ସୋର/ଔପଦା: ବାଲେଶ୍ବର ଜିଲ୍ଲା ଔପଦା ଥାନା ବଡ଼ପୋଖରୀ ବରପଦା ସାହିରେ ସଂଘଟିତ ଲୋମଟାଙ୍କୁରା ହତ୍ୟାକାଣ୍ଡର ପର୍ଦ୍ଦାଫାସ୍‌ କରିଛି ପୁଲିସ। ଗୁଣିଗାରେଡ଼ି ସନ୍ଦେହକୁ ନେଇ ଘଟିଥିବା ଟ୍ରିପଲ୍‌ ମର୍ଡର ଘଟଣାରେ ୯ ଜଣ ପୁରୁଷ ଅଟକ ଥିବା ବେଳେ ୩ ଜଣ ଫେରାର୍‌ ଅଛନ୍ତି। ପୁଲିସ ତନାଘନା ପରେ ଗାଁ ଏକପ୍ରକାର ପୁରୁଷଶୂନ୍ୟ ହୋଇପଡ଼ିଛି। ଗାଁର ମହିଳାମାନେ ମୁହଁ ଖୋଲୁ ନଥିବା ବେଳେ ଅଭିଯୁକ୍ତଙ୍କୁ ନେଇ ପୁଲିସ ଆଜି ଘଟଣାସ୍ଥଳରେ ସିନ୍‌ ରିକ୍ରିଏସନ୍‌ କରିଛି।

Advertisment

ଗତ ରବିବାର ଦିନ ବଡ଼ପୋଖରୀ ଗାଁ’ ବରପଦା ସାହିର ଦୁଇ ଗୋଷ୍ଠୀ ମଧ୍ୟରେ ଗୁଣିଗାରେଡ଼ିକୁ ନେଇ ବଚସା ହୋଇଥିଲା। କିଛି ଲୋକ ମିଶି ସାହିର ଗୁରୁବା ସିଂ (୪୭)ଙ୍କୁ ପିଟାମରା କରିଥିଲେ। ଏହି ସମୟରେ ଗୁରୁବାଙ୍କ ପତ୍ନୀ ପାଗେଳି ସିଂ (୩୫) ଓ ସଂପର୍କୀୟା ସୋମବାରୀ ସିଂ (୬୧) ତାଙ୍କୁ ଉଦ୍ଧାର କରିବାକୁ ଯାଇ ସଂଘବଦ୍ଧ ଆକ୍ରମଣର ଶିକାର ହୋଇଥିଲେ। ଫଳରେ ୩ ଜଣଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଏହି ଘଟଣା ପରେ ଗ୍ରାମବାସୀ ଅଡ଼ୁଆରେ ପଡ଼ିଯାଇଥିଲେ। ଘଟଣାକୁ ଗୁପ୍ତ ରଖିବା ଲାଗି ଗାଁର କେତେକ ପୁରୁଖା ବ୍ୟକ୍ତି ହୁଲିଆ ଜାରି କରିବା ପରେ ଆକ୍ରମଣ କରିଥିବା ଲୋକମାନେ ଶବଗୁଡ଼ିକୁ ଗାଏବ କରିବା ପାଇଁ ଯୋଜନା କରିଥିଲେ। ବାଉଁଶରେ ମୃତଦେହ ବାନ୍ଧି ଗାଁ ନିକଟ ପାହାଡ଼ ଉପରେ ଘଞ୍ଚ ଜଙ୍ଗଲକୁ ନେଇ ଫିଙ୍ଗି ଦେଇଥିଲେ। କାଳେ ସେମାନେ ବଞ୍ଚିଯିବେ ଭାବି କୁରାଢ଼ିରେ ସମସ୍ତଙ୍କର ମୁଣ୍ଡଗଣ୍ଡି ମଧ୍ୟ ଅଲଗା କରିଦେଇଥିଲେ। ସେପଟେ ମାଆ ସୋମବାରୀ ନିଖୋଜ ଥିବା ଜାଣି ଭୁବନେଶ୍ବରରେ ରହି କାମ କରୁଥିବା ତାଙ୍କ ପୁଅ ନିରଞ୍ଜନ ଗତକାଲି ଗାଁ’କୁ ଆସିଥିଲେ। ସୋମବାରୀଙ୍କ ସହ ଗୁରୁବା ଓ ପାଗେଳିଙ୍କୁ କିଛି ଗ୍ରାମବାସୀ ହତ୍ୟା କରିଥିବା ଜାଣିବା ପରେ ଔପଦା ଥାନାକୁ ଯାଇ ଏତଲା ଦେଇଥିଲେ ନିରଞ୍ଜନ। ପୁଲିସ ପାହାଡ଼ ଉପରୁ ୩ଟି ଯାକ ମୃତଦେହ ଠାବ କରିଥିଲା।

ମୁଣ୍ଡଗଣ୍ତି ଅଲଗା କରି ଦେଇଥିଲେ ଅଭିଯୁକ୍ତ
ଗାଁ ପୁରୁଷଶୂନ୍ୟ, ମୁହଁ ଖୋଲୁନାହାନ୍ତି ମହିଳା
ଅଭିଯୁକ୍ତଙ୍କୁ ନେଇ ସିନ୍‌ ରିକ୍ରିଏସନ୍‌ କଲା ପୁଲିସ

ଏ ନେଇ ଔପଦା ଥାନାରେ ୧୪୧/୨୪ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତମାନଙ୍କୁ ଆଜି ମାରାଥନ୍‌ ଜେରା କରିଛି ପୁଲିସ। ସୋର ଡାକ୍ତରଖାନାରେ ଶବଗୁଡ଼ିକର ବ୍ୟବଚ୍ଛେଦ କରାଯାଇଛି। ଏହି ଜଘନ୍ୟ ହତ୍ୟାକାଣ୍ଡରେ ୧୨ରୁ ଅଧିକ ଲୋକ ସାମିଲ ଅଛନ୍ତି। ସେମାନଙ୍କ ମଧ୍ୟରୁ ୯ ଜଣ ଥାନାରେ ଅଟକ ଥିବା ବେଳେ ଅନ୍ୟମାନଙ୍କର ପତ୍ତା ମିଳୁନି। ପୁଲିସ କାର୍ଯ୍ୟାନୁଷ୍ଠାନ ଭୟରେ ବଡ଼ପୋଖରୀ ଗାଁ ଏକପ୍ରକାର ପୁରୁଷଶୂନ୍ୟ ହୋଇପଡ଼ିଛି। ଅଟକ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣଙ୍କୁ ନେଇ ଘଟଣାସ୍ଥଳରେ ସିନ୍‌ ରିକ୍ରିଏସନ୍‌ କରାଯାଇଥିବା ଔପଦା ଥାନା ଅଧିକାରୀ ଶ୍ରବଣ କୁମାର ମହାରଣା ‘ସମ୍ବାଦ’କୁ କହିଛନ୍ତି। ତେବେ ତଦନ୍ତରେ ବାଧା ଉପୁଜିବା ଆଶଙ୍କାରେ ସେ ଅଭିଯୁକ୍ତଙ୍କ ନାମ ପ୍ରକାଶ କରିନାହାନ୍ତି।ଉଲ୍ଲେଖଥାଉକି; ଗୁରୁବା ଗୁଣିଗାରେଡ଼ି କରୁଥିବା ନେଇ ଗ୍ରାମବାସୀ ସନ୍ଦେହ କରୁଥିଲେ। ସଂଯୋଗ କ୍ରମେ ନିକଟରେ ଗ୍ରାମର ଜଣେ ମହିଳାଙ୍କ ଆଖି ନଷ୍ଟ ହୋଇ ଯାଇଥିବା ବେଳେ ଗତ ଗୁରୁବାର ଦିନ ଜଣେ ଶିଶୁପୁତ୍ରର ମୃତ୍ୟୁ ଘଟିଥିଲା। ଉଭୟ ଅଘଟଣ ପଛରେ ଗୁରୁବାଙ୍କ ହାତ ଅଛି ବୋଲି ଗାଁ ଲୋକଙ୍କ ମନରେ ଆକ୍ରୋଶ ଜାତ ହୋଇଥିବା ବେଳେ ଗୁରୁବା, ତାଙ୍କ ପତ୍ନୀ ପାଗେଳି ଓ ସଂପର୍କୀୟା ସୋମବାରୀଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଥିଲା।