ସୂଚନା ଅଧିକାର ଆଇନ ପରିସରରେ ଭିଜିଲାନ୍ସ

ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ୪ ସପ୍ତାହରେ ବିଜ୍ଞପ୍ତି ପାଇଁ ସରକାରଙ୍କୁ ନିର୍ଦ୍ଦେଶ

କଟକ : ଏକ ଐତିହାସିକ ଘଟଣାକ୍ରମରେ ଭିଜିଲାନ୍ସ ବିଭାଗକୁ ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ପରିସରଭୁକ୍ତ କରିବା ସପକ୍ଷରେ ଓଡ଼ିଶା ହାଇକୋର୍ଟ ରାୟ ଦେଇଛନ୍ତି। ଭିଜିଲାନ୍ସ ବିଭାଗ ପକ୍ଷରୁ ଦୁର୍ନୀତି ଓ ମାନବିକ ଅଧିକାର ଉଲ୍ଲଂଘନ ଅଭିଯୋଗ ସଂପର୍କିତ ତଥ୍ୟ ଦେବାକୁ ପଡ଼ିବ। ଭିଜିଲାନ୍ସ ବିଭାଗରୁ ସମ୍ବେଦନଶୀଳ ଏବଂ ଗୋପନୀୟ କାର୍ଯ୍ୟକଳାପ ସହିତ ଜଡ଼ିତ ନଥିବା ତଥ୍ୟ ମଧ୍ୟ ସୂଚନା ଅଧିକାର ଆଇନ ଅନୁସାରେ ମିଳିବ। ଚାରି ସପ୍ତାହ ଭିତରେ ଏସଂପର୍କରେ ବିଜ୍ଞପ୍ତି ପ୍ରକାଶ କରିବା ଲାଗି ହାଇକୋର୍ଟ ଆଜି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭିଜିଲାନ୍ସ ବିଭାଗ କେଉଁ ପ୍ରକାର ତଥ୍ୟ ପ୍ରକାଶ କରିପାରିବ, ସେନେଇ ବିଜ୍ଞପ୍ତିରେ ସ୍ପଷ୍ଟ କରାଯିବ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ତିନୋଟି ମାମଲାର ଶୁଣାଣି କରି ଐତିହାସିକ ରାୟ ଶୁଣାଇଛନ୍ତି।

ରାୟରେ ଉଲ୍ଲେଖ କରାଯାଇଛି ଯେ ସାଧାରଣ ପ୍ରଶାସନ (ଭିଜିଲାନ୍ସ) ବିଭାଗକୁ ସମ୍ପୂର୍ଣ୍ଣ ଭାବେ ଆର୍‌ଟିଆଇ ପରିସରରୁ ବାହାରେ ରଖିବାକୁ ସରକାରଙ୍କ ତରଫରୁ ୨୦୧୬ ଅଗଷ୍ଟ ୧୧ରେ ପ୍ରକାଶିତ ବିଜ୍ଞପ୍ତି ଆର୍‌ଟିଆଇ ଆଇନର ବିରୁଦ୍ଧାଚରଣ କରୁଛି। ଦୁର୍ନୀତି ଓ ମାନବିକ ଅଧିକାର ଉଲ୍ଲଂଘନ ଅଭିଯୋଗ ସଂପର୍କିତ ତଥ୍ୟ ପ୍ରକାଶ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଏପରି ବିଜ୍ଞପ୍ତି ଆରଟିଆଇ ଆଇନର ୨୪(୪)ର ପ୍ରଥମ ସର୍ତ୍ତ ଉଲ୍ଲଂଘନ କରୁଛି। ଆରଟିଆଇ ଆଇନ ଅଧୀନରେ ଯଦି ତଥ୍ୟ ପ୍ରକାଶ ମାନଦଣ୍ଡ ବା ଆଦର୍ଶ ହୁଏ, ତେବେ ପ୍ରକାଶ ନକରିବା ମଧ୍ୟ ବ୍ୟତିକ୍ରମ ବୋଲି ହାଇକୋର୍ଟ କହିଛନ୍ତି। ସରକାର ଦୁର୍ନୀତି ଓ ମାନବିକ ଅଧିକାର ଉଲ୍ଲଂଘନ ସଂପର୍କିତ ତଥ୍ୟ ଦେବାକୁ ମନା କରିପାରିବେ ନାହିଁ। କେବଳ ସମ୍ବେଦନଶୀଳ ଓ ଗୋପନୀୟ କାର୍ଯ୍ୟକଳାପ ସଂପର୍କିତ ତଥ୍ୟକୁ ଏଥିରୁ ବାଦ୍ ଦିଆଯାଇପାରିବ।

ସୂଚନାଯୋଗ୍ୟ ଯେ ଭିଜିଲାନ୍ସ ବିଭାଗକୁ ସୂଚନା ଅଧିକାର ଆଇନ ପରିସର ବାହାରେ ରଖିବାକୁ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ୨୦୧୬ ଅଗଷ୍ଟ ୧୧ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସାଧାରଣ ପ୍ରଶାସନ (ଭିଜିଲାନ୍ସ) ବିଭାଗ ପାଇଁ ସୂଚନା ଅଧିକାର ଆଇନ ଲାଗୁ ହେବନାହିଁ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା। ତେବେ ଭିଜିଲାନ୍ସକୁ ସଂପୂର୍ଣ୍ଣ ଭାବେ ସୂଚନା ଅଧିକାର ଆଇନ ପରିସରରୁ ବାହାରେ ରଖିବା ନିଷ୍ପତ୍ତି ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇ ୨୦୧୬ରେ ସୁବାସ ମହାପାତ୍ର, ସୁଧାଂଶୁ କୁମାର ନନ୍ଦ ଓ ପ୍ରଦୀପ କୁମାର ପ୍ରଧାନ ହାଇକୋର୍ଟରେ ପୃଥକ୍‌ ଆବେଦନ ଦାୟର କରିଥିଲେ। ଏଥିରେ ଉଲ୍ଲେଖ କରାଯାଇଥିଲା ଯେ ଦୁର୍ନୀତି ଓ ମାନବିକ ଅଧିକାର ଉଲ୍ଲଂଘନ ସଂପର୍କିତ ତଥ୍ୟକୁ ସୂଚନା ଅଧିକାର ଆଇନ ପରିସର ବାହାରେ ରଖାଯାଇ ପାରିବନାହିଁ। ଏଭଳି ପରିସ୍ଥିତିରେ ଭିଜିଲାନ୍ସ ବିଭାଗକୁ ସୂଚନା ଅଧିକାର ପରିସର ବାହାରେ ସଂପୂର୍ଣ୍ଣ ଭାବେ ରଖାଯାଇପାରିବ ନାହିଁ।

ଏ ସଂପର୍କିତ ବିଜ୍ଞପ୍ତି ସୂଚନା ଅଧିକାର ଆଇନର ବିରୁଦ୍ଧାଚରଣ କରୁଥିବାରୁ ଏହାକୁ ରଦ୍ଦ କରାଯାଉ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଭିଜିଲାନ୍ସ ବିଭାଗ ଦୁର୍ନୀତି ନିବାରଣ ଆଇନକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରୁଛି। ସିବିଆଇ ଭଳି ଭିଜିଲାନ୍ସ ବିଭାଗ ଦୁର୍ନୀତି ବିରୋଧରେ କାର୍ଯ୍ୟ କରୁଛି। କେନ୍ଦ୍ର ସରକାର ୨୦୧୧ରୁ ସିବିଆଇକୁ ଆରଟିଆଇ ଆଇନ ପରିସର ବାହାରେ ରଖିଛନ୍ତି। ତାମିଲନାଡୁ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ସିକିମରେ ଭିଜିଲାନ୍ସ ବିଭାଗକୁ ଆର୍‌ଟିଆଇ ପରିସରରୁ ସଂପୂର୍ଣ୍ଣ ଭାବେ ବାହାରେ ରଖାଯାଇଛି। ତେଣୁ ୨୦୧୬ର ବିଜ୍ଞପ୍ତିରେ କୌଣସି ତ୍ରୁଟି ନାହିଁ। ଶ୍ରୀ ମହାପାତ୍ରଙ୍କ ତରଫରୁ ଆଇନଜୀବୀ ସିଦ୍ଧାର୍ଥ ପ୍ରସାଦ ଦାଶ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର