ରାୟଗଡ଼ା: ଭିଟାମାଟିର ବିକାଶ ପାଇଁ ପୂର୍ବରୁ ଚାକିରି ଛାଡ଼ି ସାମ୍ବାଦିକତାକୁ ଆପଣାଇଥିଲେ। ଚଳିତ ନିର୍ବାଚନରେ ସାମ୍ବାଦିକତା ଛାଡ଼ି ସିଧା ନିର୍ବାଚନ ମଇଦାନକୁ ଓହ୍ଲାଇ ଚନ୍ଦ୍ରପୁର ଜିଲ୍ଲା ପରିଷଦ ଜୋନରୁ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି। ଅପହଞ୍ଚ ବିଜାପୁରର ବିକାଶ ପାଇଁ, ଆଦିବାସୀଙ୍କୁ ନିଜ ହକ୍ ପ୍ରଦାନ ପାଇଁ ବିଜୟ ଉଲାକାଙ୍କ ଏପରି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
ରାୟଗଡ଼ା ଜିଲ୍ଲାର ଅପହଞ୍ଚ ଇଲାକା ଡାଙ୍ଗସୋରଡ଼ା ନିବାସୀ ବିଜୟଙ୍କର ପିଲାଟି ଦିନରୁ ରାଜନୀତି ପ୍ରତି ଅହେତୁକ ଦୁର୍ବଳତା ଥିଲା। ୧୯୬୨ ମସିହାରେ ବିଜୟଙ୍କ ବାପା ଘନଶ୍ୟାମ ଉଲାକା ଚନ୍ଦ୍ରପୁର ବ୍ଲକର ପ୍ରଥମ ଅଧ୍ୟକ୍ଷ ଥିଲେ। ପାଠ ପଢ଼ା ସାରିବା ପରେ ବିଜୟ ୧୯୮୬ ମସିହାରେ ଭାରତ ସରକାରଙ୍କ ଡାକ ବିଭାଗରେ ଯୋଗ ଦେଇଥିଲେ। ଡାଙ୍ଗସୋରଡା ପୋଷ୍ଟ ମାଷ୍ଟର୍ ଭାବେ ଦୀର୍ଘ ୧୦ ବର୍ଷ ଚାକିରି କରିବା ପରେ ୧୯୯୬ରେ ଚାକିରି ଛାଡ଼ି ସାମ୍ବାଦିକତା ଆରମ୍ଭ କରିଥିଲେ। ୧୯୯୭ରେ କଂଗ୍ରେସରେ ଯୋଗଦେଇ ପଞ୍ଚାୟତ ନିର୍ବାଚନରେ ଡାଙ୍ଗସୋରଡା ସମିତିସଭ୍ୟ ଓ ଚନ୍ଦ୍ରପୁରର ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ଉଭୟ ପଦବିରେ ବିଜୟୀ ହୋଇଥିଲେ। ବିଜୟଙ୍କ ଉପରେ କଂଗ୍ରେସ ନେତୃବୃନ୍ଦ ଖୁସି ପ୍ରକାଶ କରି ଜିଲ୍ଲା ଯୁବ କଂଗ୍ରେସ ସଭାପତି ଦାୟିତ୍ବ ପ୍ରଦାନ କରିଥିଲେ। ଦୀର୍ଘ ୧୫ ବର୍ଷ ଧରି ବିଜୟ ଜିଲ୍ଲା ଯୁବ କଂଗ୍ରେସ ସଭାପତି ପଦବି ସମେତ ଜିଲ୍ଲା ସମ୍ପାଦକ ଓ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି।
ରାଜନୀତି ସହ ସାମ୍ବାଦିକତା ଓ ସମାଜସେବା ବିଜୟଙ୍କର ମୂଳ ଲକ୍ଷ୍ୟ ଥିଲା। ଚନ୍ଦ୍ରପୁର ଭଳି ଦୁର୍ଗମ ଇଲାକାର ବିକାଶକୁ ବିଜୟ ସବୁବେଳେ ଅଗ୍ରାଧିକାର ଦେଇ ମନ୍ତ୍ରୀ, ବିଧାୟକ, ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ। କିନ୍ତୁ ଆଜି ସୁଦ୍ଧା ଚନ୍ଦ୍ରପୁରର ବିକାଶ ଆଖିଦୃଶିଆ ହୋଇପାରିନି। ମୋବାଇଲ୍ ସେବା ସହ ଶିକ୍ଷା-ସ୍ବାସ୍ଥ୍ୟ-ଗମନାଗମନ ସୁବିଧା ଅପହଞ୍ଚ ପାଲଟିଥିବାରୁ ଚଳିତ ନିର୍ବାଚନରେ ପୁଣି ପ୍ରାର୍ଥୀ ହୋଇଛନ୍ତି ବିଜୟ। ସାମ୍ବାଦିକତା ଛାଡ଼ି କଂଗ୍ରେସର ଗଡ଼ ଚନ୍ଦ୍ରପୁରରୁ ପ୍ରାର୍ଥୀ ହୋଇଛନ୍ତି ବିଜୟ। ବିଜୟଙ୍କ ବିରୋଧରେ ବିଜେଡ଼ିରୁ ସୁଜିତ୍ ବେଡ୍ରେକା, ବିଜେପିରୁ ଶୁଭକାନ୍ତ ଗୁଳୁଡୁକା, ବିଏସପିରୁ ସଞ୍ଜୟ କୁମାର ମୁଦ୍ରିଙ୍ଗା ପ୍ରାର୍ଥୀ ହୋଇଛନ୍ତି।
୧୯୯୭ରୁ ଇତି ମଧ୍ୟରେ ହୋଇଥିବା ୫ ପଞ୍ଚାୟତ ନିର୍ବାଚନ ମଧ୍ୟରୁ କେବଳ ଥରେ ହିଁ ଚନ୍ଦ୍ରପୁର ଜିଲ୍ଲା ପରିଷଦ ଆସନରେ ବିଜେଡ଼ି ବିଜୟୀ ହୋଇଛି। ଅନ୍ୟ ସମସ୍ତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହିଁ ବିଜୟୀ ହୋଇଥିବାରୁ ୨୦୨୨ ନିର୍ବାଚନରେ ବିଜୟୀ ହୋଇ ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି ବିଜୟ। ଗାଁକୁ ଗାଁ ବୁଲି ବିଜୟ ପ୍ରଚାର ଆରମ୍ଭ କରିବା ସହିତ ପୁରୁଣା କର୍ମୀଙ୍କୁ ସଂଗଠିତ କରୁଛନ୍ତି। ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ସରସ୍ୱତୀ ମାଳବିଶୋଇ, ବରିଷ୍ଠ ନେତା ଦେବହରି ଭାଟ, ପରୀକ୍ଷିତ ବେହେରା, ଭୀମ ଗାଗରେଙ୍ଗା, ଦେବରାଜ ପାତ୍ର, ଦୁର୍ଗା ଦଳେଇ, ଉମା ଚରଣ ସାହୁ ପ୍ରମୁଖଙ୍କ ତତ୍ତ୍ବାବଧାନରେ ବିଜୟ ପ୍ରଚାର ଅଭିଯାନ ଜାରି ରଖିଛନ୍ତି। ସୂଚନାଯୋଗ୍ୟ, ପୂର୍ବତନ ମନ୍ତ୍ରୀ ରାମଚନ୍ଦ୍ର ଉଲାକା, ଡମ୍ବରୁଧର ଉଲାକାଙ୍କ ସଂପର୍କୀୟ ଭାଇ ଅଟନ୍ତି ବିଜୟ। କୋରାପୁଟ ସାଂସଦ ଇଂ. ସପ୍ତଗିରି ଉଲାକାଙ୍କ ଦାଦା ମଧ୍ୟ।