ବିଚ୍ଛିନ୍ନାଞ୍ଚଳରେ ବରିଷ୍ଠ ସୁରକ୍ଷା ପରାମର୍ଶଦାତା ବିଜୟ କୁମାର : ନକ୍ସଲଙ୍କ ଉପରେ ହେବ ପ୍ରହାର

ବିଚ୍ଛିନ୍ନାଞ୍ଚଳରେ ବିସ୍ଫୋରଣ

ରୁଦ୍ଧଦ୍ବାର ସମୀକ୍ଷା ବୈଠକରେ ନିଆଗଲା ନିଷ୍ପତ୍ତି
ବିଶାଖାପାଟଣା ଓ ମାଲକାନଗିରି ଏସ୍‌ପି ସାମିଲ

ମାଲକାନଗିରି : ରଣନୀତି ଅନୁଯାୟୀ ଅପରେସନ କରିବେ ସୁରକ୍ଷା କର୍ମୀ। ପ୍ରଥମେ ଘେରାବନ୍ଦୀ; ଏହାପରେ ହେବ ପ୍ରହାର। ନକ୍ସଲଙ୍କୁ ମୂଳପୋଛ ପାଇଁ ଏମିତି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବରିଷ୍ଠ ସୁରକ୍ଷା ପରାମର୍ଶଦାତା କେ. ବିଜୟ କୁମାର। ଦୁଇ ରାଜ୍ୟର ପୁଲିସ ମଧ୍ୟରେ ସମନ୍ବୟ ରକ୍ଷା ପାଇଁ ମାଲକାନଗିରିରେ ଆୟୋଜିତ ସମୀକ୍ଷା ବୈଠକ ପରେ ଏମିତି ନିଷ୍କର୍ଷ ବାହାରିଛି।

ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଆଜି ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳରେ ପହଞ୍ଚିଥିଲେ କେ. ବିଜୟ କୁମାର। ମାଓ ଦମନ ରଣନୀତି ପାଇଁ ସେ ଆସିଥିବା ବେଳେ ଦକ୍ଷିଣ-ପଞ୍ଚିମାଞ୍ଚଳ ଡିଆଇଜି ସଫିନ ଅହମ୍ମଦ, ମାଲକାନଗିରି ଏସ୍‌ପି ଋଷିକେଶ ଖିଲାରୀ, ଡ. ମିଞ୍ଜ, ବିଶାଖାପାଟଣମ୍ ଏସ୍‌ପି ଆତଡ଼ା ବାବୁଜୀ ପ୍ରମୁଖ ଏହି ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ବରିଷ୍ଠ ଅଧିକାରୀଙ୍କୁ ନେଇ ଏହି ରୁଦ୍ଧଦ୍ବାର ବୈଠକ ହୋଇଥିବା ବେଳେ ନକ୍ସଲଙ୍କ ଗତିବିଧି, ଚାଲିଥିବା ଅପରେସନ ଏବଂ ଲୋକଙ୍କ ଅବସ୍ଥା ସଂପର୍କରେ ଆଲୋଚନା କରାଯାଇଥିଲା। ବଡ଼ପଡ଼ାରେ ଥିବା ବିଏସଏଫ ଯବାନଙ୍କ ସହ ମଧ୍ୟ ସାକ୍ଷାତ କରି ସ୍ଥିତି ସଂପର୍କରେ ପଚାରି ବୁଝିଥିଲେ। ମାଲକାନଗିରି ଏବଂ ବିଶାଖାପାଟଣା ଏସ୍‌ପିଙ୍କ ସହ ଦୀର୍ଘ ସମୟ ଧରି ବିଚ୍ଛିନ୍ନାଞ୍ଚଳର ଭୌଗଳିକ ସ୍ଥିତି ଏବଂ ନକ୍ସଲଙ୍କ କାର୍ଯ୍ୟକ୍ରମ ସଂପର୍କରେ ପଚାରି ବୁଝିଥିଲେ।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଗାମୀ ଦିନରେ ବିଚ୍ଛିନ୍ନାଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ଏହାପରେ ନକ୍ସଲଙ୍କ ମୂଳପୋଛ ନିକଟରେ ଅଭିଯାନ ଆରମ୍ଭ ହେବ। ଦୁଇ ରାଜ୍ୟର ଏକକାଳୀନ ଅପରେସନ ହେଲେ ଖସିବା ପାଇଁ ବାଟ ପାଇବେ ନାହିଁ ନକ୍ସଲ। ସେମାନଙ୍କ ପାଖରେ ଦୁଇଟି ହିଁ ବିକଳ୍ପ ରହିବ। ଗୋଟିଏ ହେଲା ସୁରକ୍ଷା କର୍ମୀଙ୍କ ସହ ସମ୍ମୁଖ ଲଢ଼େଇ, ନଚେତ ଆତ୍ମସମର୍ପଣ। ଗତ କିଛି ଦିନ ମଧ୍ୟରେ ବିଚ୍ଛିନ୍ନାଞ୍ଚଳରେ ସାଧାରଣ ଲୋକଙ୍କ ସମର୍ଥନ ଆଉ ନକ୍ସଲ ମିଳୁନଥିବା ଦେଖିବାକୁ ମିଳିଛି। ତେଣୁ ନକ୍ସଲ ବାରମ୍ବାର ସ୍ଥାନ ପରିବର୍ତ୍ତନ ପାଇଁ ବାଧ୍ୟ ହୋଇଛନ୍ତି। ପୂର୍ବଭଳି ଆଉ ବହୁ ସଂଖ୍ୟାରେ ନକ୍ସଲ ଠୁଳ ହେଉନାହାନ୍ତି କିମ୍ବା ବହୁ ଦିନ ଧରି କ୍ୟାମ୍ପ କରୁନଥିବା ଗୁଇନ୍ଦା ସୂଚନା ରହିଛି। ଏମିତି ସମୟରେ ଆକ୍ରମଣ ହେଲେ ସଂଗଠନ ଅବସ୍ଥା ଆହୁରି ଶୋଚନୀୟ ହୋଇଯିବ ବୋଲି କୁହାଯାଉଛି। ଯାହାକି ବିଜୟ କୁମାରଙ୍କ ଗସ୍ତ ପରେ ସ୍ପଷ୍ଟ ସଙ୍କେତ ମିଳୁଛି।

ବିଚ୍ଛିନ୍ନାଞ୍ଚଳରେ ବିସ୍ଫୋରଣ
ମାଲକାନଗିରି : ମାଓ ଦମନ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ବରିଷ୍ଠ ସୁରକ୍ଷା ପରାମର୍ଶଦାତା କେ. ବିଜୟ କୁମାର ଆଜି ମାଲକାନଗିରି ଆସିଥିଲେ। ବିଚ୍ଛିନ୍ନାଞ୍ଚଳରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରି ଫେରିବାର ଅଳ୍ପ ସମୟ ମଧ୍ୟରେ ହିଁ ଉପସ୍ଥିତି ଜାହିର କରିଛନ୍ତି ନକ୍ସଲ। ରାସ୍ତା କାମକୁ ବିରୋଧ କରି ନକ୍ସଲ ଲ୍ୟାଣ୍ଡ ମାଇନ ବିସ୍ଫୋରଣ କରିଥିଲେ। ଏଥିରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି। ଏହି ଘଟଣା ପରେ ପୁଲିସ ସତର୍କ ହେବା ସହ ଅପରେସନ ଆରମ୍ଭ କରିଛି।

ବିଚ୍ଛିନ୍ନାଞ୍ଚଳର ହନ୍ତାଳଗୁଡ଼ା-ବିଡ଼ାପାକନା ଗ୍ରାମ ମଧ୍ୟରେ ଆଜି ସଂଧ୍ୟା ପ୍ରାୟ ୫ଟାରେ ନକ୍ସଲ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଛନ୍ତି। ରାସ୍ତାକାମକୁ ବିରୋଧ କରି ନକ୍ସଲ ଏହି କାଣ୍ଡ କରିଥିବା ନେଇ କୁହାଯାଉଥି‌ବା ବେଳେ ଟାର୍ଗେଟରେ ରହିଥିଲେ ସୁରକ୍ଷା କର୍ମୀ। କିନ୍ତୁ ଶକ୍ତିଶାଳୀ ବିସ୍ଫୋରଣ ସତ୍ତ୍ବେ କୌଣସି ପ୍ରକାର କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ପୁଲିସ ଓ ସୁରକ୍ଷା କର୍ମୀଙ୍କୁ ଏବେ ମଧ୍ୟ ବିଚ୍ଛିନ୍ନାଞ୍ଚଳରେ ନକ୍ସଲଙ୍କ ଦବଦବା ରହିଥିବା ସଙ୍କେତ ଦିଆଯାଇଛି। ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦିଆଯାଇଥିବା ବେଳେ ପୁଲିସ ମଧ୍ୟ ଏହାକୁ ଗୁରୁତ୍ବ ଦେଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡ଼ିଛି। ସେହିପରି ସୁରକ୍ଷା କର୍ମୀଙ୍କ ଘନଘନ ଚଢ଼ଉରେ ଶକ୍ତିହୀନ ହୋଇଥିବା ନକ୍ସଲ କୌଣସି ପ୍ରକାର ଅଘଟଣ ଘଟାଇବାକୁ ସୁଯୋଗ ପାଉନାହାନ୍ତି। ଏମିତି ସ୍ଥିତିରେ ବିସ୍ଫୋରଣ କରି ନକ୍ସଲ କେତେ ମାତ୍ରାରେ ଦୁର୍ବଳ ହୋଇ ଯାଇଛନ୍ତି ତାହାର ପ୍ରମାଣ ମିଳୁଛି ବୋଲି ମତ ପ୍ରକାଶ ପାଇଛି। ପୁଣି ବିଜୟ କୁମାରଙ୍କ ଗସ୍ତ ସଂପର୍କରେ ସୂଚନା ପାଇ ନକ୍ସଲ ଏମିତି କରିଥିବା ନେଇ କୁହାଯାଉଛି।

ସମ୍ବନ୍ଧିତ ଖବର