ଭୁବନେଶ୍ବର: ପୁଲିସ ଡିଜିପି ଦାୟିତ୍ୱରୁ ହଟିଲେ ବରିଷ୍ଠ ଆଇପିଏସ୍ ଅଧିକାରୀ ବିଜୟ ଶର୍ମା । ତାଙ୍କୁ ଡିଜିପି ପଦରୁ ହଟାଇ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତ ଦେଲେ ରାଜ୍ୟ ସରକାର । ଅଗ୍ନିଶମ ବିଭାଗର ଡିଜି ଦାୟିତ୍ୱରେ ଥିବା ବେଳେ ଅନିୟମିତା ଅଭିଯୋଗ ବିଜୟ କୁମାର ଶର୍ମାଙ୍କ ନାଁରେ ଆସିଥିଲା । ବାସଗୃହ ଓ ବଡ଼ ଅଟ୍ଟାଳିକା ପାଇଁ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ବା ଫାୟାର ସେଫ୍ଟି ସାର୍ଟିଫିକେଟ୍ ଦେବା ପାଇଁ ଦୀର୍ଘଦିନ ଧରି ଅଗ୍ନିଶମ କାର୍ଯ୍ୟାଳୟରେ ଫାଇଲ୍ ପଡ଼ି ରହୁଥିବା ଅଭିଯୋଗ ଆସିଥିଲା । ଯେହେତୁ ଫାୟାର ସେଫ୍ଟି ସାର୍ଟିଫିକେଟ୍ ଜାରି କରିବାର କ୍ଷମତା ଅଗ୍ନିଶମ ଡିଜିଙ୍କର ଥିଲା ତେଣୁ ଦୁର୍ନୀତି ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।
ଅନ୍ୟପଟେ ବର୍ତ୍ତମାନ ସରକାରଙ୍କ ସ୍କାନରରେ ବିଜୟ ଶର୍ମା ରହିଛନ୍ତି । ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ଦେବାରେ ଅନିୟମିତତା ଅଭିଯୋଗରେ ବିଜୟ ଶର୍ମାଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଆଉ ଏଥିପାଇଁ ସରକାର ମୁଖ୍ୟ ଶାସନ ସଚିବ, ଗୃହ ସଚିବ ଓ ଉନ୍ନୟନ କମିଶନରଙ୍କୁ ନେଇ ରାଜ୍ୟ ସରକାର ଏକ କମିଟି ଗଠନ କରିଛନ୍ତି । ଏହି କମିଟି ଅଭିଯୋଗର ତଦନ୍ତ କରିବ।