ବାରିପଦା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବାରିପଦା ଜନସ୍ଵାସ୍ଥ୍ୟ ବିଭାଗ-୧’ର କୋଟିପତି ସହକାରୀ ଯନ୍ତ୍ରୀ ବାଣେଶ୍ବର ନାୟକ। ଆଜି ଏକା ସଙ୍ଗେ ୫ଟି ସ୍ଥାନରେ; ବାରିପଦା ରଘୁନାଥପୁରସ୍ଥିତ ବାସଭବନ ଓ ସରକାରୀ କାର୍ଯ୍ୟାଳୟ, ବଡ଼ସାହି ଥାନା ତାଳନ୍ଦ ଗାଁରେ ପୈତୃକ ଘର ଓ ନିଜସ୍ବ ୨ ମହଲା ଘର, ବୈଶିଙ୍ଗା ଥାନା ମାଣତ୍ରୀରେ ଥିବା ସମ୍ପର୍କୀୟଙ୍କ ଘରେ ଏହି ଚଢ଼ଉ ହୋଇଛି।
ବାରିପଦା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଓ୍ବାରେଣ୍ଟ ବଳରେ କଟକ, ବାଲେଶ୍ବର ଓ ବାରିପଦା ଭିଜିଲାନ୍ସ ବିଭାଗର ୨ ଜଣ ଅତିରିକ୍ତ ଏସ୍ପି, ୩ ଜଣ ଡିଏସ୍ପି, ଜଣେ ଇନ୍ସପେକ୍ଟର, ୭ ଜଣ ସବ୍ ଇନିସ୍ପେକ୍ଟର, ୭ ଜଣ ଏଏସ୍ଆଇ ଏହି ଚଢ଼ଉରେ ସାମିଲ ହୋଇଛନ୍ତି। ଶ୍ରୀ ନାୟକଙ୍କର ରଘୁନାଥପୁରରେ ୩ ହଜାର ୨୫୦ ସ୍କୋୟାର ଫୁଟ୍ର ୩ ମହଲା କୋଠା, ପୈତୃକ ତାଳନ୍ଦା ଗାଁରେ ୨୧ ଶହ ସ୍କୋୟାର ଫୁଟ୍ର ୨ ମହଲା କୋଠା, ଗାଁ ପାଖକୁ ଲାଗି ଚାଉଳିଆସୋଳରେ ୨ ହଜାର ୫୦୦ ସ୍କୋୟାର ଫୁଟ୍ର ୨ ମହଲା କୋଠା, ବାରିପଦାରେ ୨ଟି ଓ ଗାଁରେ ଗୋଟିଏ ପ୍ଲଟ୍ ଠାବ ହୋଇଛି। ଏଥିସହ ତାଙ୍କ ନାଁରେ ୩୩ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଓ ବୀମା, ୨୫୦ ଗ୍ରାମ୍ ସୁନା ଗହଣା, ଗୋଟିଏ କାର୍ ଓ ଦୁଇଟି ବାଇକ୍ ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଆକଳନ ଚାଲିଛି। ସରିଲା ପରେ ଗଣମାଧ୍ୟମକୁ ସୂଚନା ଦିଆଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
ତେବେ ଶ୍ରୀ ନାୟକଙ୍କର ସମ୍ପତ୍ତି ୩ କୋଟିରୁ ଅଧିକ ଓ ଏହା ଆୟଠାରୁ ୨୦୦ ଗୁଣା ଅଧିକ ହେବ ବୋଲି ପ୍ରାକ୍ ଆକଳନ କରାଯାଉଛି। ସୂଚନାଯୋଗ୍ୟ; ଶ୍ରୀ ନାୟକ ମୟୂରଭଞ୍ଜ ଜିଲ୍ଲାରେ ଦୀର୍ଘବର୍ଷ ହେଲା ଚାକିରି କରୁଛନ୍ତି। ଜଣେ ପ୍ରଭାବଶାଳୀ ନେତାଙ୍କର ସେ ଖାସ୍ ଲୋକ। ତାଙ୍କ ନାଁରେ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲା। ହେଲେ ଉକ୍ତ ନେତାଙ୍କ ଚାପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/ମୟୂରଭଂଜ.jpg)