ଭୁବନେଶ୍ୱର : ଜୀବନ ସହ େଖଳ। ପୁଣି ବନ୍ୟଜନ୍ତୁ ସଂରକ୍ଷଣ ଆଇନର ଖୋଲା ଉଲ୍ଲଂଘନ। ଲାଇଭ୍ ଷ୍ଟ୍ରିମିଙ୍ଗ୍ ଆପ୍ ‘ଭିଗୋ’ ଭିଡିଓରେ କେତେକ ଯୁବତୀ ସାପକୁ ଚୁମା ଦେଉଥିବାର ଦୃଶ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି। ଯୁବତୀମାନେ ସାପ ସହ ଖେଳୁଥିବାର ଶତାଧିକ ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲିବା ପରେ ଅବୈତନିକ ବନ୍ୟପ୍ରାଣୀ ତତ୍ବାବଧାରକ ଶୁଭେନ୍ଦୁ ମଲ୍ଲିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଭିଡିଓରେ ଥିବା ବିଷଧର ସାପ(କିଙ୍ଗ୍ କୋବ୍ରା) ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ସିଡ୍ୟୁଲ-୨ରେ ସଂରକ୍ଷିତ ଘୋଷିତ ହୋଇଛି। ଏହାକୁ ମନୋରଞ୍ଜନ ପାଇଁ ବ୍ୟବହାର କରିବା ବେଆଇନ ଦର୍ଶାଇ ସେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଶ୍ରୀ ମଲ୍ଲିକ କହିଛନ୍ତି, ଏହି ଆଇନ ଅନୁସାରେ ସାପକୁ ନେଇ କୌଣସି ପ୍ରକାରର ମନୋରଞ୍ଜନ ତଥା ବ୍ୟାବସାୟିକ ମାଧ୍ୟମରେ ବିନିଯୋଗ କରାଯାଇ ପାରିବ ନାହିଁ। ମାତ୍ର ଆଇନକୁ ଖୋଲା ଉଲ୍ଲଂଘନ କରି କେତେକ ବ୍ୟକ୍ତି ଏଭଳି ଭିଡିଓ ପ୍ରସ୍ତୁତ କରି ଭିଗୋ ଓ ୟୁ ଟ୍ୟୁବ୍ ଭଳି ସୋସିଆଲ ମିଡିଆରେ ଅପ୍ଲୋଡ୍ କରାଯାଇଛି। ଏହି ଦୁଇଟି ସୋସିଆଲ ମିଡିଆରେ ଭିଡିଓର ଲୋକପ୍ରିୟତା ଓ ଭିଡିଓ ଚାଲିବାର ବାରମ୍ବାରତା ଆଧାରରେ ଅପ୍ଲୋଡ୍ କରିଥିବା ବ୍ୟକ୍ତିକୁ ଅର୍ଥ ମିଳିଥାଏ। ଏଣୁ ସାପକୁ ମନୋରଞ୍ଜନର ମାଧ୍ୟମ କରାଯିବା ସହ ଅନ୍ ଲାଇନ୍ ଅର୍ଥ ଉପାର୍ଜନର ମାଧ୍ୟମ କରାଯିବା ଦଣ୍ଡନୀୟ ଅପରାଧ। ସେଥିପାଇଁ ଦୁଇଟି ଦଫାରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ସେ ଦାବି କରିଛନ୍ତି। ଏହି ପ୍ରସଙ୍ଗରେ ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଅଜୟ କୁମାର ମହାପାତ୍ର କହିଛନ୍ତି, ସମସ୍ତ ଡିଏଫ୍ଓମାନଙ୍କୁ ଅଭିଯୋଗ ସଂପର୍କରେ ଅବଗତ କରାଯାଇଛି। ସେମାନଙ୍କ ସ୍ତରରେ ସେମାନେ ତଦନ୍ତ କରି ରିପୋର୍ଟ ଦେଲେ କାର୍ଯ୍ୟାନୁଷ୍ଠାନ ହେବ।
ସୋସିଆଲ ମିଡିଆରେ ଅପ୍ଲୋଡ୍ ହୋଇଥିବା ଶତାଧିକ ଭିଡିଓରେ ଗୋଟିଏ କିମ୍ବା ଦୁଇଟି ନୁହେଁ, ବରଂ ଏକାଧିକ ବିଷଧର ସାପଙ୍କ ସହ ଯୁବତୀ ଖେଳୁଥିବାର ଦୃଶ୍ୟ ରହିଛି। ଦୁଇଟି ସାପର ଫଣାକୁ ଯୁବତୀ ଚୁମା ଦେବାର ଦୃଶ୍ୟ ମଧ୍ୟ ରହିଛି। ଗୋଟିଏ ଗୋଟିଏ ଭିଡିଓ ୩୦ରୁ ୫୦ହଜାର ଲାଇକ୍ ପାଇଥିବା ବେଳେ ଲକ୍ଷାଧିକଥର ସୋସିଆଲ ମିଡିଆରେ ପ୍ଲେ ହୋଇଛି। ଏହା କେବଳ ଭିଗୋ କିମ୍ବା ୟୁଟ୍ୟୁବ୍ରେ ସୀମିତ ହୋଇ ନାହିଁ ବରଂ ଫେସ୍ବୁକ୍ ଓ ଟୁଇଟରରେ ମଧ୍ୟ ଅପ୍ଲୋଡ୍ ହୋଇଛି। ବିଭିନ୍ନ ସୋସିଆଲ ମିଡିଆରେ ଅପ୍ଲୋଡ୍ ହୋଇଥିବାରୁ ଲୋକପ୍ରିୟତା ବଢ଼ି ଚାଲିଛି।
ଏହି ଭିଡିଓଗୁଡ଼ିକରେ ଓଡିଆ ଯୁବତୀ ରହିଛନ୍ତି। ଯୁବତୀମାନେ ସମ୍ବଲପୁରର ବୋଲି ଜଣାପଡ଼ିଛି। ଏହି ସବୁ ଭିଡିଓକୁ ଅପ୍ଲୋଡ୍ କରିଥିବା ଯୁବକ ହେଉଛନ୍ତି ସମ୍ବଲପୁରର ରୋହିତ୍ ମେହେର। ଏ ସମ୍ପର୍କରେ ସେ କହିଛନ୍ତି, ବିଭିନ୍ନ ସ୍ଥାନରୁ ଉଦ୍ଧାର ହେଉଥିବା ସାପଙ୍କୁ ଜଙ୍ଗଲରେ ଛାଡ଼ିବା ପୂର୍ବରୁ ଏହି ଭିଡିଓ ତିଆରି କରାଯାଇଛି। ଝିଅମାନେ ଏଭଳି କରିବା ପାଇଁ ଆଗ୍ରହ ପ୍ରକାଶ କରିବାରୁ ସାପଙ୍କୁ ଖୋଲା ଛାଡ଼ି ସୁଟିଂ କରାଯାଇଛି। ଝିଅମାନେ ସାପ ସହ ଖେଳୁଥିବା ବେଳେ ସାମ୍ନାରୁ ସାପକୁ ବ୍ୟସ୍ତ ରଖାଯାଇଥିବାରୁ ସାପ ପଛକୁ ବୁଲି ଚୋଟ ମାରି ପାରୁନାହିଁ। ତେବେ ବନ୍ୟପ୍ରାଣୀଙ୍କୁ ଏଭଳି କାମରେ ବ୍ୟବହାର କରିବା ଅପରାଧ ବୋଲି ସେ ପରେ ଜାଣିଲେ ଓ ଭିଡିଓକୁ ସୋସିଆଲ ମିଡିଆରୁ ଡିଲିଟ୍ କରିଦେବା ପାଇଁ କହିଛନ୍ତି।