ବାଲେଶ୍ବର/ବାରିପଦା: ଅବସର ନେବାକୁ ଆଉ ମାତ୍ର ୧୭ ଦିନ ଥିଲା। ହେଲେ ତା’ ପୂର୍ବରୁ ଘରେ ପଶିଗଲା ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଜିଲ୍ଲା କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀଯନ୍ତ୍ରୀ ମହେଶ ପ୍ରସାଦ ପଟ୍ଟନାୟକଙ୍କ ସରକାରୀ କ୍ବାର୍ଟର୍ସ ସମେତ ଏକକାଳୀନ ୫ଟି ସ୍ଥାନରେ ଆଜି ଭିଜିଲାନ୍ସ ଚଢ଼ଉ କରିଛି। ସୂଚନାଥାଉକି, ଚଳିତ ମାସ ଅକ୍ଟୋବର ୩୧ ତାରିଖରେ ଶ୍ରୀ ପଟ୍ଟନାୟକ ଚାକିରିରୁ ଅବସର ଗ୍ରହଣ କରିଥାନ୍ତେ।
ନିଜ ଚାକିରି କାଳରେ ଶ୍ରୀ ପଟ୍ଟନାୟକ ଅନୈତିକ ଉପାୟରେ ଅନେକ ସମ୍ପତ୍ତି ଉପାର୍ଜନ କରିଥିବା ନେଇ ଖବର ପାଇଥିଲା ଭିଜିଲାନ୍ସ। ଆଜି ଭୋର୍ ପ୍ରାୟ ସାଢ଼େ ୫ଟା ସମୟରେ ଭିଜିଲାନ୍ସର ଏକ ଟିମ୍ ବାଲେଶ୍ବର ଡିଆର୍ଡିଏ କାର୍ଯ୍ୟାଳୟ ପରିସରରେ ଥିବା କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟାଳୟର ଗେଟ୍ ଖୋଲିବାକୁ ସେଠାରେ ଡ୍ୟୁଟି କରୁଥିବା କର୍ମଚାରୀଙ୍କୁ କହିଥିଲେ। ଏତେ ସକାଳୁ ସେମାନଙ୍କ ପରିଚୟ ଜାଣିବାକୁ ଇଚ୍ଛା କରିବାରୁ ଭିଜିଲାନ୍ସର ଜଣେ ଅଧିକାରୀ ନିଜକୁ ନିର୍ବାହୀଯନ୍ତ୍ରୀଙ୍କ ବନ୍ଧୁ ବୋଲି ପରିଚୟ ଦେଇଥିଲେ। ନିର୍ବାହୀଯନ୍ତ୍ରୀ ଶ୍ରୀ ପଟ୍ଟନାୟକ ବାରିପଦାରେ କାର୍ଯ୍ୟରତ ଥିବାବେଳେ ବାଲେଶ୍ବର କ୍ଷୁଦ୍ରଜଳସେଚନ ବିଭାଗର ଅତିରିକ୍ତ ଦାୟିତ୍ବରେ ମଧ୍ୟ ଅଛନ୍ତି।
ବଡ଼ିଭୋରରେ ଚଢ଼ଉ କଲେ, ନିଦରୁ ଉଠାଇଲେ
୧୭ ଦିନ ପରେ ଚାକିରିରୁ ଅବସର ନେଇଥାନ୍ତେ
କାର୍ଯ୍ୟାଳୟ ସମେତ ୫ଟି ସ୍ଥାନରେ ଛାନ୍ଭିନ୍
ଏଠାରେ ସରକାରୀ କ୍ବାର୍ଟର୍ସ ମିଳିନଥିବାରୁ କାର୍ଯ୍ୟାଳୟ ଉପରମହଲାରେ ଥିବା ଅତିଥିକକ୍ଷରେ ସେ ରହୁଥିଲେ। ତେବେ କର୍ମଚାରୀଜଣକ ଗେଟ୍ ଖୋଲିବା ପରେ ଭିଜିଲାନ୍ସ ଟିମ୍ ଭିତରକୁ ଯାଇ ଶ୍ରୀ ପଟ୍ଟନାୟକଙ୍କୁ ନିଦରୁ ଉଠାଇ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ଆସିଥିଲେ। ବଡ଼ି ଭୋର୍ରୁ ଭିଜିଲାନ୍ସ ଟିମ୍ର ଏମିତି ଅତର୍କିତ ଚଢ଼ାଉ ଦେଖି ଆଖପାଖ ଲୋକେ ମଧ୍ୟ ତାଜୁବ ହୋଇ ଯାଇଥିଲେ। ବାଲେଶ୍ବର ଭିଜିଲାନ୍ସ ଏସ୍ପି ନରହରି ନାୟକଙ୍କ ସୂଚନା ମୁତାବକ, ନିର୍ବାହୀଯନ୍ତ୍ରୀ ମହେଶ ପ୍ରସାଦ ପଟ୍ଟନାୟକଙ୍କର ନାଁରେ ବହୁଦିନରୁ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ରହିଥିଲା।
ଭୁବନେଶ୍ବରର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଆଜି ତାଙ୍କ ବାଲେଶ୍ବର କାର୍ଯ୍ୟାଳୟ ସମେତ ରାୟଗଡ଼ା କସ୍ତୁରୀନଗରରେ ଥିବା ପୈତୃକ ଘର, ରାଜ୍ୟ ବାହାରେ ବିଶାଖାପଟନମ୍ ଚିନ୍ନାଗଡ଼ିଲିରେ ଥିବା ହିଲ୍ ଭ୍ୟୁ ଫ୍ଲାଟ୍, ଭୁବନେଶ୍ବର ସୁନ୍ଦରପଦା ମାଧିପୁର ହାଇଟେକ୍ ପ୍ଲାଜାରେ ଥିବା ଫ୍ଲାଟ୍, ବାରିପଦା ମୁର୍ଗାବାଡ଼ିସ୍ଥିତ ଏଲ୍ଆଇସି କଲୋନିରେ ଥିବା ସରକାରୀ କ୍ୱାର୍ଟର୍ସ ଓ ବାଲେଶ୍ୱରସ୍ଥିତ ସରକାରୀ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ ଜାରି ରହିଛି। ୩ ଜଣ ଡିଏସ୍ପି, ୧୨ ଇନ୍ସ୍ପେକ୍ଟର, ୨ ଜଣ ସବ୍ଇନସ୍ପେକ୍ଟର ଓ ୫ ଜଣ ଏଏସ୍ଆଇ ଚଢ଼ଉରେ ସାମିଲ ହୋଇଥିଲେ। ଭିଜିଲାନ୍ସ ପକ୍ଷରୁ ନିର୍ବାହୀଯନ୍ତ୍ରୀଙ୍କର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ସମ୍ପର୍କରେ ଆକଳନ ଚାଲିଥିବା ବେଳେ କେତେ ପରିମାଣର ସଂପତ୍ତି ସେ ଠୁଳ କରିଛନ୍ତି, ସେ ସଂକ୍ରାନ୍ତରେ ତଥ୍ୟ ଆସିନଥିବା ଏସ୍ପି ଶ୍ରୀ ନାୟକ ଜଣାଇଛନ୍ତି।