ଡ. ରୀନା ରାଉତରାୟ
ଜୀବନରେ ଏମିତି କିଛି ବ୍ୟକ୍ତି ଥାଆନ୍ତି, ଯେଉଁମାନେ କେବଳ ଏକ ପରିବାରର ଅଂଶ ହୋଇ ରହିନଥାନ୍ତି, ସେମାନେ ସମଗ୍ର ଅଞ୍ଚଳ ପାଇଁ ଏକ ଜୀବନ୍ତ ପ୍ରେରଣା ହୋଇଥାନ୍ତି। ‘ବିଜୟ ଭାଇ’ ସେହିପରି ଏକ ଅଲଭ୍ୟ ପୁରୁଷ। ସବୁବେଳେ ହସହସ, ମିଷ୍ଟଭାଷୀ, ପରୋପକାରୀ, ଧର୍ମପରାୟଣ ଓ ସାହସୀ। ତାଙ୍କୁ ଯେଉଁମାନେ ଜାଣିଥିଲେ ସେମାନଙ୍କ ପାଇଁ ସେ କେବଳ ଜଣେ ବ୍ୟକ୍ତିବିଶେଷ ନ ଥିଲେ, ସେ ଥିଲେ ଏକ ସାମୂହିକ ଶକ୍ତି, ଏକ ଆଶ୍ରୟ ଏବଂ ନିଜ ପାରିପାର୍ଶ୍ବିକ ସମାଜର ଅବିଚ୍ଛେଦ୍ୟ ଅଙ୍ଗ। କିନ୍ତୁ ୬୨ ବର୍ଷରେ ତାଙ୍କ ଅଚାନକ ବିଦାୟ ସଭିଙ୍କୁ ଭାଙ୍ଗିଦେଲା। ମଣିଷଙ୍କୁ ସର୍ବଦା ଖୁସି ଦେଇଥିବା, ନୈରାଶ୍ୟରେ ଆଶାର ସଂଚାର କରିଥିବା ‘ବିଜୟ ଭାଇ’ଙ୍କୁ ହରାଇ ବସିବା ଆଜି ପର୍ଯ୍ୟନ୍ତ ଅବିଶ୍ୱାସ୍ୟ।
ବିଜୟ ଭାଇଙ୍କ ବାଲ୍ୟ ଜୀବନ ସରଳ ଥିଲା। ସାଧାରଣ ପରିବାରରେ ଜନ୍ମିଥିଲେ; କିନ୍ତୁ ବଡ଼ ସ୍ୱପ୍ନ, ମହାନ୍ ମନ ଓ ହୃଦୟ ନେଇ ବଢ଼ିଥିଲେ। ଛୋଟଦିନରୁ ସେ ଦୟାଳୁ, ସାହାଯ୍ୟକାରୀ ଓ ସହାନୁଭୂତିଶୀଳ ମନୋଭାବସମ୍ପନ୍ନ ଥିଲେ। ନିଜ ବିଦ୍ୟାଳୟରେ କିମ୍ବା ଆଖପାଖ ଅଞ୍ଚଳରେ ଯେକୌଣସି ବ୍ୟକ୍ତି ଅସୁବିଧାରେ ପଡ଼ିଲେ, ସେ ହିଁ ପ୍ରଥମେ ପହଞ୍ଚୁଥିଲେ। ପରିଣତ ବୟସରେ ମଧ୍ୟ ମଣିଷକୁ ଭଲପାଇବାର ଭାବନା ତାଙ୍କ ସାରା ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଥିଲା। ପରିବାର ପାଇଁ ସେ ସବୁବେଳେ ଦୃଢ଼ ପାହାଡ଼ ସଦୃଶ। ମଣ୍ଟୁବାବୁଙ୍କ ପାଇଁ ସେ କେବଳ ବଡ଼ଭାଇ ନୁହେଁ, ରାମ-ଲକ୍ଷ୍ମଣ ସମ୍ପର୍କର ଆଧୁନିକ ଉଦାହରଣ। ଝୁନୁ ଭାଉଜ ପାଇଁ ସେ ନିଷ୍ଠାବାନ ସ୍ନେହୀ ସହଚର। ପିଲାମାନଙ୍କ ପାଇଁ ସେ ପିତୃସ୍ନେହର ଛାୟା। ବୃଦ୍ଧ ମାତାପିତାଙ୍କ ପାଇଁ ସେ ସର୍ବଦା ସେବକ। ପରିବାରକୁ ଏକତାରେ ବାନ୍ଧି ରଖିବା, କୌଣସି ବିବାଦକୁ ସହଜରେ ସମାଧାନ କରି ସମସ୍ତଙ୍କୁ ଏକତ୍ର କରିବା, ଏହା ବିଜୟ ଭାଇଙ୍କ ଜନ୍ମଜାତ ସ୍ୱଭାବ ଥିଲା। ନିଜ ଗାଁରେ, ରହୁଥିବା ଭୁବନେଶ୍ୱର ସହରାଞ୍ଚଳରେ ଅବା ବୃତ୍ତିରେ ଦୈନିକ ଖବରକାଗଜ ‘ସମ୍ବାଦ’ କାର୍ଯ୍ୟାଳୟ ବଳୟରେ ଥିବା ସମସ୍ତଙ୍କ ପାଇଁ ସେ ‘ବିଜୟ ଭାଇ’। ଜଣେ ଭଲ ହୃଦୟବାନ୍ ମଣିଷ ସହିତ ନିଜ କର୍ମକ୍ଷେତ୍ରରେ ସେ ଥିଲେ ଜଣେ ନିଷ୍ଠାପର ଯୋଦ୍ଧା। ସେଥିପାଇଁ ବୋଧହୁଏ ତାଙ୍କ ବିୟୋଗରେ ସେତେବେଳର ‘ସମ୍ବାଦ’ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଶୋକାକୁଳ କଣ୍ଠରେ କହିଥିଲେ - ‘ବିଜୟର ବିୟୋଗରେ ମୋର ଡାହାଣ ହାତ କଟିଗଲା।’
ପଞ୍ଚମ ବାର୍ଷିକ ପୁଣ୍ୟତିଥି ଉପଲକ୍ଷେ
ସିଆର୍ପି ଛକସ୍ଥିତ ତାଙ୍କ ପ୍ରିୟ ଆରାଧ୍ୟ ଦେବତା ଶ୍ରୀହନୁମାନଙ୍କ ଜୟନ୍ତୀ ଉତ୍ସବରେ ପ୍ରତ୍ୟେକ ବର୍ଷ ପ୍ରାୟ ଦଶ ହଜାରରୁ ଊର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହୁଏ। ସେ ବ୍ୟକ୍ତିଗତ ଭାବେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ପଚାରି ବୁଝନ୍ତି- ଖାଇଲେ ନା ନାହିଁ। ଘରେ କିଏ ଆସି ପାରିଲେନି, ତାଙ୍କ ପାଇଁ ପ୍ରସାଦ ପଠାଇବା ଇତ୍ୟାଦି ତଦାରଖ କରିବା ଆମ ପାଇଁ ଅମାପ କଷ୍ଟସାଧ୍ୟ ହୋଇଥିଲେ ମଧ୍ୟ ବିଜୟ ଭାଇଙ୍କ ପାଇଁ ଏହା ସ୍ୱାଭାବିକ ସ୍ୱତଃପ୍ରବୃତ୍ତ ବ୍ୟାବହାରିକ ପ୍ରକ୍ରିୟା ଥିଲା। ଯାହା ଏବେ ତାଙ୍କ ଅବର୍ତ୍ତମାନରେ ଆହୁରି ଅଧିକା ବୁଝିହୁଏ। ତାଙ୍କର ଇଷ୍ଟଦେବତା ପ୍ରଭୁ ହନୁମାନ। ସେ କେବଳ ଧାର୍ମିକ ଆଚରଣ କରୁଥିଲେ ତାହା ନୁହେଁ, ସେ ଧର୍ମକୁ ସେବାରେ ପରିଣତ କରିଥିଲେ। ତାଙ୍କ ପୈତୃକ ଗ୍ରାମରେ ମଧ୍ୟ ଦୁଇଟି ଭବ୍ୟ ମନ୍ଦିର ପ୍ରତିଷ୍ଠା କରିଥିଲେ। ନିଜ ପରିଚିତ ହେଉ ବା ଅପରିଚିତ ବ୍ୟକ୍ତି କେହି ଅସୁସ୍ଥ ହେଲେ, କେହି ଦୁର୍ଘଟଣାଗ୍ରସ୍ତ ହେଲେ, କେହି ଆର୍ଥିକ ଅଭାବରେ ଥିଲେ ସେଠି ପ୍ରଥମେ ପହଞ୍ଚୁଥିଲେ ବିଜୟ ଭାଇ। କାହାକୁ ରକ୍ତ ଦରକାର! ସେ ପ୍ରସ୍ତୁତ। ଝିଅ ବାହାଘରରେ ସହାୟତା ଦରକାର! ସେ ପ୍ରସ୍ତୁତ। ପରୋପକାର ତାଙ୍କର ଜୀବନର ଶ୍ୱାସ-ପ୍ରଶ୍ୱାସ ସହ ଜଡ଼ିତ ଥିଲା। କଷ୍ଟକୁ ମଧ୍ୟ ହସରେ ଲୁଚାଇ ରଖିବା ଥିଲା ବିଜୟ ଭାଇଙ୍କ ଜୀବନ ଦର୍ଶନ। ୬୨ ବର୍ଷ ଆଜିର ଯୁଗରେ ବହୁତ କମ୍। ଅସମୟରେ ଅଚାନକ ଚାଲିଗଲେ। କରୋନାର ଭୟାବହ ପରିସ୍ଥିତି ସତ୍ତ୍ୱେ ତାଙ୍କ ଶେଷଯାତ୍ରାରେ ସ୍ୱତଃପ୍ରବୃତ୍ତ ଶହ ଶହ ଶୋକାକୁଳ ପ୍ରିୟ ପରିଜନ, ବନ୍ଧୁବାନ୍ଧବ ସ୍ଥାନୀୟ ପଡ଼ୋଶୀ ଓ ଗ୍ରାମବାସୀ ଯୋଗ ଦେଇଥିଲେ। କଥାରେ ଅଛି “ପ୍ରାଣୀର ଭଲ ମନ୍ଦ ବାଣୀ, ମରଣ କାଳେ ତାହା ଜାଣି”।
ଚାହୁଁଚାହୁଁ ସେହି ସବୁରି ପ୍ରିୟ ସ୍ୱର୍ଗତ ବିଜୟ କୁମାର ପଟ୍ଟନାୟକ (ସମସ୍ତଙ୍କ ଆଦରର ବିଜୟ ଭାଇ)ଙ୍କ ଦେହାନ୍ତଙ୍କୁ ପାଞ୍ଚ ବର୍ଷ ହୋଇଗଲା। ତାଙ୍କ ଅବର୍ତ୍ତମାନରେ ତାଙ୍କ ସ୍ମୃତିକୁ ସଜ୍ଜୀବିତ କରି ରଖିବାକୁ ‘ସମ୍ବାଦ’ ଓ ତାଙ୍କ ପରିବାର ପକ୍ଷରୁ ଗଠନ ହୋଇଛି ‘ବିଜୟ କୁମାର ପଟ୍ଟନାୟକ ମେମୋରିଆଲ ଆଣ୍ଡ ଚାରିଟେବଲ ଟ୍ରଷ୍ଟ’। ସ୍ୱର୍ଗତ ପଟ୍ଟନାୟକଙ୍କ ଅଧୁରା ସ୍ୱପ୍ନ, ବିଶେଷ କରି ତୃଣମୂଳସ୍ତରରେ ସମାଜ ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ତାଙ୍କ ହୃଦୟରେ ଥିବା ଭଲପାଇବା ଓ ସମ୍ମାନକୁ ଲକ୍ଷ୍ୟ ରଖି ଏହି ଟ୍ରଷ୍ଟ ବିଭିନ୍ନ ସାମାଜିକ ଏବଂ ଜନକଲ୍ୟାଣକାରୀ କାର୍ଯ୍ୟ କରିବା ସହିତ ସମାଜର ବିଭିନ୍ନ କ୍ଷେତ୍ରରୁ ଭିନ୍ନ ଭିନ୍ନ ବର୍ଗର ପ୍ରତିଭାମାନଙ୍କୁ ଗତ କିଛି ବର୍ଷ ହେଲା ସମ୍ମାନିତ କରି ସେମାନଙ୍କୁ ପ୍ରେରଣା ଯୋଗାଇ ଆସୁଛି।
ଏହି ମହତ୍ ପ୍ରୟାସରେ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ପରିଶ୍ରମୀ ଓ କର୍ମନିଷ୍ଠ କର୍ମଚାରୀଙ୍କୁ ସମ୍ମାନିତ କରି ପ୍ରେରଣା ଯୋଗାଇ ଦେବା ଅତ୍ୟନ୍ତ ପ୍ରଶଂସନୀୟ ଉଦ୍ୟମ। ସାମାଜିକ ସୁରକ୍ଷାର ଅଧିକାରରୁ ବଞ୍ଚିତ ଏହି ଅଣସଂଗଠିତ କ୍ଷେତ୍ରର କର୍ମଚାରୀମାନେ ଅବହେଳିତ ଅବସ୍ଥାରେ ଥିଲା ସମୟରେ ସେମାନଙ୍କୁ ପ୍ରୋତ୍ସାହିତ କରିବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସାଧାରଣତଃ ଆମେ ଅଣସଂଗଠିତ କ୍ଷେତ୍ରର କର୍ମଚାରୀଙ୍କ କଷ୍ଟ, ତ୍ୟାଗ ଓ ଭୂମିକାକୁ ଅଣଦେଖା କରୁଥିବା ସମୟରେ, ସେମାନଙ୍କ ତ୍ୟାଗ ଓ ପରିଶ୍ରମକୁ ସ୍ୱୀକୃତି ପ୍ରଦାନ ପୂର୍ବକ ସମ୍ମାନିତ କରି ସମାଜକୁ ଏକ ବାର୍ତ୍ତାଦେଇ ପାରିଛନ୍ତି। ଏହି ଲୋକାଭିମୁଖୀ ଟ୍ରଷ୍ଟର ଅଧ୍ୟକ୍ଷ, ବିଜୟ ଭାଇଙ୍କ ଅତିପ୍ରିୟ ସୌମ୍ୟରଂଜନ ପଟ୍ଟନାୟକ ଏବଂ ପରିଚାଳନା ଟ୍ରଷ୍ଟି ତାଙ୍କର ଲକ୍ଷ୍ମଣ ପ୍ରତିମ ସାନଭାଇ ଅଜୟ କୁମାର ପଟ୍ଟନାୟକ ଓ ସୁପୁତ୍ର ଡ. ସ୍ୱରୂପଙ୍କୁ ହୃଦୟରୁ ସାଧୁବାଦ ଜଣାଉଛି। ଏହିଭଳି ମହତ୍ କାର୍ଯ୍ୟ କରି ଏହି ଟ୍ରଷ୍ଟଟି ଆହୁରି ଅନେକ ବର୍ଷ ପୂର୍ତ୍ତି ପାଳନ କରୁ - ଏହି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ବିଜୟ ଭାଇଙ୍କ ପରି ମାଟିର ମଣିଷଙ୍କ ପ୍ରତିି ୟାଠୁ ବଳି ଶ୍ରଦ୍ଧାଞ୍ଜଳି ଆଉ କ’ଣ ହେଇପାରେ! ବିଜୟ ଭାଇଙ୍କ ଲୋକସମ୍ପର୍କ, କର୍ମପ୍ରବଣତା, ନିଷ୍ଠା ଓ ପରୋପକାରିତା ତାଙ୍କୁ ଜନମାନସରେ ସବୁଦିନ ଜୀବିତ କରି ରଖିବ, ଏହା ନିଃସନ୍ଦେହ। ‘ବିଜୟ ଭାଇ’ ଶବ୍ଦଟି ଆମ ଓଠରେ ଅନୁଚ୍ଚାରିତ ହୋଇ ରହିଗଲେ ମଧ୍ୟ ସେ ସର୍ବଦା ଆମ ହୃଦୟରେ ବଡ଼ଭାଇର ଆସନରେ ସେମିତି ରହିଥିବେ।
ସମାଜବିଜ୍ଞାନୀ ଓ ପରିବେଶବିତ୍