ସୁନ୍ଦରଗଡ଼/ଅନୁଗୁଳ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ବିଭାଗ ଅନୁଗୁଳ ଜଳସେଚନ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ଘରେ ଚଢ଼ଉ କରିଛି। ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଅନୁମତିକ୍ରମେ ଭିଜିଲାନ୍ସର ୮ଟି ଟିମ୍ ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ବେହେରାଙ୍କ ସୁନ୍ଦରଗଡ଼ର ଶଙ୍କରା, ରାଉରକେଲା ଛେଣ୍ଡ, ଭୁବନେଶ୍ବର, ତାଙ୍କ ପୈତୃକ ଗାଁ ଗଞ୍ଜାମଜିଲ୍ଲା ପୁରୁଷୋତ୍ତମପୁର ଓ ଶ୍ବଶୁର ଘରେ ଚଢ଼ଉ କରି ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଯାଞ୍ଚ ଚଳାଇଛି। ପ୍ରାଥମିକ ଭାବେ କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ଭିଜିଲାନ୍ସ ସୂତ୍ରରୁ ପ୍ରକାଶ। ସେଥିମଧ୍ୟରେ ସୁନ୍ଦରଗଡ଼ ଶଙ୍କରାରେ ବହୁମୂଲ୍ୟର ଜମି ସହ ୧.୧୧ କୋଟି ଟଙ୍କାର ୪୨ ଶହ ବର୍ଗଫୁଟ୍ର ୩ ମହଲା କୋଠା ରହିଛି। ଯେଉଁଠି ତାଙ୍କ ବଡ଼ଶଳାଙ୍କ ପରିବାର ସହ ୩ ପରିବାର ଭଡ଼ାରେ ରହୁଛନ୍ତି। ସେହିପରି ରାଉରକେଲା ଛେଣ୍ଡ ଗୋପବନ୍ଧୁନଗରରେ ମୂଲ୍ୟବାନ ଜମି ସହ ୩୫ ଶହ ବର୍ଗଫୁଟ୍ର ୨ ମହଲା କୋଠା, ଭୁବନେଶ୍ବର ଘାଟିକିଆରେ ୧୫୭୫ ବର୍ଗଫୁଟ୍ ଓ ୧୨୪୦ ବର୍ଗଫୁଟ୍ର ୨ଟି ଫ୍ଲାଟ୍, ପୈତୃକ ଗାଁ ପୁରୁଷୋତ୍ତମପୁର ବ୍ଲକ୍ ରଣଝାଲିରେ ୨ଟି ମୂଲ୍ୟବାନ ଜମି ଠାବ ହୋଇଛି।
ସୁନ୍ଦରଗଡ଼, ରାଉରକେଲା, ଭୁବନେଶ୍ବରରେ କୋଠା ଓ ଜମି
ଏହା ବ୍ୟତୀତ ନଗଦ ୧.୨୫ ଲକ୍ଷ ଟଙ୍କା, ବ୍ୟାଙ୍କ ଓ ଡାକଜମା ୫୧.୯୭ ଲକ୍ଷ ଟଙ୍କା, ଭୁବନେଶ୍ବରରେ ଶ୍ରୀ ବେହେରାଙ୍କ ନିକଟ ସମ୍ପର୍କୀୟଙ୍କ ନାଁରେ ଏକ ବ୍ୟାଙ୍କ ଲକର, ୨ଟି ବାଇକ୍, ଗୃହ ଉପକରଣ ସାମଗ୍ରୀ ୧୭.୪୩ ଲକ୍ଷର ବୋଲି ଆକଳନ ହୋଇଛି। ଭିଜିଲାନ୍ସର ୩ ଡିଏସ୍ପି, ୧୦ ଇନ୍ସପେକ୍ଟର, ୪ ଏଏସ୍ଆଇ ଓ ଅନ୍ୟ ସହକର୍ମୀ ଚଢ଼ଉରେ ସାମିଲ ଥିବାବେଳେ ଯାଞ୍ଚ ଚାଲିଛି। ଚୂଡ଼ାନ୍ତ ଆକଳନ ପରେ ସମ୍ପତ୍ତି ପରିମାଣ ବଢ଼ିବ ଓ କେତେ ସମ୍ପତ୍ତି ଆୟ ବହିର୍ଭୂତ ତାହା ଜଣାପଡ଼ିବ ବୋଲି ବିଭାଗ କହିଛି। ଏପଟେ ଅନୁଗୁଳରେ ଥିବା ତାଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନକୁ ଭିଜିଲାନ୍ସ ଜଗି ରହିଛି। ଶ୍ରୀ ବେହେରା ନ ଥିବାରୁ ଏଠାରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇ ପାରିନି। ଇରିଗେସନ କଲୋନିରେ ଥିବା ତାଙ୍କ ସରକାରୀ ବାସଭବନରେ ଜଣେ ଡିଏସ୍ପି ପାହ୍ୟାର ଅଧିକାରୀ ଓ ତାଙ୍କ କାର୍ଯ୍ୟାଳୟରେ ଜଣେ ଇନ୍ସପେକ୍ଟର ଅନ୍ୟ ଅଧିକାରୀଙ୍କ ସହ ଡେରା ପକାଇଛନ୍ତି। ଯନ୍ତ୍ରୀ ଶ୍ରୀ ବେହେରା ଏଠାରେ ପହଞ୍ଚିବା ପରେ ବାସଭବନ ଓ କାର୍ଯ୍ୟାଳୟ ଖାନତଲାସ ହେବ ବୋଲି ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ଶ୍ରୀ ବେହେରା ସୁନ୍ଦରଗଡ଼ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାରେ ୨୦୧୬ ରୁ ୨୦୨୨ ପର୍ଯ୍ୟନ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ଥିଲାବେଳେ ତାଙ୍କ ବିରୋଧରେ ମାଳମାଳ ଦୁର୍ନୀତି ଅଭିଯୋଗ ହୋଇଥିଲା। ବିଭାଗୀୟ କାର୍ଯ୍ୟ ନାମରେ କୋଟି କୋଟି ଟଙ୍କାର ଠିକା ନିଜେ କରିବା ସହ ଅନେକ ପୁରୁଣା କାମକୁ ଚୂନ ମାରି ନୂଆ କାମ ଦର୍ଶାଇ ଲକ୍ଷାଧିକ ଟଙ୍କାର ବିଲ୍ ଉଠାଇ ନେବା ଭଳି ଗୁରୁତର ଅଭିଯୋଗ ଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/19/dagdadzvvc-2025-08-19-03-00-12.jpg)