ଭିଜିଲାନ୍ସ ଜାଲରେ କୋଟିପତି ଅଧ୍ୟାପକ : ଘରୁ ବାହାରିଲା ସାଢ଼େ ୩୧ ଲକ୍ଷ, ହିସାବ ୩ କୋଟି ପାଖେଇଲାଣି, ଆହୁରି ଚାଲିଛି

ପାରଳାଖେମୁଣ୍ଡି : ଭିଜିଲାନ୍ସ ଜାଲରେ ଆଜି ଧରା ପଡ଼ିଛନ୍ତି ଗଜପତି ଜିଲ୍ଲା ଗୁରାଣ୍ଡି ସ୍ଥିତ ମୀନକେତନ ଡିଗ୍ରି କଲେଜ ଏଜୁକେସନ୍‌ ବିଭାଗ ଅଧ୍ୟାପକ ଜି.ନାଗେଶ୍ୱର ରାଓ। ଆଜି ଦିନ ତମାମ କୋଟିପତି ଅଧ୍ୟାପକଙ୍କ ଘର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ଏକକାଳୀନ ଚଢ଼ଉ ଚଳାଇଥିଲା। ଖୋଳତାଡ଼ କରି ଭିଜିଲାନ୍ସ ଅଧିକାରୀମାନେ ବିଳମ୍ବିତ ସନ୍ଧ୍ୟା ସୁଦ୍ଧା ୨ କୋଟି ୮୩ଲକ୍ଷ ୩୬ହଜାର ୮୦୫ ଟଙ୍କାର ସମ୍ପତ୍ତି ହିସାବ ପାଇଛନ୍ତି। ବଡ଼ କଥା ହେଉଛି, ତାଙ୍କ ଘରୁ ନଗଦ ୩୧ ଲକ୍ଷ ୫୦ ହଜାର ଟଙ୍କା ଜବତ ହୋଇଛି। ତେବେ ତଦନ୍ତ ଓ ହିସାବ ଜାରି ରହିଛି। ହିସାବ ସରିବା ବେଳକୁ ଆହୁରି ସମୟ ଲାଗିଯିବ ବୋଲି ଭିଜିଲାନ୍ସ ଡିଏସ୍‌ପି ଅରୁଣ କୁମାର ନାୟକ କହିଛନ୍ତି।

ବର୍ତ୍ତମାନ ସୁଦ୍ଧା ମିଳିଥିବା ସ୍ଥାବର ସମ୍ପତ୍ତି ତାଲିକାରେ ଅଧ୍ୟାପକଙ୍କ ପାରଳାଖେମୁଣ୍ଡି ରାଧାଗୋବିନ୍ଦ ନଗରର ୨ ମହଲା କୋଠା ଯାହାର ମୂଲ୍ୟ ୧ କୋଟି ୫୦ଲକ୍ଷ ୧ ହଜାର ୪୪୦ ଟଙ୍କା, ଘର ସମ୍ମୁଖରେ ଥିବା ଏକ ଅଟୋ ଗ୍ୟାରେଜ୍‌ ଯାହାର ମୂଲ୍ୟ ୨ ଲକ୍ଷ ୮୩ ହଜାର ୮୬୪ ଟଙ୍କା, ବେତାଗୁଡ଼ା ଠାରେ ୩୦ ଲକ୍ଷ ୯୦ ହଜାର ୩୬୪ ଟଙ୍କାର ଏକ ଘର ଏବଂ ପାରଳାଖେମୁଣ୍ଡିର ବିଭିନ୍ନ ସ୍ଥାନରେ ତାଙ୍କ ପତ୍ନୀଙ୍କ ନାମରେ ୫୧ଟି ପ୍ଲଟ୍‌ ରହିଛି ଯାହାର ମୂଲ୍ୟ ୨୩ଲକ୍ଷ ୧୧ ହଜାର ୩୬୮ ଟଙ୍କା।

ଅସ୍ଥାବର ସମ୍ପତ୍ତି ମଧ୍ୟରେ ୮୩ ହଜାର ଟଙ୍କାର ଆସବାବପତ୍ର, ନଗଦ ୩୧ ଲକ୍ଷ ୫୦ ହଜାର ଟଙ୍କା, ୧୨ ଲକ୍ଷ ୬୦ ହଜାର ୩୯୦ ଟଙ୍କାର ମାରୁତି ସୁଜୁକି କାର୍‌ (ଓଡି-୨୦ ବି-୦୩୪୨), ୭୦ ହଜାର ମୂଲ୍ୟର ହୋଣ୍ଡା ସାଇନ୍ ମୋଟର ସାଇକେଲ(ଓଡି-୨୦ ଏ-୯୮୮୩), ୫ ଲକ୍ଷ ୧୧ ହଜାର ୮୫୦ ଟଙ୍କାର (୩୯୩ ଗ୍ରାମ) ସୁନା ଅଳଙ୍କାର, ୮୫ ହଜାର ୩୩୬ ଟଙ୍କାର (୩ କିଲୋ ୪୬୫ ଗ୍ରାମ) ରୁପା ଅଳଙ୍କାର, ଷ୍ଟେଟ ବ୍ୟାଙ୍କରେ ସ୍ଥାୟୀ ଜମା ୫ ଲକ୍ଷ, ବ୍ୟାଙ୍କ ଲକର୍‌ରେ ୪ ଲକ୍ଷ ୫୦ ହଜାର ଟଙ୍କାର (୧୪୩ଗ୍ରାମ) ସୁନା ଅଳଙ୍କାର ଆଦି ଭିଜିଲାନ୍ସ ବିଭାଗ ପକ୍ଷରୁ ଠାବ କରାଯାଇଛି।

ସମ୍ବନ୍ଧିତ ଖବର