ଚଢ଼ାଉ କରୁଛି, ଚାର୍ଜସିଟ୍‌ ଦେଇପାରୁନି ଭିଜିଲାନ୍ସ: ବିଭିନ୍ନ ମାମଲାର ଭବିଷ୍ୟତକୁ ନେଇ ସନ୍ଦେହ

କୁବେର ଅଧିକାରୀଙ୍କୁ ମିଳିଯାଉଛି ଜାମିନ୍‌, ତ୍ରିନାଥ ମିଶ୍ରଙ୍କୁ ବି ଜାମିନ ମିଳିଲା

କଟକ: ରାଜ୍ୟ ଭିଜିଲାନ୍ସ ଏବେ ଅଧିକ କ୍ରିୟାଶୀଳ ହୋଇଛି। ପ୍ରତିଦିନ ରାଜ୍ୟର କେଉଁଠି ନା କେଉଁଠି ଭିଜିଲାନ୍ସ ଚଢାଉ ହେଉଛି। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ସରକାରୀ ଅଧିକାରୀଙ୍କୁ ଗିରଫ କରାଯାଉଛି। ରାଜ୍ୟ ସରକାର ବି ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଫିସରଙ୍କ ବି‌‌ରୋଧରେ ‘ଶୂନ୍ୟ ସହନଶୀଳତା ନୀତି’ ଗ୍ରହଣ କରି ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦେଇ ଦେଉଛନ୍ତି। ସରକାର ୨୦୧୯ରୁ ଆଜି ପର୍ଯ୍ୟନ୍ତ ୧୫୮ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇ ସାରିଲେଣି। ମାତ୍ର ବ୍ୟବସ୍ଥାରେ ତ୍ରୁଟି, ଉପଯୁକ୍ତ ପ୍ରମାଣର ଅଭାବ ସହ ଭିଜିଲାନ୍ସର ଚାର୍ଜସିଟ୍ ଦାଖଲରେ ବିଳମ୍ବ ଯୋଗୁ କୁବେର ଅଧିକାରୀ, ଯନ୍ତ୍ରୀଙ୍କୁ ଜାମିନ ମିଳିଯାଉଛି।

ଗତ କିଛି ମାସ ଭିତରେ ଏଭଳି କେତେକ ଘଟଣା ଉଭୟ ଭିଜିଲାନ୍ସ ଓ ସରକାରଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିଛି। ନିର୍ଦ୍ଧାରିତ ସମୟରେ ଭିଜିଲାନ୍ସ ୧୬୭(୨)ରେ ଚାର୍ଜସିଟ୍ ଦାଖଲ କରିପାରୁନଥିବାରୁ ଗିରଫ ଅଧକାରୀ ଜାମିନ ପାଉଛନ୍ତି। ଗତ ଫେବ୍ରୁଆରି ମାସରେ ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କୁ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କରାଯାଇଥିବା ବେଳେ ଅଦାଲତରେ ଚାର୍ଜସିଟ୍ ଦାଖଲ ହୋଇ ନ ପାରିବାରୁ ଆଜି ତାଙ୍କୁ ଜାମିନ ମିଳିଛି। ଗିରଫ ହେବାର ଦୁଇ ମାସ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିପାରିନଥିବାରୁ ଭିଜିଲାନ୍ସ ସ୍ବତନ୍ତ୍ର କୋର୍ଟ ତାଙ୍କୁ ଆଜି ଜାମିନ ପ୍ରଦାନ କରିଛନ୍ତି। ଏହାପୂର୍ବରୁ ଓଡ଼ିଶା ପୁଲିସ ହାଉସିଂ ଓ ୱେଲ୍‌ଫେୟାର୍‌ ବୋର୍ଡର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ କ୍ଷେତ୍ରରେ ମଧ୍ୟ ସମାନ ଘଟଣା ଘଟିଥିଲା। ଗତ ନଭେମ୍ବର ମାସରେ ଭିଜିଲାନସ ଶ୍ରୀ ସାମଲଙ୍କୁ ଗିରଫ କରିଥିଲେ। ଶ୍ରୀ ସାମଲଙ୍କ ପାଖରୁ ଭିଜିଲାନ୍ସ ୧୧ କୋଟି ୮୭ଲକ୍ଷ ୪୧ ହଜାର ୧୯୪ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଜବତ କରିଥିଲା।

ଏକକାଳୀନ ଏତେ ଟଙ୍କାର ସମ୍ପତ୍ତି ଜବତ କରିବା ପ୍ରଥମ ଘଟଣା ଥିଲା ବୋଲି ଭିଜିଲାନ୍ସ କହିଥିଲା। ମାତ୍ର ଭିଜିଲାନ୍ସ ଏହି ମାମଲାରେ ଚାର୍ଜସିଟ୍ ଦେଇ ନପାରିବାରୁ ଶ୍ରୀ ସାମଲଙ୍କୁ ମଧ୍ୟ ଜାମିନ ମିଳିଥିଲା। ସେହିଭଳି ବହୁଚର୍ଚ୍ଚିତ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ମାମଲାରେ ମଧ୍ୟ ଭିଜିଲାନ୍ସ ଠିକଣା ସମୟରେ ଚାର୍ଜସିଟ୍ ଦେଇ ପାରି ନଥିବାରୁ ତାଙ୍କୁ ମଧ୍ୟ ଜାମିନ ମିଳିଥିଲା। ଉପରୋକ୍ତ ୩ ଅଧିକାରୀଙ୍କୁ ସରକାର ବାଧ୍ୟତାମୂଳକ ଅବସର ଦେଇସାରିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୯ରେ ରାଜ୍ୟ ସରକାର ଅପାରଗ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ ଆଇନ ଆଣିଥିଲେ। ସରକାରଙ୍କ ଏହି ଯୁଗାନ୍ତକାରୀ ଆଇନ ବଳ‌ରେ ମାତ୍ର ୨ ବର୍ଷରେ ୧୫୮ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇ ସାରିଛି। ସେଥିରୁ ୮୦ ପ୍ରତିଶତ ଭିଜିଲାନ୍ସ ମାମଲା ସଂପର୍କିତ ରହିଛି। ମାତ୍ର ନିର୍ଦ୍ଧାରିତ ସମୟରେ ଭିଜିଲାନ୍ସର ଚାର୍ଜସିଟ୍ ଦାଖଲରେ ବିଫଳତା ଏସବୁ ପଦକ୍ଷେପକୁ ହୁଏତ ବିଫଳ କରିବାକୁ ଯାଉଛି।

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ମାମଲାରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ପୁଲିସ ସିଗ୍‌ନାଲ ବିଭାଗର ପୂର୍ବତନ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ଜାମିନ ମିଳିଛି। ନିର୍ଦ୍ଧାରିତ ସମୟରେ ତଦନ୍ତକାରୀ ସଂସ୍ଥା ଚାର୍ଜସିଟ ଦାଖଲ କରି ନଥିବାରୁ ଶ୍ରୀ ମିଶ୍ରଙ୍କୁ ଆଜି କଟକ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ନିର୍ଦ୍ଧାରିତ ୬୦ ଦିନ ଭିତରେ ତଦନ୍ତକାରୀ ସଂସ୍ଥା ଚାର୍ଜସିଟ ଦାଖଲ କରି ନଥିବାରୁ ସିଆରପିସିର ଧାରା ୧୬୭(୨)ରେ ଜାମିନ ମଞ୍ଜୁର କରାଯାଉ ବୋଲି ଦର୍ଶାଇ ଶ୍ରୀ ମିଶ୍ରଙ୍କ ତରଫରୁ ଅଦାଲତରେ ଆବେଦନ କରାଯାଇଥିଲା। ଅଦାଲତ ଆବେଦନର ଶୁଣାଣି କରି ଶ୍ରୀ ମିଶ୍ରଙ୍କୁ ୫୦ ହଜାର ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ବଦଳରେ ଜାମିନରେ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରୀ ମିଶ୍ରଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ମାମଲା ପରିଚାଳନା କରୁଥିବା ବେଳେ ସଂଗ୍ରାମ କୁମାର ଦାସ ଓ ଆଇନଜୀବୀ ବିଭୁତି ଭୂଷଣ ଚୌଧୁରୀ ସହାୟତା କରୁଥିଲେ।

ସମ୍ବନ୍ଧିତ ଖବର