ଭୁବନେଶ୍ଵର: ପବିତ୍ର ବିଜୟା ଦଶମୀ ଅବସରରେ ଆଜି ରାଜ୍ୟରେ ଦଶହରା ‌ହର୍ଷୋଲ୍ଲାସର ସହିତ ପାଳନ କରାଯାଉଛି। ଗାଁରୁ ସହର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଦେବୀଙ୍କୁ ପୂଜାର୍ଚ୍ଚନା କରାଯାଉଛି। ମନ୍ତ୍ର-ତନ୍ତ୍ର, ଚଣ୍ଡିପାଠ ସହିତ ମାଆ ଦୁର୍ଗାଦେବୀଙ୍କୁ ପୂଜାର୍ଚ୍ଚନା କରାଯାଉଛି। ପୂଜାମଣ୍ଡପରେ ଶ୍ରଦ୍ଧାଳୁମାନଙ୍କର ଗହଳି ଲାଗିଛି। ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଭକ୍ତମାନଙ୍କର ବିଶ୍ବାସ ରହିଛି ଯେ, ଆଶ୍ବିନ ଶୁକ୍ଲପକ୍ଷ ଦଶମୀ ତିଥିରେ ମାଆ ଦୁର୍ଗାଙ୍କୁ ପୂଜାର୍ଚ୍ଚନା କଲେ ଦଶଜନ୍ମର ପାପରୁ ମୁକ୍ତି ମିଳିଥାଏ। କେବଳ ଏତିକି ନୁହେଁ, ଏହି ଦିନଟି ଅତ୍ୟନ୍ତ ଶୁଭ ହୋଇଥିବାରୁ ଅନେକ କାମ ଶୁଭାରମ୍ଭ କରାଯାଇଥାଏ।

Advertisment

ଦଶହରା ଅବସରରେ ରାଜ୍ୟର ଅନେକଗୁଡ଼ିଏ ଦୁର୍ଗାପୂଜା କମିଟି ପକ୍ଷରୁ ଆଜି ରାବଣପୋଡ଼ି ଆୟୋଜନ କରାଯାଇଛି। ସଂଜ ନଇଁଲେ ରାବଣପୋଡ଼ି କାର୍ଯ୍ୟକ୍ରମର ଆୟୋଜନ ହେବ। ଆତାଶବାଜି ଓ ବାଣ ଫୁଟିବ। ରାବଣର କୁଶପୁତ୍ତଳିକା ଜଳିବା ସହିତ ଚଳିତ ବର୍ଷର ବିଜୟା ଦଶମୀ ସଂପନ୍ନ ହେବ। 


ରାବଣପୋଡ଼ି କାହିଁକି?

କିମ୍ବଦନ୍ତୀ ଅନୁସାରେ ଆଶ୍ବିନ ମାସ ଶୁକ୍ଲପକ୍ଷ ଦଶହରା ଦିନ ଭଗବାନ ଶ୍ରୀରାମଚନ୍ଦ୍ର ମଧ୍ୟ ମାତୃଶକ୍ତି ବନଦୁର୍ଗାଙ୍କୁ ପୂଜା କରି ପ୍ରବଳ ପ୍ରତାପୀ ରାବଣକୁ ବଧ କରିଥିଲେ। ତେଣୁ ଦଶହରାକୁ ସତ୍ୟ ଉପରେ ଅସତ୍ୟର ବିଜୟ ଉତ୍ସବ ଭାବେ ମଧ୍ୟ ପାଳନ କରାଯାଉଛି। ବିଜୟା ଦଶମୀ ଦିନ ସନ୍ଧ୍ୟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ରାବଣପୋଡ଼ି ଆୟୋଜନ କରାଯାଉଛି।  

ଦୁର୍ଗାପୂଜା ପାଇଁ ରାଜ୍ୟର ପୂଜାମଣ୍ଡପଗୁଡ଼ିକରେ ଗତ ଷଷ୍ଠୀ ତିଥି ଠାରୁ ଗତକାଲି ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଭକ୍ତଙ୍କ ସମାଗମ ରହିଛି। ପୂଜାମଣ୍ଡପ ଗୁଡ଼ିକ ତରଫରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଦୋକାନ ବଜାର ଏବଂ ଦୋଳି, ପୂଜା ମାହୋଲକୁ ଦ୍ୱିଗୁଣିତ କରିଦେଉଛି। କେତେକ ପୂଜାମଣ୍ଡପରେ ସୁନା, ଚାନ୍ଦି ଏବଂ ରୂପାରେ ସଜ୍ଜା ଯାଇଛି। ଆକର୍ଷଣୀୟ ମେଢ଼ ସହିତ ଦୋକାନ-ବଜାର ବୁଲିବା ପାଇଁ ଶ୍ରଦ୍ଧାଳୁଙ୍କ ମନରେ ଉତ୍ସାହ ସୃଷ୍ଟି ହୋଇଛି।

ରାଜଧାନୀ ଭୁବନେଶ୍ବରରେ ଏଥର ୧୨ଟି ବଦଳରେ ୭ଟି ସ୍ଥାନରେ ରାବଣପୋଡ଼ି ଆୟୋଜନ କରାଯାଉଛି। ନହରକଣ୍ଟା, କୋରଡ଼କଣ୍ଟା, ବରମୁଣ୍ଡା, ବାଙ୍କୁଆଳ, ଗୋପାଳପୁର (ଯାଆଁଳା), କିଟ୍‌‌ ରୋଡ ଓ କପିଳପ୍ରସାଦ ଫୁଟବଲ୍‌‌ ପଡ଼ିଆରେ ରାବଣପୋଡ଼ି ହେବ। ଏଥି ପାଇଁ ଅଗ୍ନିଶମ ବ୍ୟବସ୍ଥାକୁ କଡାକଡି କରିଛି।  

ଏତଦ୍‌ ବ୍ୟତୀତ ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ ମଧ୍ୟ ରାବଣପୋଡ଼ି ପାଇଁ ବ୍ୟପକ ବ୍ୟବସ୍ଥା କରାଯାଇଛି। ବରଗଡ଼ ଜିଲ୍ଲା ସୋହେଲା, ରାଉରକେଲା, ସମ୍ବଲପୁରର ରେମେଡରେ ମଧ୍ୟ ରାବଣପୋଡ଼ି ପାଇଁ ପ୍ରସ୍ତୁତି ଜୋରଦାର କରିଦିଆଇଛି।