର ଶେଷ ହୋଇଛି। ସେଗୁଡ଼ିକ ମଧ୍ୟରୁ ୮ଜଣ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଯାଇଥିବାରୁ ସେହି ମାମଲା ଗୁଡ଼ିକର ଅନ୍ତ ଘଟିଛି ଓ ଆଉ ଗୋଟିଏ ମାମଲା ବନ୍ଦ ହୋଇଯାଇଛି। ବଳକା ମାମଲାଗୁଡ଼ିକ ଭିତରେ ୧୧ଜଣ ପ୍ରଥମ ଶ୍ରେଣୀ ଅଫିସର, ୭ଜଣ ଦ୍ୱିତୀୟ ଶ୍ରେଣୀ ଅଫିସର, ୪୬ଜଣ ତୃତୀୟ ଶ୍ରେଣୀ ଅଫିସର, ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସହ ଅନ୍ୟ ତିନିଜଣ ସରକାରୀ କର୍ମଚାରୀ ଓ ୮ଜଣ ବେସରକାରୀ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୋଇସାରିଛନ୍ତି। ଏହି ଅବଧି ମଧ୍ୟରେ ୧୭ଜଣ ସରକାରୀ କର୍ମଚାରୀ ସେମାନଙ୍କର ଚାକିରି ହରାଇଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ପ୍ରଥମ ଶ୍ରେଣୀ କର୍ମଚାରୀ ଓ ୧୬ଜଣ ତୃତୀୟ ଶ୍ରେଣୀ କର୍ମଚାରୀ ଅନ୍ତର୍ଭୁକ୍ତ।

ଭିଜିଲାନ୍ସ ପକ୍ଷରୁ ଚଳିତ ବର୍ଷ ରୁଜୁ ହୋଇଥିବା ବିଭିନ୍ନ ମାମଲା ଓ ବିଚାର ପ୍ରକ୍ରିୟା ସଂକ୍ରାନ୍ତରେ ଆଜି ଡିଜି ଦେବାଶିଷ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷ ବୈଠକ ବସିଥିଲା। ଏଥିରେ ବିଭିନ୍ନ ଡିଭିଜନ୍‌ର ଏସ୍‌ପି, ନିର୍ଦ୍ଦେଶାଳୟର ଅଧିକାରୀ, ପବ୍ଲିକ୍‌ ପ୍ରସିକ୍ୟୁଟର ଓ ଆଇନ୍‌ଜୀବୀମାନେ ଉପସ୍ଥିତ ଥିଲେ। ବର୍ଷର ପ୍ରଥମ ୬ମାସ ମଧ୍ୟରେ ୨୮୬ ଜଣଙ୍କ ବିରୋଧରେ ୨୦୪ ଭିଜିଲାନ୍ସ ମାମଲା ରୁଜୁ ହୋଇଥିଲାବେଳେ ସେମାନଙ୍କ ମଧ୍ୟରେ ୨୫ଜଣ ପ୍ରଥମ ଶ୍ରେଣୀ କର୍ମଚାରୀ, ୨୩ ଜଣ ଦ୍ୱିତୀୟ ଶ୍ରେଣୀ କର୍ମଚାରୀ, ୧୫୪ ଜଣ ତୃତୀୟ ଶ୍ରେଣୀ କର୍ମଚାରୀ, ୯ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ, ୨୮ଜଣ ଅନ୍ୟ ସରକାରୀ କର୍ମଚାରୀ ଓ ୪୭ଜଣ ବେସରକାରୀ ବ୍ୟକ୍ତି ଅନ୍ତର୍ଭୁକ୍ତ। ଉକ୍ତ ମାମଲାଗୁଡ଼ିକ ମଧ୍ୟରୁ ୧୧ଜଣ ଲେଖାଏଁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ କର୍ମଚାରୀ, ୨ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ, ଜଣେ ସରକାରୀ କର୍ମଚାରୀ ଓ ୧୮ଜଣ ବେସରକାରୀ ବ୍ୟକ୍ତିଙ୍କ ବିରୋଧରେ ଆୟ ବର୍ହିଭୂତ ମାମଲା ରୁଜୁ ହୋଇଛି। ସେହିପରି ୬ଜଣ ପ୍ରଥମ ଶ୍ରେଣୀ, ୮ଜଣ ଦ୍ୱିତୀୟ ଶ୍ରେଣୀ, ୭୬ ଜଣ ତୃତୀୟ ଶ୍ରେଣୀ, ୭ଜଣ ଚତୁର୍ଥ ଶ୍ରେଣୀ, ୫ଜଣ ଅନ୍ୟ ସରକାରୀ କର୍ମଚାରୀ ଲାଞ୍ଚ ନେବା ମାମଲାରେ ଧରାପଡ଼ିଛନ୍ତି। ସରକାରୀ ଟଙ୍କା ହେରଫେର୍‌ ଘଟଣାରେ ୮ଜଣ ପ୍ରଥମ ଶ୍ରେଣୀ, ୪ଜଣ ଦ୍ୱିତୀୟ ଶ୍ରେଣୀ, ୬୭ ଜଣ ତୃତୀୟ ଶ୍ରେଣୀ, ୨୨ଜଣ ଅନ୍ୟ ସରକାରୀ କର୍ମଚାରୀ ଓ ୨୯ଜଣ ବେସରକାରୀ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ରୁଜୁହୋଇଥିବା ମାମଲାଗୁଡ଼ିକ ମଧ୍ୟରୁ ୭୫ଟି ମାମଲାର ତଦନ୍ତ ଶେଷ ହୋଇଛି। ୬ମାସ ମଧ୍ୟରେ ୧୩୪ଜଣ ଗିରଫ ହୋଇଛନ୍ତି। ଏମାନଙ୍କ ଭିତରେ ୧୭ଜଣ ପ୍ରଥମ ଶ୍ରେଣୀ, ୧୫ଜଣ ଦ୍ୱିତୀୟ ଶ୍ରେଣୀ, ୮୮ଜଣ ତୃତୀୟ ଶ୍ରେଣୀ, ୭ଜଣ ଚତୁର୍ଥ ଶ୍ରେଣୀ, ୫ଜଣ ଅନ୍ୟ ସରକାରୀ କର୍ମଚାରୀ, ୨ଜଣ ବେସରକାରୀ ବ୍ୟକ୍ତି ଗିରଫ ହୋଇଛନ୍ତି। ଅନ୍ୟପକ୍ଷରେ ୧୭ଟି ମାମଲାରେ ଚାର୍ଜସିଟ୍‌ ଦାଖଲ ହୋଇସାରିଛି। ସେଥିମଧ୍ୟରେ ୧୭ଜଣ ପ୍ରଥମ ଶ୍ରେଣୀ, ୧୮ଜଣ ଦ୍ୱିତୀୟ ଶ୍ରେଣୀ, ୧୦୪ଜଣ ତୃତୀୟ ଶ୍ରେଣୀ, ଜଣେ ଚତୁର୍ଥ ଶ୍ରେଣୀ, ୨ଜଣ ଅନ୍ୟ ସରକାରୀ କର୍ମଚାରୀ, ୫୨ଜଣ ବେସରକାରୀ ବ୍ୟକ୍ତିଙ୍କ ବିରୋଧରେ କୋର୍ଟରେ ଚାର୍ଜସିଟ୍‌ ଦାଖଲ ହୋଇଛି।

ଭିଜିଲାନ୍ସ ମାମଲାଗୁଡ଼ିକର ପ୍ରସିକ୍ୟୁସନ ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଭିଜିଲାନ୍ସ ସଂଗଠନ ମାନଙ୍କରେ ୧୦ଟି ପ୍ରସିକ୍ୟୁସନ୍‌ ଲିଆସନ୍‌ ଅଫିସର (ପିଏଲ୍‌ଓ) ପଦବି ସୃଷ୍ଟି କରିଛନ୍ତି। ସେମାନେ ଭିଜିଲାନ୍ସ କୋର୍ଟରେ ନିୟୋଜିତ ହେବା ସହ ପ୍ରତ୍ୟେକ ଦିନ ପ୍ରସିକ୍ୟୁସନ୍‌ କାର୍ଯ୍ୟର ପରିଚାଳନା ତଥା ତଦାରଖ କରିବେ। ଏଥିସହିତ କୋର୍ଟରେ ସାକ୍ଷୀମାନଙ୍କୁ ଠିକ୍‌ ସମୟରେ ଉପସ୍ଥିତ କରାଇବା ଓ ଉପଯୁକ୍ତ ସାକ୍ଷ୍ୟ ପ୍ରଦାନ ଦିଗରେ ସହାୟତା ଯୋଗାଇଦେବା ଦାୟିତ୍ୱ ରହିବ। ଏଥିପାଇଁ ଇନ୍ସପେକ୍ଟର କିମ୍ବା ତତୁର୍ଦ୍ଧ ପାହ୍ୟାର ଅବସରପ୍ରାପ୍ତ ଭିଜିଲାନ୍ସ କିମ୍ବା ପୁଲିସ୍‌ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ। ତେଣୁ ଖୁବ୍‌ଶୀଘ୍ର ପିଏଲ୍‌ଓ ନିଯୁକ୍ତ କରାଇବାକୁ ପଦକ୍ଷେପ ନିଆଯାଉଥିବା ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର