ବିହାର ରାଜ୍ୟପାଳଙ୍କୁ ଓଡ଼ିଶା ଦାୟିତ୍ୱ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟପାଳ ଏସ୍‌ ସି ଜମିର୍‌ଙ୍କ କାର୍ଯ୍ୟକାଳ ଆଜି ଶେଷ ହୋଇଛି। କେନ୍ଦ୍ର ସରକାର ଓଡ଼ିଶାର ନୂଆ ରାଜ୍ୟପାଳ ନିଯୁକ୍ତି କରିନାହାନ୍ତି। ନୂଆ ନିଯୁକ୍ତି ପର୍ଯ୍ୟନ୍ତ ବିହାର ରାଜ୍ୟପାଳ ସତ୍ୟପାଲ୍‌ ମଲ୍ଲିକଙ୍କୁ ଓଡ଼ିଶା ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏ ନେଇ ରାଷ୍ଟ୍ରପତି ଭବନରୁ ଆଜି ବିଜ୍ଞପ୍ତି ଜାରି ହୋଇଛି। ଶ୍ରୀ ମଲ୍ଲିକ ଓଡ଼ିଶା ଆସି କେବେ ରାଜ୍ୟପାଳ ଦାୟିତ୍ୱ ନେବେ, ତାହା ସ୍ପଷ୍ଟ ହୋଇ ନାହିଁ। ତେଣୁ ସେ ଆସିବା ପର୍ଯ୍ୟନ୍ତ ଶ୍ରୀ ଜମିର୍‌ କାର୍ଯ୍ୟ ତୁଲାଇବେ। ବିହାର ରାଜ୍ୟପାଳ ଶ୍ରୀ ମଲ୍ଲିକ ଉତ୍ତରପ୍ରଦେଶ ବାସିନ୍ଦା। ଗତ ବର୍ଷ ସେପ୍ଟମ୍ବର ୩୦ରେ ସେ ବିହାର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ପୂର୍ବରୁ ସେ ରାଜ୍ୟସଭା ଓ ଲୋକସଭା ସାଂସଦ ଭାବେ କାର୍ଯ୍ୟ କରିଛନ୍ତି। ୭୧ ବର୍ଷୀୟ ସତ୍ୟପାଲ୍‌ ମଲ୍ଲିକ ଗତବର୍ଷ ବିହାରର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ। ଉତ୍ତର ପ୍ରଦେଶରେ ଜନ୍ମଗ୍ରହଣ କରିଥିବା ସତ୍ୟପାଲ ପ୍ରଥମ ଥର ଲାଗି ୧୯୭୪ରେ ଉତ୍ତର ପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୮୦ରୁ ୧୯୮୬ ଏବଂ ପୁଣି ୧୯୮୬ରୁ ୧୯୯୨ ପର୍ଯ୍ୟନ୍ତ ଦୁଇ ଥର ସେ ରାଜ୍ୟସଭା ସଭ୍ୟ ଥିଲେ। ୧୯୮୯ରେ ସେ ଜନତା ଦଳ ପ୍ରାର୍ଥୀ ହୋଇ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେ କେନ୍ଦ୍ରରେ ମନ୍ତ୍ରୀ ମଧ୍ୟ ଥିଲେ। ବିହାର ରାଜ୍ୟପାଳ ନିଯୁକ୍ତ ହେବା ସମୟରେ ସେ ବିଜେପିର ରାଷ୍ଟ୍ରୀୟ ଉପସଭାପତି ଥିଲେ।

ସମ୍ବନ୍ଧିତ ଖବର